Latest Odisha News

BREAKING NEWS

ପୁରୀ ରଥଯାତ୍ରା ଅନୁମତି ମିଳିବା ପରେ ସବୁ ମହଲରୁ ସ୍ୱାଗତ

ପୁରୀ: ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମେତ ତିନିରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ । ଅଗଣିତ ହିନ୍ଦୁ ସମାଜ, ସାଢେ ଚାରି କୋଟି ଓଡ଼ିଆ ତଥା ବିଶ୍ୱବ୍ୟାପୀ ରହିଥିବା କୋଟି କୋଟି ଶ୍ରୀଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସ ତଥା ଭାବାବେଗକୁ ସମ୍ମାନ ଦେଇଛନ୍ତି ଭାରତର ଉଚ୍ଚତମ ନ୍ୟାୟାଳୟ । ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ଲାଗି ସକାରାତ୍ମକ ରାୟ ପ୍ରଦାନ କଲେ ସୁପ୍ରିମକୋର୍ଟ । ପୁରୀରେ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ରଥଯାତ୍ରା । ପୁରୀ ରଥଯାତ୍ରା ଅନୁମତି ମିଳିବା ପରେ ସବୁ ମହଲରୁ ସ୍ୱାଗତ କରାଯାଇଛି ।

କଡ଼ା କଟକଣା ମଧ୍ୟରେ ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜନ ଲାଗି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

ଅଧିକ ପଢନ୍ତୁ: ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ, ବଡଦାଣ୍ଡରେ ଗଡିବ ରଥ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ରଥଯାତ୍ରା ହେବା ନେଇ ଟ୍ୱିଟ୍ କରି ‘ଜୟ ଜଗନ୍ନାଥ’ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ସୋସିଆଲ୍ ମିଡ଼ିଆରେ ସାରା ବିଶ୍ୱରେ ଥିବା ହଜାର ହଜାର ଓଡ଼ିଆ ଜଗନ୍ନାଥପ୍ରେମୀ ନିଜର ଖୁସି ଜାହିର୍ କରିଛନ୍ତି ।

ଆଜି ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଶୁଣାଣି ହୋଇଥିଲା । ରଥଯାତ୍ରା ହେବାନେଇ ରାଜ୍ୟ ସରକାରଙ୍କ ସକାରାତ୍ମକ ଭାବନା ସହିତ ସୋଲିସିଟର୍ ଜେନେରାଲ୍ ମଧ୍ୟ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସପକ୍ଷରେ ବଳିଷ୍ଠ ଯୁକ୍ତି ଦର୍ଶାଇଥିଲେ ।

ଶହ ଶହ ବର୍ଷ ଧରି ପୁରୀରେ ପ୍ରଚଳିତ ହୋଇ ଆସୁଥିବା ପରମ୍ପରାକୁ ଆଖି ଆଗରେ ରଖି ତଥା ଏହା କୋଟି କୋଟି ଜନସାଧାରଙ୍କ ଭକ୍ତି, ଆସ୍ଥା ଓ ଭାବାବେଗର କଥାକୁ ସମ୍ମାନ ଜଣାଇ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.