RBIର ବଡ଼ ପଦକ୍ଷେପ, ବ୍ୟାଙ୍କିଂ ସିଷ୍ଟମରେ ୧.୪୧ ଲକ୍ଷ କୋଟି ଟଙ୍କା! ଜାଣନ୍ତୁ ସାଧାରଣ ଲୋକଙ୍କୁ କିପରି ମିଳିବ ଫାଇଦା?
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି। ମଙ୍ଗଳବାର RBI ବ୍ୟାଙ୍କିଂ ସିଷ୍ଟମରେ ୧ ଲକ୍ଷ ୪୧ ହଜାର ୧୭୧ କୋଟି ଟଙ୍କା ଯୋଗ କରିଛି। ବ୍ୟାଙ୍କିଂ ବ୍ୟବସ୍ଥାରେ ଦେଖାଦେଇଥିବା ନଗଦ ଅଭାବ (Liquidity Crunch)କୁ ଦୂର କରିବା ପାଇଁ RBI ଏହି ପଦକ୍ଷେପ ନେଇଥିବା କୁହାଯାଉଛି।
ତଥ୍ୟ ଅନୁସାରେ, ୨୧ ଜୁନରେ ବ୍ୟାଙ୍କିଂ ସିଷ୍ଟମରେ ୩୦,୬୮୫.୧୧ କୋଟି ଟଙ୍କାର ସରପ୍ଲସ ଥିବାବେଳେ ୨୨ ଜୁନରେ ଏହା ହ୍ରାସ ପାଇ ୧୯,୯୭୧.୮୯ କୋଟି ଟଙ୍କାର କ୍ଷତିରେ ପହଞ୍ଚିଥିଲା। ଏହି ଅଭାବକୁ ପୂରଣ କରିବା ପାଇଁ RBI ୫.୨୬ ପ୍ରତିଶତ କଟ୍ ଅଫ୍ ଆଭରେଜ୍ ରେଟରେ ବ୍ୟାଙ୍କଗୁଡ଼ିକୁ ଏହି ରାଶି ଯୋଗାଇଛି।
କ’ଣ ଏହି VRR ବ୍ୟବସ୍ଥା?
RBI ଏହି ଟଙ୍କାକୁ ପରିବର୍ତ୍ତନଶୀଳ ରେପୋ ହାର ବା Variable Rate Repo (VRR) ଅକ୍ସନ ମାଧ୍ୟମରେ ବ୍ୟାଙ୍କଗୁଡ଼ିକୁ ଦେଇଛି। VRR ହେଉଛି ଏମିତି ଏକ ପ୍ରକ୍ରିୟା, ଯାହା ମାଧ୍ୟମରେ RBI ବ୍ୟାଙ୍କିଂ ବ୍ୟବସ୍ଥାରେ ନଗଦ ଅଭାବ କିମ୍ବା ଅଧିକତାକୁ ସନ୍ତୁଳିତ କରିଥାଏ।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, GST ଦେୟ ପରିଶୋଧ ହେତୁ ବ୍ୟାଙ୍କିଂ ବ୍ୟବସ୍ଥାରୁ ବହୁ ପରିମାଣର ଟଙ୍କା ବାହାରିଯାଇଥିଲା। ଏହା ଫଳରେ ନଗଦ ଚାପ ବଢ଼ିଥିଲା ଏବଂ ରାତାରାତି ମନି ମାର୍କେଟ ରେଟ୍ ୫.୪୩ ପ୍ରତିଶତରେ ପହଞ୍ଚିଥିଲା, ଯାହା RBI ରେପୋ ରେଟ୍ ଠାରୁ ୦.୧୮ ପ୍ରତିଶତ ଅଧିକ।
ସାଧାରଣ ଲୋକଙ୍କୁ କିପରି ମିଳିବ ଲାଭ?
ବ୍ୟାଙ୍କଗୁଡ଼ିକ ପାଖରେ ଯେତେ ଅଧିକ ଟଙ୍କା ରହିବ, ସେମାନେ ସେତେ ଅଧିକ ଋଣ (Loan) ଦେଇପାରିବେ। ଏହା ଫଳରେ ଘର ଋଣ, ଗାଡ଼ି ଋଣ, ବ୍ୟବସାୟିକ ଋଣ ଓ ବ୍ୟକ୍ତିଗତ ଋଣ ପାଇବା ସହଜ ହୋଇପାରେ। ବ୍ୟାଙ୍କମାନେ କର୍ପୋରେଟ ଏବଂ ରିଟେଲ୍ ଲୋନ୍ ଦେବାରେ ସୁବିଧା ପାଇବେ। ବଜାରରେ ନଗଦ ପ୍ରବାହ ବଢ଼ିବା ସହ ଅର୍ଥନୀତିକ କାର୍ଯ୍ୟକଳାପକୁ ମଧ୍ୟ ଗତି ମିଳିବ।
ତେବେ ଏହା ପ୍ରଥମ ନୁହେଁ, RBI ପୂର୍ବରୁ ମଧ୍ୟ ବଡ଼ ପରିମାଣର ନଗଦ ବ୍ୟାଙ୍କ ମାନଙ୍କୁ ଦେଇଛି । ନଗଦ ଚାପ କମାଇବା ପାଇଁ RBI ଗତ କିଛି ଦିନ ମଧ୍ୟରେ ବିଭିନ୍ନ ଅବଧିର VRR Auction ମାଧ୍ୟମରେ ପ୍ରାୟ ୨.୪୩ ଲକ୍ଷ କୋଟି ଟଙ୍କା ବ୍ୟାଙ୍କିଂ ବ୍ୟବସ୍ଥାରେ ଯୋଗ କରିଛି।
- ୨୩ ଜୁନ: ୩୬,୩୦୦ କୋଟି ଟଙ୍କା
- ୨୦ ଜୁନ: ୧୬,୭୫୦ କୋଟି ଟଙ୍କା
- ୧୮ ଜୁନ: ୭୨,୩୦୦ କୋଟି ଟଙ୍କା
- ୧୬ ଜୁନ: ୮୯,୪୪୦ କୋଟି ଟଙ୍କା
- ୧୫ ଜୁନ: ୨୮,୨୨୦ କୋଟି ଟଙ୍କା
RBIର ଏହି ପଦକ୍ଷେପ ବ୍ୟାଙ୍କିଂ ବ୍ୟବସ୍ଥାରେ ନଗଦ ଅଭାବ କମାଇବା ସହ ଋଣ ବଣ୍ଟନ ଓ ଅର୍ଥନୀତିକ କାର୍ଯ୍ୟକଳାପକୁ ଅଧିକ ଗତି ଦେବ ବୋଲି ଆଶା କରାଯାଉଛି।
