Latest Odisha News

BREAKING NEWS

ଶ୍ରୀମନ୍ଦିରକୁ ଫେରିଲେ ଶ୍ରୀଜଗନ୍ନାଥ; ବିନା ଭକ୍ତରେ ଶେଷ ହେଲା ରଥଯାତ୍ରା

ପୁରୀ: ପାରମ୍ପରିକ ନୀଳାଦ୍ରି ବିଜେ ନୀତି ସମାପ୍ତ ହେବା ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନବଦିନାଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷକରି ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀକୁ ବାହୁଡ଼ିଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ ।

ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଯାଇଥିଲେ ଜନ୍ମବେଦୀକୁ ତିନିରଥରେ ବୁଲି । ସାଙ୍ଗରେ ପ୍ରାଣପ୍ରିୟା ପତ୍ନୀଙ୍କୁ ନ’ନେଇଥିବା ଯୋଗୁଁ ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନ କରିଥିଲେ । ମହାପ୍ରଭୁ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ମାଆ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ସନ୍ତୁଷ୍ଟ କରିପାରିଥିଲେ । ପରିଶେଷଲେ ମହାଲକ୍ଷ୍ମୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇ ପାଛୋଟି ନେଇଥିଲେ । ଏହି ସମସ୍ତ ନୀତିକାନ୍ତି ଆଜି ପାରମ୍ପରିକ ଭାବେ ଅନୁଷ୍ଠିତ ହୋଇଯାଇଛି । ଅତ୍ୟନ୍ତ ଶୃଙ୍ଖଳିତ ଭାବେ ତଥା କୋଭିଡ଼ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରି ସେବାୟତମାନେ ଏହି ପାରମ୍ପରିକ ନୀତିକୁ ସମ୍ପନ୍ନ କରିଛନ୍ତି ।

ଆଜି ପବିତ୍ର ଘୋଷଯାତ୍ରାର ଅନ୍ତିମ ଦିବସ ଥିଲା । ଶନିବାର ଦିନ ଅନୁଷ୍ଠିତ ହୋଇଥିବା ଏହି ନୀଳାଦ୍ରୀ ବିଜେ ଉତ୍ସବ ଶିଘ୍ର ସମାପନ ହେବା ସହିତ ଶ୍ରୀଜୀଉମାନେ ମଧ୍ୟ ସହଳ ରତ୍ନବେଦୀରେ ବିଜେ କରିଛନ୍ତି ।

ତିନୋଟି ରଥ ତାଳଧ୍ୱଳ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ଉପରେ ମଙ୍ଗଳଆରତୀ, ମଇଲମ, ତଡ଼ପଲାଗି, ଅବକାଶ ହେବା ପରେ ଗୋପାଳବଲ୍ଲଭ ନୀତି ମଧ୍ୟ ଯଥାସମୟ ପୂର୍ବରୁ ସମ୍ପନ୍ନ ହୋଇଥିଲା । ସନ୍ଧ୍ୟା ଆଳତୀ ପରେ ପରେ ପରେ ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥିଲା ତିନି ରଥରେ । ଅପରାହ୍ନ ୪ଟା ବେଳେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଶ୍ରୀବଳଭଦ୍ରଙ୍କ ପହଣ୍ଡି, ଦେବୀ ସୁଭଦ୍ରା ଏବଂ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା ।

ଆଜି ବଡ଼ଦାଣ୍ଡରେ ସମସ୍ତ ସେବାୟତ ଓ ସେବକମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜୟଗାନ କରିଥିଲେ । ପହଣ୍ଡି ସମୟରେ ଘଣ୍ଟଘଣ୍ଟା , କାହାଳୀ ନାଦ ସହିତ ଉପସ୍ଥିତ ସେବାୟତଙ୍କ ‘ଜୟ ଜଗନ୍ନାଥ’ ଧ୍ୱନୀରେ ବଡ଼ଦାଣ୍ଡର ପରିବେଶରେ ଆଧ୍ୟାତ୍ମିକତା ଭରିଯାଇଥିଲା । ମହାପ୍ରଭୁଙ୍କ ଏହି ପହଣ୍ଡି ଦୃଶ୍ୟକୁ ଟିଭି ମାଧ୍ୟମରେ ବିଶ୍ୱର କୋଟି କୋଟି ଶ୍ରଦ୍ଦାଳୁ ଦର୍ଶନ କରି ଧନ୍ୟ ମନେ କରିଛନ୍ତି ।

Leave A Reply

Your email address will not be published.