Latest Odisha News

BREAKING NEWS

ରାଜସ୍ଥାନ ରାଜ୍ୟସଭା ନିର୍ବାଚନ, ବାଜିରେ ଲାଗିଛି ‘ଜି ନ୍ୟୁଜ’ ପ୍ରତିଷ୍ଠାତାଙ୍କ ଭାଗ୍ୟ

ରାଜସ୍ଥାନ: ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ୧୦ରେ ପଡିବ ଭୋଟ୍ । ଏହା ପୂର୍ବରୁ ଆରମ୍ଭ ହୋଇଛି ରିସର୍ଟ ରାଜନୀତି । ରିସର୍ଟରେ ନିଜ ନିଜ ବିଧାୟକଙ୍କୁ ରଖି ଘୋଡା ବେପାର ବା କ୍ରସ ଭୋଟିଂ ଝାମେଲାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ରାଜନୈତିକ ଦଳ। ତେବେ ରାଜସ୍ଥାନରେ ଏହି ରସର୍ଟି ପଲିଟିକ୍ସ ହରିଆଣା, ମହାରାଷ୍ଟ୍ର ତୁଳନାରେ ଅଧିକ ରହିଛି। କାରଣ ଏଠାରେ କେନ୍ଦ୍ରର ଶାସକ ଦଳ ବିଜେପି ବିରୋଧୀ ଆସନରେ ରହିଛି।

ବିଭିନ୍ନ ରାଜ୍ୟର ରାଜ୍ୟସଭା ନିର୍ବାଚନରେ ମୋଦୀ-ଶାହଙ୍କ ଗଣିତ କଂଗ୍ରେସର ଅଙ୍କକୁ ଗୋଳମାଳ କରିଥିବାରୁ ରାଜସ୍ଥାନରେ କଂଗ୍ରେସ ସତର୍କ ହୋଇଛି। ତେବେ ବିଜେପିକୁ ମଧ୍ୟ ଘୋଡା ବେପାର ଭୟ ରହିଛି ଆକଳନ କରି ନିଜ ନିଜ ବିଧାୟକଙ୍କୁ ରିସର୍ଟକୁ ପଠାଇଛି। ପ୍ରଥମେ କଂଗ୍ରେସ ନିଜ ଦଳର ବିଧାୟକଙ୍କୁ ରିସର୍ଟକୁ ପଠାଇଥିଲା। ପରେ ବିଜେପି ପଠାଇଛି ।

ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ପଡିବ । ଏହି ୪ ଆସନ ପାଇଁ ୫ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ରହିଛନ୍ତି। ପାଞ୍ଚ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ତିନି ଜଣ କଂଗ୍ରେସର ହୋଇଥିବା ବେଳେ ବିଜେପି ଜଣେ ପ୍ରାର୍ଥୀ ଏବଂ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି ମିଡିଆ ମୋଗଲ କୁହାଯାଉଥିବା ସୁବାସ ଚନ୍ଦ୍ରା। ଯାହାଙ୍କୁ ବିଜେପି ସମର୍ଥନ କରୁଛି। ଏବେ କଂଗ୍ରେସ ପାଖରେ ବିଧାୟକ ସଂଖ୍ୟା ଅଧିକ ରହିଥିବାରୁ ଦୁଇଟି ଆସନରେ ବିଜୟ ସୁନିଶ୍ଚିତ କିନ୍ତୁ ଅନ୍ୟ ଜଣେ ପ୍ରାର୍ଥୀଙ୍କ ପାଇଁ ଆବଶ୍ୟକ ଭୋଟ୍ ପାଇଁ କଂଗ୍ରେସ ଅଡୁଆରେ ରହିଛି। ତେଣୁ ସ୍ୱାଧୀନ ବିଧାୟକଙ୍କ ଉପରେ କଂଗ୍ରେସ ନଜର ରଖିଛି। ବିଜେପି ପାଇଁ ମଧ୍ୟ ସମାନ । ଦଳୀୟ ପ୍ରାର୍ଥୀ ବିଜୟୀ ହୋଇପାରିବେ କିନ୍ତୁ ସ୍ୱାଧାନୀ ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ସ୍ୱାଧୀନ ବିଧାୟକଙ୍କ ଉପରେ ନଜର ରଖିଛି ବିଜେପି। ଫରକ କେବଳ ଏତିକି କଂଗ୍ରେସ ତୃତୀୟ ପ୍ରାର୍ଥୀକୁ ବିଜୟୀ କରିବାକୁ ଦଳ ବାହାରୁ ଅତିରିକ୍ତ ୧୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଥିବା ବେଳେ ବିଜେପି ପାଇଁ ଆବଶ୍ୟକ ରହିଛି ୧୧ ଜଣ ବିଧାୟକଙ୍କ ସମର୍ଥନ।

ରାଜ୍ୟସଭାକୁ ଯିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୪୧ଟି ଭୋଟର ଆବଶ୍ୟକତା ରହିଛି। କଂଗ୍ରେସ ପାଖରେ ୧୦୮ ବିଧାୟକ ରହିଛନ୍ତି। ତେଣୁ ଦୁଇ ପ୍ରାର୍ଥୀ ମୁକୁଲ ଓ୍ୱାସନିକ ଓ ରଣଦୀପ ସୁରଜେଓ୍ୱାଲା ବିଜୟୀ ହେବା ସୁନିଶ୍ଚିତ । ତେବେ ତୃତୀୟ ପ୍ରାର୍ଥୀ ପ୍ରମୋଦ ତିଓ୍ୱାରୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ୧୫ ଜଣ ବିଧାୟକଙ୍କ ଆବଶ୍ୟକତା ରହିଛି। ସେହିପରି ସ୍ୱାଧୀନ ପ୍ରାର୍ଥୀ ସୁବାସ ଚନ୍ଦ୍ରାଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ବିଜେପି ପାଖରେ ଏବେ ବି ୭୧ ବିଧାୟକ ଥିବା ବେଳେ ଆଉ ୧୧ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ରହିଛି। ତେବେ ଦଳୀୟ ପ୍ରାର୍ଥୀ ଘନଶ୍ୟାମ ତିଓ୍ୱାରୀ ଜିତିବା ସମ୍ଭାବନା ଅଧିକ ରହିଛି।

ରାଜସ୍ଥାନର ରାଜଧାନୀ ଜୟପୁରରେ ଥିବା ଜାମଡୋଲିର ଏକ ରିସର୍ଟ ‘ଦେବୀ ନିକେତନ’କୁ ବିଜେପି ନିଜର ୭୧ ବିଧାୟକଙ୍କ ମଧ୍ୟରୁ ୬୦ରୁ ଅଧିକ ବିଧାୟକଙ୍କୁ ସ୍ଥାନାନ୍ତର କରିଛି। ଏହି ରହଣିକୁ ‘ପ୍ରଶିକ୍ଷଣ ଶିବିର’ ବା ଲର୍ଣ୍ଣିଂ କ୍ୟାମ୍ପ ବୋଲି କହିଛି ଦଳ। ଏହାପୂର୍ବରୁ କଂଗ୍ରେସ ନିଜ ବିଧାୟକଙ୍କୁ ଉଦୟପୁରର ଏକ ପଞ୍ଚତାରକା ହୋଟେଲରେ ରଖିଛି।

Leave A Reply

Your email address will not be published.