ରକ୍ତହୀନତାର ଶିକାର ଭାରତ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର…

ଆମ ଦେଶରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସଂପ୍ରତି ଏକ ନୀରବ ଘାତକ ଭାବେ ଉଭା ହୋଇଛି । ରକ୍ତହୀନତା ଆମ ଦେଶର ମହିଳା ମାନଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁଠୁ ବଡ଼ ସମସ୍ୟା । ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ରକ୍ତହୀନତାର ବିପଦ ଆହୁରି ଅଧିକ । ସାରା ବିଶ୍ୱର ରକ୍ତହୀନତା ମହିଳା ମାନଙ୍କ ମଧ୍ୟରୁ ୫୩ ପ୍ରତିଶତ ରକ୍ତହୀନତା ମହିଳା ଆମ ଦେଶ ଭାରତରେ ଦେଖାଯାଆନ୍ତି । ନ୍ୟାସ୍‌ନାଲ୍ ସାମ୍ପଲ୍ ସର୍ଭେ ଅର୍ଗାନାଇଜେସନ୍‌ର ଅଧ୍ୟୟନ ଅନୁସାରେ ଆମ ଦେଶର ୫୦ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ।

ଡାକ୍ତରୀ ସୂତ୍ର ଅନୁସାରେ ଶରୀରରେ ଲୋହିତ ରକ୍ତକଣିକା କମିଯବାକୁ ରକ୍ତହୀନତା କୁହାଯାଏ ଓ ଲୋହିତ ରକ୍ତକଣିକା କମିଗଲେ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ବହନ କରିବାର କ୍ଷମତା ରକ୍ତର ବାଧାପ୍ରାପ୍ତ ହୋଇଥାଏ । ସାଧାରଣତଃ ଋତୁସ୍ରାବ ସମୟରେ ମହିଳା ମାନଙ୍କ ଶରୀରରୁ ବହୁତ ରକ୍ତକ୍ଷୟ ହୋଇଥାଏ । ତେଣୁ ମହିଳା ମାନଙ୍କ କ୍ଷେତ୍ରରେ ରକ୍ତହୀନତା ଅଧିକ ପରିମାଣରେ ଦେଖାଯାଏ ।

ଆମ ଦେଶରେ ପାରମ୍ପରିକ ଭାବେ ମହିଳା ମାନେ ପରିବାରରେ ସମସ୍ତଙ୍କ ପଛରେ ହିଁ ଖାଇଥାନ୍ତି । ମୂଖ୍ୟତଃ ପରିବାର ପିଲାମାନେ ଓ ପୁରୁଷ ମାନେ ଖାଇସାରିବା ପରେ ହିଁ ମହିଳା ମାନେ ଖାଇଥାନ୍ତି । ଅଧିକାଂଶ ସମୟରେ ମହିଳା ମାନଙ୍କ ପାଇଁ ଖାଦ୍ୟ ବଳକା ମଧ୍ୟ ନଥାଏ ବା ବହୁତ କମ୍ ଥାଏ । ମହିଳା ମାନଙ୍କୁ କମ୍ ଖାଇ ଚଳେଇ ନେବାକୁ ପଡ଼େ । ଏହା କେବଳ ଗ୍ରାମୀଣ ଅଂଚଳ ନୁହେଁ ସହରାଂଚଳରେ ମଧ୍ୟ ଏହିପରି ଦେଖାଯାଏ । ଏପରିକି ଶିକ୍ଷୀତ ମହିଳା ଓ ରୋଜଗାର କରୁଥିବା ମହିଳା ମାନେ ମଧ୍ୟ ସେମାନଙ୍କ ପରିବାରରେ ସମସ୍ତଙ୍କ ପଛରେ ଖାଇଥାନ୍ତି ।

ସାଂପ୍ରତିକ ସମୟରେ ଲିଙ୍ଗଗତ ବିସମତା ତଥା ନାରୀ ପୁରୁଷ ସମାନତା ଉପରେ ସାରା ଦେଶରେ ବହୁତ ଆଲୋଚନା ଚାଲୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରି ଲିଙ୍ଗଗତ ବିସମତାକୁ ଦୂର କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହା ଖୁସିର ବିଷୟ । କିିନ୍ତୁ ବାସ୍ତବିକ ପରିସ୍ଥିତି ହେଉଛି, ମହିଳା ମାନଙ୍କୁ ପରିବାର ସ୍ତରରେ ମଧ୍ୟ ସମାନ ସୁଯୋଗ ମିଳୁନାହିଁ ।

