Latest Odisha News

ଅନ୍ତିମ ପର୍ଯ୍ୟାୟରେ ତିନିରଥର ପ୍ରସ୍ତୁତି…

ପୁରୀ: ଆଉ ଛଅଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପୁରୀରେ ତିନିରଥ ଦଣ୍ଡାୟମାନ ହୋଇସାରିଛନ୍ତି । କାରିଗର ସେବକମାନେ ରଥ ନିର୍ମାଣର ଅନ୍ତିମ ସ୍ପର୍ଶ ଦେଉଛନ୍ତି । ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ପାଇଁ ରବିବାର ଦିନ ପ୍ରତି ରଥରେ ୪ଟି ଲେଖାଏଁ ଧ୍ୱଜବତା ଲାଗିବା ସହ ତିନିରଥର ପଟା ବାଡ଼ିଆ ଶ୍ରୀ ଜୀଉଙ୍କ ବିଜେ ଆସ୍ଥାନରେ ବାହ୍ୟ ଚାରିପଟ ଗାଇପଲ ପଟା ଲାଗି ହୋଇଥିଲା । ରଥର ତିନିଭୂଇଁରେ କଣି ଫାଉଡ଼ା ଲାଗି ହେବା ସହିତ ରଥ ଭୂଇଁ ବତାରୁ ପୋଟଳ ପର୍ଯ୍ୟନ୍ତ ଚାରିପାଖ ହାତିଆ ମାଳ (ବଟନ୍ ଫିଟିଂ) କରାଯାଇଥିଲା ।

ଆଜି ତିନିରଥରେ କଳସ ଓ ଅଁଳା ଲାଗି ହେବା ସହ ଓଲଟ ଶୁଆ ମଧ୍ୟ ଫିଟିଂ କରାଯାଇଛି । ତିନିରଥର ଚାରିପାଖ ଚିତ୍ରକର ସେବକମାନଙ୍କ ଦ୍ୱାରା ରଙ୍ଗ କାର୍ଯ୍ୟ ଜାରି ରହିଛି ।

ତିନିରଥର ବିଜେ ଆସ୍ଥାନ ଉପରେ କମନ ମୁଣ୍ଡି ସହିତ ଚାରି ନାହାକାରୁ ଫିଟିଂ ହୋଇଥିବା ୨ ଗୁଣା ୨ ସାଇଜର କାଣ୍ଡ ୪ ଗୋଟି ଚାରି ପାଖରୁ ଯାଇ କମନ ମୁଣ୍ଡିରେ ଫିଟିଂ ହୋଇ ସେଇ କାଣ୍ଡ ଦେହରୁ ୨ ଗୁଣା ୨ ସାଇଜର ରୁହ ଚାରିପାଖରୁ ୨୦ଟି ସଂଯୋଗ ହେଲାପରେ ଆକୃତି ଆସି ଯାଇଛି । ଯାହାକି ଶ୍ରୀମନ୍ଦିରର ରତ୍ନ ସିଂହାସନର ଅବିକଳ ଚିତ୍ର ପରି ଲାଗୁଛି । ଏହି କମନ ମୁଣ୍ଡି ଗମ୍ବୁଜାକାର ଚାରି ପାଖ ଉପରେ ପିତ୍ତଳ ଚଦର ପଡ଼ିବା ବାକି ରହିଛି ।

ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟର ତଳେ ରୂପକାର ଏବଂ ଚିତ୍ରକର ସେବକମାନେ ପାଖଦେବାଦେବୀ, ସଖୀ, ଶିଖର ଡମ୍ବରୁ ହଂସପଟା ସମ୍ପୂର୍ଣ୍ଣ ରଙ୍ଗ ହୋଇଥିବା ବେଳେ ତିନିରଥର ସାରଥି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।

ତିନିରଥର ପ୍ରଭାରେ ରୂପକାର ସେବକମାନେ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସେଥିରେ ପ୍ରାଇମର୍ ଦିଆଯାଇଛି । ପ୍ରଥମ କୋଟିଂ ରଙ୍ଗ ଦିଆ ମଧ୍ୟ ସରିଛି । ଏବେ ତିନିରଥର କାର୍ଯ୍ୟ କାଲି ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହୋଇଯିବ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ଦରଜୀ ସେବକମାନେ ରଥ ଯୋର ସହ ରଥ କନାରେ ଜରୀଫିତା ସିଲାଇ, କନା ଯୋଡ଼ଣି କାମ ଜାରି ରଖିଛନ୍ତି ।

ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସଂପୃକ୍ତ ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ମାନେ ସୁସ୍ଥ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.