Latest Odisha News

BREAKING NEWS

ହାଡ଼ ଭାଙ୍ଗିଲା ଜାଡ଼, ମରୁଭୂମି ବାଲିରେ ବରଫ ଚାଦର

ରାଜସ୍ଥାନ: ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି । ପାରଦ ଖସିବାରେ ଲାଗିଛି । ଉତ୍ତର ଓଡ଼ିଶାରେ ମଧ୍ୟ ଜାରୀ ରହିଛି ହାଡ଼ ଭଙ୍ଗା ଶୀତ । ହାଡ଼ ଭଙ୍ଗା ଶୀତ ଫଳରେ ମରୁଭୂମିରେ ମଧ୍ୟ ପଡ଼ିଛି ବରଫ । ଏପରିକି ରାଜସ୍ଥାନର ବାଲି ଉପରେ ବରଫର ଚାଦର ପଡ଼ିଥିବା ଦେଖିବାକୁ ମିଳିଛି ।

ଭାରତୀୟ ପାଣିପାଗ ଅନୁସାରେ ସେଠାରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ବଢ଼ିବ ବୋଲି କୁହାଯାଇଛି । ରାଜସ୍ଥାନର କିଛି ଅଂଚଳରେ ତାପମାତ୍ରା -୩ ଡିଗ୍ରୀ ରେକର୍ଡ଼ କରାଯାଇଛି । ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମର ଓ ହିମାଚଳ ପ୍ରଦେଶର ବହୁ ଅଂଚଳରେ ବରଫପାତ ହୋଇଥିବା ନଜର ରହିଛି । କାଶ୍ମୀରରେ ଯେଉଁଭଳି ବରଫପାତ ହୁଏ ରାଜସ୍ଥାନର ଫତେପୁର, ଶେଖାବଟୀରେ ମଧ୍ୟ ସେହିଭଳି ବରଫ ପଡ଼ିଥିବା ଦେଖିବାକୁ ମିଳିଛି । ଚାଷ ଜମିଠାରୁ ଆରମ୍ଭ କରି ଗଛମାନଙ୍କରେ ବରଫ ପଡ଼ିଥିବାର ଦେଖିବାକୁ ମିଳିଛି । ରାଜସ୍ଥାନର ଫତେପୁରରେ ଏହା ୧୦ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ, ରାଜସ୍ଥାନର ଶେଖାବଟୀରେ ଗରମ ଦିନରେ ଅଧିକ ଗରମ ଓ ଶୀତ ଦିନରେ ଅଧିକ ଶୀତ ଅନୁଭବ ହୁଏ । ଉତ୍ତର ଦିଗରୁ ଆସୁଥିବା କୋହଲା ପବନ ଯୋଗୁଁ ରାଜସ୍ଥାନର ଅନେକ ଅଂଚଳରେ ଶୀତ ବଢ଼ିଛି । ଡିସେମ୍ବର ୧୮ରେ ଏଠାକାର ଚୁରୁ, ପଶ୍ଚିମ ରାଜସ୍ଥାନରେ ସର୍ବନିମ୍ନ ତାପମାତ୍ରା -୨ ଡିଗ୍ରୀରୁ କମ୍ ରେକର୍ଡ କରାଯାଇଛି । ଯେଉଁଠି ଗରମଦିନରେ ତାପମାତ୍ରା ୫୦ ଡିଗ୍ରୀ ଟପିଯାଏ ।

ଦେଶର ୫ ରାଜ୍ୟକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଆଲାର୍ଟ ଜାରି କରିଛି ପାଣିପାଗ ବିଭାଗ । ଫତେପୁର କୃଷି ଅନୁସନ୍ଧାନ କେନ୍ଦ୍ରରେ ୧୭ ଡିସେମ୍ବର ରାତିରେ ତାପମାତ୍ରା -୧.୬ ଡିଗ୍ରୀ ରେକର୍ଡ଼ କରାଯାଇଥିଲା । ପାଣିପାଗ ବିଭାଗ ପକ୍ଷରୁ ପଞ୍ଜାବ, ହରିଆଣା ଏବଂ ରାଜସ୍ଥାନ ପାଇଁ ଅରେଞ୍ଜ ଆଲାର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪ ଡିଗ୍ରୀ ଛୁଇଁଛି । ଆସନ୍ତା ଦୁଇଦିନ ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋ ଆଲାର୍ଟ ଜାରି କରିଛି ।

Leave A Reply

Your email address will not be published.