ଭୁବନେଶ୍ୱର: ଓଡ଼ିଶାରେ ଏବେ ଉତ୍ସବର ମାହୋଲ । ଗୋଟିଏ ପଟେ ବିଘ୍ନରାଜ ଶ୍ରୀଗଣେଶଙ୍କ ଆରାଧନା ପାଇଁ ପୂଜା ମଣ୍ଡପଗୁଡ଼ିକ ଉତ୍ସବମୁଖର ହୋଇଉଠିଥିବା ବେଳେ, ଅନ୍ୟପଟେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାପର୍ବ ‘ନୂଆଖାଇ’ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଣିପାଗ ବିଭାଗର ସଦ୍ୟତମ ଆକଳନ, ଆଜିଠାରୁ ରାଜ୍ୟବ୍ୟାପୀ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ଆଗାମୀ କିଛି ଦିନ ଧରି ଓଡ଼ିଶା ଉପରେ ପଡ଼ିବ । ବିଶେଷକରି ପଶ୍ଚିମ ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟର ମୋଟ ୧୮ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ଓ କଳାହାଣ୍ଡି ଭଳି ପଶ୍ଚିମାଞ୍ଚଳ ଜିଲ୍ଲା ସମେତ ଉପକୂଳର ଖୋର୍ଦ୍ଧା, କଟକ ଏବଂ ପୁରୀ ଜିଲ୍ଲା ଏହି ପ୍ରବଳ ବର୍ଷା ବଳୟ ମଧ୍ୟରେ ରହିବ ବୋଲି ସୂଚନା ମିଳିଛି ।
ଏହି ଲଗାଣ ବର୍ଷା ଆଶଙ୍କା ଏବେ ପୂଜା ଆୟୋଜକମାନଙ୍କ ନିଦ ହଜାଇ ଦେଇଛି । ସହରର ବିଭିନ୍ନ ସ୍ଥାନରେ ତିଆରି ହୋଇଥିବା ଆକର୍ଷଣୀୟ ତୋରଣ, ସାଜସଜ୍ଜାର ଭିଡ଼ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ । ଏହାବ୍ୟତୀତ ଭସାଣି ଉତ୍ସବରେ ମଧ୍ୟ ବାଧା ଉପୁଜିବାର ଆଶଙ୍କା ରହିଛି । ସେହିପରି ପଶ୍ଚିମ ଓଡ଼ିଶାରେ ନୂଆଖାଇ ପରେ ଆୟୋଜିତ ହେଉଥିବା ପାରମ୍ପରିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ‘ନୂଆଖାଇ ଭେଟଘାଟ୍’ରେ ମଧ୍ୟ ଏହି ବର୍ଷା ବଡ଼ ପ୍ରତିବନ୍ଧକ ସାଜିପାରେ ।
ପାଣିପାଗ ବିଭାଗର ଆଲର୍ଟ ପରେ ରାଜ୍ୟ ସରକାର ଓ ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛନ୍ତି । ସମ୍ଭାବ୍ୟ ଜଳବନ୍ଦୀ ଓ ସହରରେ ପାଣି ଜମିବା ସମସ୍ୟାର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ମୋଡ୍ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୦ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାକୁ ଲାଗି ରହିଥିବା ଥାଇଲ୍ୟାଣ୍ଡ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ସେପ୍ଟେମ୍ବର ୨୨ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