ବର୍ତମାନ ସମୟରେ ମହିଳା ସଶକ୍ତିକରଣ ଉପରେ ଯାହା ବି ଆଲୋଚନା ହେଉଛି, ତାହା ମୂଖ୍ୟତଃ ମହିଳା ମାନଙ୍କର ସାମାଜିକ ଓ ଆର୍ଥିକ ସଶକ୍ତିକରଣର ଚାରିପଟେ ହିଁ ଆଲୋଚନା ହେଉଛି । ମହିଳା ମାନଙ୍କର ସ୍ୱାସ୍ଥ୍ୟ ଅଧିକାର ବିଷୟରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉନାହିଁ । ସନ୍ତାନ ପ୍ରଜନନ ଓ ଲାଳନ ପାଳନର ମୂଖ୍ୟ ଦାୟିତ୍ୱ ମହିଳା ମାନଙ୍କ ଉପରେ ନ୍ୟସ୍ତ ଥାଏ ଓ ସେଥିପାଇଁ ମହିଳା ମାନଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣର୍ ଭୂମିକା ନିର୍ବାହ କରିଥାଏ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ମହିଳା ମାନଙ୍କର ସ୍ୱାସ୍ଥ୍ୟକୁ ପରିବାର ସ୍ତରରେ ଓ ସମାଜ ସ୍ତରରେ ଯଥେଷ୍ଟ ଗୁରୁତ୍ୱର ସହ ଦେଖାଯାଇନଥାଏ । ଘରେ ଗୋଟିଏ ପୁଅର ଦେହ ଖରାପ ହେଲେ ଯେତେ ଶୀଘ୍ର ତା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଏ, ସେହିପରି ଝିଅ କ୍ଷେତ୍ରରେ କରାଯାଏ ନାହିଁ । ସେହିପରି ପୁଅକୁ ସୁସ୍ଥ ସବଳ ରଖିବା ପାଇଁ ପରିବାରର ଲୋକମାନେ ଯେତିକି ତତ୍ପର ଦେଖାନ୍ତି, ଝିଅ କ୍ଷେତ୍ରରେ ସେତିକି ଦେଖାନ୍ତି ନାହିଁ ।

ଏଥିସହିତ ଉପଯୁକ୍ତ ପରିମାଣର, ଉପଯୁକ୍ତ ଗୁଣବତାର ଓ ଭିନ୍ନ ଭିନ୍ନ ପ୍ରକାରର ପନିପରିବା ଓ ଖାଦ୍ୟ ନଖାଇବା ବି ରକ୍ତହୀନତାର ଏକ କାରଣ । ରକ୍ତହୀନତାର ପ୍ରାରମ୍ଭିକ ଲକ୍ଷଣ ଭାବେ ସାଧାରଣତଃ ମୁଣ୍ଡବିନ୍ଧା, ହାଲିଆ ଲାଗିବା, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ପରି ଲକ୍ଷଣ ଦେଖାଯାଇଥାଏ । ଯାହାକୁ ମହିଳା ମାନେ ଠିକ ଭାବେ ଜାଣିପାରନ୍ତି ନାହିଁ ।

