Latest Odisha News

BREAKING NEWS

ରଥ ଯାତ୍ରା

ରଥ ଯାତ୍ରା

କେଦାର ମିଶ୍ର

ଦେହ ପରି ଏଇ ଦାଣ୍ଡ ଲମ୍ବିଅଛି କେଉଁ ଦୂର ଆଡପ ମଣ୍ଡପକୁ
ଏ ଦେହ ଦେବତା ପରି, କେବେ ଯକ୍ଷ, କେବେ ଋଷି, କେବେ ପୁଣି ଡାକୁ ।

ଏ ଦେହ ପଥ ଯେତିକି, ରଥ ସେତିକି,
ଏ ଦେହର ନାହିଁ ହାତ, ନାହିଁ ପାଦ, ନାହିଁ ମୁଖ-ବୁକୁ
ଏ ଦେହର ଯେତେ ପୀଡା, ଯେତେ ବ୍ରୀଡା, ଯେତେ ସ୍ମୃତି ଯେତେ ରାତି
ମିଶାଅ ସମୁଦ୍ର ଆଜି
ଏଇ ଯାତ୍ରା ଦେହରୁ ଦେହକୁ ।

ଘଣ୍ଟା ଘଣ୍ଟ ଯାହା ବାଜେ, ବାଜେ ଯେଉଁ ଝାଂଜ ଓ ମୃଦଂଗ
ଏ କାହାଳୀ ଯିଏ ଡାକେ ବୀର ଘୋଷେ
ଡାକେ ଯିଏ ଏ ରଥ ଡାହୁକ
ଯିଏ ବାହେ ଏଇ ରଥ, ଯିଏ ଲମ୍ବେ ଏ ପଥରେ
ସେଇ ନାହା ସେ ଏକା ନାବିକ ।

ସେଇ ରଥ ସେଇ ପଥ ସେ ଏକ ପଥିକ ।

ଦେହ ତାର କୁତ୍ସିତ ମାଂସର ରଥ, ପେଶୀ ଖାଏ ଉନ୍ମାଦ ଦଶୀ ପୋକ
ଦେହ ତାର ପୂଯ ରକ୍ତ ଲାଳ ସରସର
ଦେହ ତାର ଦୁର୍ଗନ୍ଧ ଓ ମଇଳା ମାତର
ଦେହ ତାର ଭୋକମୟ ଶୋଷମୟ ପୀଡାମୟ ନର୍କର ସମୟ
ଏବେ କୁହ ହୋ ଭଗତେ !
ରଥ ପଥ ଏକାକାର ବଡଦାଣ୍ଡ ଜଗନ୍ନାଥମୟ ।

କାଠ ନୁହଁ ବାଲିରେ ଗଢିଛି ରଥ
ବାଲି ରେ ଗଡୁଛି ଦେହ ସତେ ଅବା ଖାଲି ଏକ ମଦର ବୋତଲ
ବାଲି ବାଲି ନିଶା ନିଶା
ମଦୁଆ କବିର ଆଖି ଚକା ଚକା ସମୁଦ୍ରର ମୋହ ।

ତମେ ଯଦି ଦେଉଳର ଅଚ୍ଛ, ଅଚ୍ଛ ମୋର ମାଟିର ଘଟରେ
ତମେ ମୋର ପାପ ପରି କଳା
ତମେ ମୋର କଳଙ୍କ କସ୍ତୁରୀ ଚିତା
ତମ ଲାଗି ଯେତିକି ଦେଉଳ ବଡ, ମୋ ଆଖିରେ ସେତେ ବଡ ଏଇ ବାଲି ରଥ
ସେତେ ବଡ ବାଲିରେ ଗଡ ଗଡ ଏଇ ମୋର ଖାଲି ଖାଲି ମଦର ବୋତଲ।

ଭକ୍ତି ମୋର ପାପ ପରି କଳା, ରଥ ମୋର ବାଲି ପରି ନିତାନ୍ତ ଅସାର
ଯଦି ସତ ତମେ ଆଉ ମୁଁ
ଆସ ମୋର ବାଲିକୁ ରଥ କର.
ହୋ ଡାହୁକ!

ଡାକ ଡାକ …ରଥ ଚାଲୁ ସମୁଦୃଁ ସମୁଦ୍ର ।

ଘୋ ଘୋ ସମୁଦ୍ର ଘୋ ଘୋ ଜନତା ଗହଳ
ଘୁଁ ଘୁଁ ଚାଲେ ରଥ ଘନ ଘୋର ଆରତ ଅପାର
ମହାବାହୁ!

ନର୍କଭୋଗ ଯଦି ମୋର ହୁଏ
ଏ ନର୍କରେ ତମେ ଇ ନାଗର ।

ଦୂର ଦୂର ବହୁ ଦୂର ଆଖି ପାଏ ନାହିଁ
ପୁଣ୍ୟ ମୋର ଲୋଡା ନାହିଁ
ଯାତ୍ରା ମୋର ଦେଖିବାର ନାହିଁ ।

ଥାଉ ତମର ଥାଟ ବାଟ ସେବକ ମହନ୍ତ
ଥାଉ ତମର ପଉଟି ପଉଟି ଭୋଗ
ପେଟ ମୋର ପୋଡି ଯାଉ ଦୁଃଖ ଗାଇ ଗାଇ ।

ତମେ ଆସ ରାଜ ରାଜେଶ୍ବର
ମାଢ଼ ମାଢ଼ ସୂନା ବେଶ କୋଟି କୋଟି ଐଶ୍ୱର୍ଯ୍ୟ ତୁମର
ମୋର ଅଛି ଛୋଟ ଏକ ଦେହ, କୁନି ଏକ ଚଢେଇ ପରିକା ପ୍ରାଣ
ମୋ ଦେହ ରେ ନିତ୍ୟ ରଥ, ନିତ୍ୟ ରାସ ନିତି ନିତି ନବ କଳେବର ।

ଏଇ ଛୋଟ ଦେହ ଓ ପ୍ରାଣର ରଥ
ଏ ଦେହେ ଦେବତା ମୁହିଁ, ରଥ ଯାତ୍ରା ନିଜ ବିଷାଦର ।

………………………..
ବିନୋଦିନୀ ନିବାସ, 265/1736 ଏ, ଶାସ୍ତ୍ରୀ ନଗର
ୟୁନିଟ -୪, ଭୁବନେଶ୍ବର , ୭୫୧୦୦୯

Leave A Reply

Your email address will not be published.