Latest Odisha News

BREAKING NEWS

ରଥଯାତ୍ରା ପ୍ରସ୍ତୁତି: ଦ୍ରୁତଗତିରେ ଚାଲିଛି ତିନିରଥରେ ଖୋଦେଇ କାର୍ଯ୍ୟ

ପୁରୀ: ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ଅଣସରରେ । ଦେବସ୍ନାନ ପୂର୍ଣ୍ଣିମାରୁ ଆରମ୍ଭ ହୋଇଯାଇଛି ରଥଯାତ୍ରା ପର୍ବ ଆରମ୍ଭ । ଶ୍ରୀଜୀଉମାନେ ସ୍ନାନମଣ୍ଡପରେ ସ୍ନାନ କରିବା ପରେ ଜ୍ୱର ଜନିତ କାରଣରୁ ଏବେ ଅଣସର ନୀତି ଆରମ୍ଭ ହୋଇଯାଇଛି । ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଠାକୁରମାନେ ପଟିଦିଅଁ ଭାବେ ଦର୍ଶନ ଦେବେ ।

ଏପଟେ ରଥଖଳାରେ ଘୋଷଯାତ୍ରା ନିମନ୍ତେ ତିନିରଥର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ରସର ହୋଇଚାଲିଛି । କରୋନା ମହାମାରୀ ଯୋଗୁଁ ଲକ୍‌ଡାଉନ୍ କଟକଣାକୁ ମାନି ସାମାଜିକ ଦୂରତା ରକ୍ଷା କରିବା ସହିତ କାରିଗର ସେବକମାନେ ଦିନରାତିକୁ ଏକ କରି କରୁଛନ୍ତି ରଥଖଳାରେ ରଥ କାମ ।

ଶନିବାର ଦିନ ଚାଳରେ ତିନି ରଥରେ ତୃତୀୟ ଭୂଇଁ କାମ ଆରମ୍ଭ ହୋଇ ଶେଷ ହୋଇଛି । ଗତକାଲି ତିନିରଥରେ ଚଣକା ଫିଟିଂ ହୋଇ ତାହା ଉପରେ ଛକାଠ ଚାରିନାହାକାରେ ଲାଗିଥିଲା ।

ଆଜି ତିନି ରଥରେ ନଡ଼ିଆ ଗର ରଥ ଦଣ୍ଡା ଦେହରେ ୧୪ ନାହାକା ପାଇଁ ଫିଟିଂ କରାଯାଇଛି । ଫିଟିଂ ପୂର୍ବରୁ ନଡ଼ିଆ ଗରର ଉପରିଭାଗ ଓ ତଳଭାଗ ସାମାନ୍ୟ ଛଞ୍ଚା ଯାଇ ବିନ୍ଧ କରାଯାଇଛି । ଏହା ଉପରେ ୧୪ ନାହାକା ଫିଟିଂ ସରିଲା ପରେ, ପ୍ରଥମେ ଭୂଇଁର ବାକିଥିବା ପାଖୁଡ଼ା ଏବଂ ମାଛ ପାତିଆ ଲାଗିଛି ।

ଏହାପରେ, ଆଜି ଗତକାଲିଠାରୁ ନିର୍ମାଣ ହୋଇ ରଥ ପାଖରେ ଚଉରା ହୋଇଥିବା ୨ୟ ଭୂଇଁ ସରଞ୍ଜାମ ରଥ ଉପରକୁ ଟେକା ଯିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ, ରଥ ନିର୍ମାଣରେ ଦ୍ରୁତ ଅଗ୍ରଗତି ଫଳରେ ରଥ ଉପରେ ଦ୍ୱିତୀୟ ଭୂଇଁ ପଡ଼ିବା ଶେଷ ହୋଇଛି ।

ରୂପକାର ସେବକ ମାନେ ରଥ ଚାନ୍ଦିରେ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ଚାରି ପରିଛା ଦେହରେ ଡାଳିଲତା ସହ ମୂର୍ତ୍ତି ଖୋଦେଇ କାମ ଜାରି ରଖିଛନ୍ତି ।

ଦୋଳ ବେଦୀ ଅସ୍ଥାୟୀ ଶାଳରେ ଓଝା ସେବକମାନେ ଜୋକିଆ କଣ୍ଟା ନିର୍ମାଣରେ ଲାଗିଛନ୍ତି ।

ଆଜି ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ସବୁ ଦିନ ପରି ରଥ ନିର୍ମାଣରେ ସଂପୃକ୍ତ ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି ।

Leave A Reply

Your email address will not be published.