ଠିକ୍ ସମୟରେ ରକ୍ତହୀନତାକୁ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନନେଲେ ଏହା ଭବିଷ୍ୟତରେ ଅଧିକ ବିପଦର କାରଣ ହୋଇଥାଏ । ଲୌହସାରର ଅଭାବ ମୂଖ୍ୟତଃ ଭାବେ ଶରୀରରେ ରକ୍ତହୀନତା ସୃଷ୍ଟି କରିଥାଏ । ତେଣୁ ମହିଳା ମାନଙ୍କ ପାଇଁ ଖାଦ୍ୟରେ ଯେପରି ଅଧିକ ପରିମାଣରେ ଲୌହସାର ବିଶିଷ୍ଟ ଖାଦ୍ୟ ବ୍ୟବସ୍ଥା ହୋଇପାରିବ, ସେଥିପାଇଁ ଦୃଷ୍ଟି ଦେବା ଉଚିତ୍ । ସାଧାରଣତଃ ବିଭିନ୍ନ ପ୍ରକାର ଶାଗ, ଗାଢ଼୍ ରଙ୍ଗର ପନିପରିବା ଓ କଲିଜା, କରାଟ ଆଦିରେ ପ୍ରଚୁର ପରିମାଣରେ ଲୌହସାର ଥାଏ । ଏହି ସବୁ ଖାଦ୍ୟ ମହିଳା ମାନଙ୍କ କ୍ଷେତ୍ରରେ ନିଶ୍ଚିତ କରାଇପାରିଲେ ରକ୍ତହୀନତା ପରି ସମସ୍ୟାକୁ ଦୂର କରିହେବ । ମହିଳା ମାନଙ୍କ ପାଇଁ ବୟସର ବିଭିନ୍ନ ଅବସ୍ଥାରେ ପୁଷ୍ଟିଯୁକ୍ତ ସନ୍ତୁଳିତ ଆହାର ବ୍ୟବସ୍ଥା କରାଇପାରିଲେ ଏହି ନୀରବ ଘାତକ କବଳରୁ ସେମାନଙ୍କୁ ରକ୍ଷା କରିହେବ ।

ବିଶେଷ କରି କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ପ୍ରସୂତୀ ମହିଳାଙ୍କ କ୍ଷେତ୍ରରେ ଉପଯୁକ୍ତ ପୁଷ୍ଟିଯୁକ୍ତ ଖାଦ୍ୟ ବ୍ୟବସ୍ଥା କରାଇବା ଏକାନ୍ତ ଆବଶ୍ୟକ । ଗର୍ଭବତୀ ମହିଳାଙ୍କ ପାଇଁ ନିୟମିତ ଅପେକ୍ଷା ଅଧିକ ପରିମାଣରେ ଲୌହସାର ଯୁକ୍ତ ଖାଦ୍ୟ ଆବଶ୍ୟକ ହୋଇଥାଏ । ତେଣୁ ଗର୍ଭବତୀ ମହିାଳଙ୍କୁ ଲୌହ ବଟିକା ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ହେଲେ ଆମ ଦେଶରେ ଗ୍ରାମାଂଚଳ ମାନଙ୍କରେ ଦେଖାଯାଏ ଯେ, ଗର୍ଭବତୀ ମହିଳା ମାନେ ଲୌହ ବଟିକା ନଖାଇ ଫୋପାଡ଼ି ଦେଇଥାନ୍ତି । ଏହି ଅଭ୍ୟାସରେ ପରିବର୍ତନ ନିତାନ୍ତ ଆବଶ୍ୟକ । କାରଣ ଗର୍ଭବତୀ ଅବସ୍ଥାରେ ରକ୍ତହୀନତା ଦେଖାଦେଲେ ପ୍ରସବ ସମୟରେ ଅଧିକ ରକ୍ତସ୍ରାବ ହୋଇଥାଏ ଓ ମା’ ଓ ଶିଶୁ ଉଭୟଙ୍କ ଜୀବନ ପ୍ରତି ବିପଦ ଥାଏ । ଗର୍ଭବତୀ ଅବସ୍ଥାରେ ରକ୍ତହୀନତା ହେଲେ ଗର୍ଭପାତ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଗର୍ଭସ୍ଥ ଶିଶୁର ବିକାଶ ଠିକ ଭାବେ ହୋଇନଥାଏ । ଏଥି ସହିତ ଆମ ଦେଶରେ ଦେଖାଯାଉଥିବା ମାତୃ ମୃତ୍ୟୁର ମୂଖ୍ୟ କାରଣ ମାନଙ୍କ ମଧ୍ୟରୁ ରକ୍ତହୀନତା ପ୍ରମୂଖ ଅଟେ । ତଥ୍ୟ ଅନୁସାରେ ଆମ ଦେଶରେ ୨୦ ରୁ ୪୦ ପ୍ରତିଶତ ମାତୃ ମୃତ୍ୟୁର ଅନ୍ତର୍ନିହିତ କାରଣ ଗର୍ଭବତୀ ଅବସ୍ଥାରେ ରକ୍ତହୀନତା ଅଟେ । ସମଗ୍ର ଦକ୍ଷିଣ ଏସିଆରେ ଦେଖାଯାଉଥିବା ମାତୃ ମୃତ୍ୟୁର ୮୦ ପ୍ରତିଶତ କେବଳ ଭାରତରେ ହୋଇଥାଏ, ଯାହାର ମୂଖ୍ୟ କାରଣ ଗର୍ଭବତୀ ଅବସ୍ଥାରେ ରକ୍ତହୀନତା ।

