Latest Odisha News

ବିନ୍ଦୁ ସାଗରରୁ ଅଯୋଧ୍ୟା ଗଲା ପବିତ୍ର ଜଳ

ଭୁବନେଶ୍ୱର: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଲାଗି ବିଭିନ୍ନ ତୀର୍ଥ ସ୍ଥାନରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁ ସାଗରରୁ କଣ୍ଟେନର ଭର୍ତ୍ତି ଜଳ ଅଯୋଧ୍ୟାକୁ ପଠାଯାଇଛି ।

ଏହି ଅବସରରେ ମା ଜାଗେଶ୍ୱରୀ ଯୁବ ସଙ୍ଗଠନର ସଭାପତି ପ୍ରଫୁଲ୍ଲ ସ୍ୱାଇଁ କହିଛନ୍ତି ଯେ ଭାରତର ପବିତ୍ର ଜଳ ମାନଙ୍କ ମଧ୍ୟରେ ବିନ୍ଦୁ ସାଗରର ଜଳ ଅନ୍ୟତମ । କୁହାଯାଏ ଏହାର ପ୍ରତି ବୁନ୍ଦା ପାଣିରେ ପବିତ୍ରତା ଭରି ରହିଛି ।

ସାମାଜିକ ଦୂରତ୍ୱ ନିୟମ ମାନି ଏକ ଛୋଟିଆ ଯଜ୍ଞ କରିବା ପରେ ପ୍ରଫୁଲ୍ଲ ସ୍ୱାଇଁ, ଅନିଲ ଧୀର, ରାଜେଶ ଅଗ୍ରୱାଲ୍ ପ୍ରମୁଖ ଅନନ୍ତ ବାସୁଦେବ ଘାଟରୁ ପବିତ୍ର ଜଳ ସଂଗ୍ରହ କରିଥିଲେ । ସେମାନେ ଅଯୋଧ୍ୟାକୁ ଯିବାକୁ ଚାହୁଁଥିବା ବେଳେ ଅନୁମତି ମିଳିନଥିଲା ।

ତେବେ ଏହି ପବିତ୍ର ଜଳକୁ କମଣ୍ଡଳରେ ସ୍ପିଡ ପୋଷ୍ଟ ଯୋଗେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟି ମହନ୍ତ ନିର୍ତ୍ୟଗୋପାଳ ଦାସଙ୍କ ନିକଟକୁ ପଠାଯାଇଛି । ଶ୍ରୀ ସ୍ୱାଇଁ ଆହୁରି ମଧ୍ୟ କହିଛନ୍ତି ଯେ ଅଗଷ୍ଟ ୫ ତାରିଖ ଦିନ ପ୍ରାର୍ଥନା, ଯଜ୍ଞ, ମିଠା ଓ ମହାପ୍ରସାଦ ବଣ୍ଟନ ସହ ଧ୍ୱଜା ଉଡାଯିବା ଭଳି କାର୍ଯ୍ୟକ୍ରମ କରାଯିବ । ଏପରିକି ଓଲ୍ଡ ଟାଉନର ପ୍ରତ୍ୟେକଙ୍କ ଘରେ ଲ୍ୟାମ୍ପ ଜଳିବ ।

ଆସନ୍ତା ଅଗଷ୍ଟ ମାସ ୫ ତାରିଖରେ ପ୍ରଭୁ ରାମଙ୍କ ଜନ୍ମସ୍ଥାନରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରାଯିବ । ଯେଉଁଥିପାଇଁ ଦେଶର ଭିନ୍ନଭିନ୍ନ ସ୍ଥାନରୁ ପବିତ୍ର ନଦୀ ଜଳ ଓ ତୀର୍ଥ ସ୍ଥାନରୁ ମାଟି ସଂଗ୍ରହ କରାଯାଉଛି ।

ଏପରିକି ଚାରି ଧାମ, ସଙ୍ଗମ, କୁରୁକ୍ଷେତ୍ର ଓ ଅନ୍ୟାନ୍ୟ ପବିତ୍ର ସ୍ଥାନରୁ ହିନ୍ଦୁ ଶ୍ରଦ୍ଧାଳୁ ମାନେ ନଦୀ ଜଳ ଓ ମାଟି ସଂଗ୍ରହ କରି ଅଯୋଧ୍ୟାକୁ ପଠାଉଛନ୍ତି ।

Leave A Reply

Your email address will not be published.