ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଆଗାମୀ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରୁ ଓହରି ଯାଇଛନ୍ତି । ଭାରତୀୟ ଟିମ ୨୬ ଓ ୨୮ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ୨ଟି ମ୍ୟାଚ ଖେଳିବ । ଏହା ପରେ ଇଂଲଣ୍ଡ ବିପକ୍ଷରେ ୧ ଜୁଲାଇରୁ ୧୯ ପର୍ଯ୍ୟନ୍ତ ୫ଟି ଟି୨୦ ମ୍ୟାଚ ଖେଳିବ । ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ଦିିନିକିଆରେ ନୀତିଶ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ମେଡିକାଲ ଟିମ ତାଙ୍କର ଯାଂଚ କରିଥିଲା । କିଛି ଦିନ କ୍ରିକେଟଠାରୁ ଦୂରେଇ ରହିବା ସହ ଏନସିଏରେ ରିହ୍ୟାବ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ନୀତିଶଙ୍କ ସ୍ଥାନରେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଓ ପାର୍ଟ ଟାଇମ ବୋଲର ସୂର୍ଯ୍ୟାଶ ଶେଡଗେଙ୍କୁ ସାମିଲ କରାଯାଇଛି । ଇଣ୍ଡିଆ ଏ ପକ୍ଷରୁ ଖେଳି ସେ ଭଲ ପ୍ରଦର୍ଶନ କରିଥିଲେ । ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ସେ ଭଲ ପ୍ରଦର୍ଶନ କରି ଚୟନ କମିଟିଙ୍କୁ ପ୍ରଭାବିତ କରିଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବାରୁ ଦଳ ଫାଇଦାରେ ରହିବ ବୋଲି ଆଶା କରାଯାଇଛି ।