ରକ୍ତହୀନତାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । କିନ୍ତୁ ପରିସ୍ଥିତିକୁ ଦେଖିଲେ ଜଣାଯାଉଛି, ତାହା ଯଥେଷ୍ଟ ନୁହେଁ । ଆହୁରି ଅନେକ ବାଟ ଯିବାର ଅଛି । କେବଳ ସରକାର ନୁହେଁ, ପରିବାର ସ୍ତରରେ ମଧ୍ୟ ଆମକୁ ମହିଳା ମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ । ତାହେଲେ ରକ୍ତହୀନତା ପରି ଘାତକ ସମସ୍ୟାରୁ ମହିଳା ମାନଙ୍କୁ ରକ୍ଷା କରିହେବ । ରକ୍ତହୀନତାକୁ ଦୂର କରିବା ପାଇଁ ସଂପ୍ରତି ସରକାରଙ୍କ ତରଫରୁ ଦୁଇଟି ମୂଖ୍ୟ କାର୍ଯ୍ୟକ୍ରମ ‘ରକ୍ତହୀନତା ମୁକ୍ତ ଭାରତ’ ଓ ‘ପୋଷଣ ଅଭିଯାନ’ ଆରମ୍ଭ କରାଯାଇଛି । ଏହି ଦୁଇଟି କାର୍ଯ୍ୟକ୍ରମ ଦ୍ୱାରା କିଶୋରୀ ବାଳିକା, ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ଅନ୍ତତଃପକ୍ଷେ ବର୍ଷକୁ ୩ ପ୍ରତିଶତ ହାରରେ ରକ୍ତହୀନତା କମ୍ କରିବାର ଲକ୍ଷ ରଖାଯାଇଛି ।

ଏହି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଠିକ୍ ଭାବେ ପ୍ରଣୟନ କରିବାର ଆବଶ୍ୟକତା ରହିଛି । ଏଥିସହିତ ମହିଳା ମାନଙ୍କ ମଧ୍ୟରେ ରକ୍ତହୀନତାକୁ ନେଇ ସଚେତନତା ସୃଷ୍ଟି କରିବାର ବି ଆବଶ୍ୟକତା ରହିଛି । ସରକାରୀ ତଥ୍ୟ ଅନୁସାରେ ଆମ ଦେଶରେ ମାତ୍ର ୩୦ ପ୍ରତିଶତ ମହିଳା ଗର୍ଭବତୀ ଅବସ୍ଥାରେ ସମସ୍ତ ୧୦୦ଟି ଯାକ ଲୌହ ବଟିକା ଖାଇଥାନ୍ତି । ଆହୁରି ୭୦ ପ୍ରତିଶତ ମହିଳାଙ୍କ ଏ ବିଷୟରେ ସଚେତନ ନୁହଁନ୍ତି । ଅନେକ କ୍ଷେତ୍ରରେ ମହିଳାଙ୍କ ପାଖରେ ଲୌହ ବଟିକା ବି ପହଂଚି ପାରୁନାହିଁ । ତେଣୁ ଉଭୟ ସଚେତନତା ସୃଷ୍ଟି କରିବା ସହିତ ଲୌହ ବଟିକାର ଉପଲବ୍‌ଧତାକୁ ବି ନିଶ୍ଚିତ କରିବାକୁ ହେବ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

LEAVE A REPLY

Please enter your comment!
Please enter your name here