Latest Odisha News

BREAKING NEWS

‘ରାଜସ୍ଥାନ ରାଜନୀତି’, ପାଇଲଟଙ୍କ କଂଗ୍ରେସ ହଟାଓ ଅଭିଯାନ ଆରମ୍ଭ !

ଭୁବନେଶ୍ୱର: ରାଜସ୍ଥାନରେ କଂଗ୍ରେସ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ରାଜସ୍ଥାନ ଗସ୍ତରେ ଯାଇଥିବା ମୋଦି କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ଚଉକି ପାଇଁ ଏତେ ବ୍ୟସ୍ତ ଯେ ରାଜସ୍ଥାନର ବିକାଶକୁ ଅଣଦେଖା କରାଯାଉଥିବା ପରୋକ୍ଷରେ କହିଛନ୍ତି।

ଯାହାକୁ ନେଇ ରାଜସ୍ଥାନ ଓ ଦେଶର ରାଜନୀତି ସରଗରମ ହୋଇଥିବା ବେଳେ ଏବେ ଦଳର ଅନ୍ୟତମ ପ୍ରମୁଖ ଚେହେରା ତଥା ରାଜସ୍ଥାନର ପୂର୍ବତନ ପିସିସି ସଭାପତି ସଚିନ ପାଇଲଟ ଜନସଙ୍ଘର୍ଷ ପଦଯାତ୍ରା ଆରମ୍ଭ କରିଛନ୍ତି।

ଖୋଦ ନିଜ ଦଳ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଆଜମେରରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି ପାଇଲଟ। ନିଜର ହଜାର ହଜାର ଯୁବ ସମର୍ଥକ ମାନଙ୍କ ସହ ଟ୍ରେନରେ ଆଜମେରରେ ପହଂଚିବା ପରେ ଅଶୋକ ଉଦ୍ୟାନରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି ପାଇଲଟ।

ସେଠାରୁ ସେ ପଦଯାତ୍ରା ଆରମ୍ଭ କରିଛନ୍ତି। ଗେହଲଟ ପାଇଲଟ ବିବାଦ ପାଇଁ କଂଗ୍ରେସ ସମାଲୋଚନାର ଶିକାର ହେଉଥିବା ବେଳେ ପାଇଲଟଙ୍କ ଏଭଳି କାର୍ଯ୍ୟ ରାଜସ୍ଥାନରେ ଦଳକୁ ଲୋକହସା କରାଇଥିବା କୁହାଯାଉଛି।

ଏପରିକି ପାଇଲଟ ଏହାକୁ ଦୁର୍ନୀତି ବିରୋଧରେ ଲଢେଇ ବୋଲି କହୁଥିଲେ ମଧ୍ୟ ତାଙ୍କ ପଦଯାତ୍ରାରେ ହୋଇଥିବା ପୋଷ୍ଟରରେ କଂଗ୍ରେସର କୌଣସି କେନ୍ଦ୍ରୀୟ ନେତୃତ୍ୱଙ୍କ ଫଟୋ କି ନାଁ ନ ଥିବା ଦେଖିବକୁ ମିଳିଛି। କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ରାହୁଲ କିମ୍ବା ପ୍ରିୟଙ୍କା ଗାନ୍ଧୀ କାହାର ଫଟୋ ନ ଥିବା ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି।

ସେପଟେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଏହାକୁ ପାଇଲଟଙ୍କ ମଜାକ ବୋଲି କହିଛନ୍ତି। ୫ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ୧୨୫ କିଲୋମିଟର ଚାଲିବେ ପାଇଲଟ ଓ ସମର୍ଥକ।

ଯୁବପିଢୀକୁ ଫୋକସରେ ରଖିଥିବା ପାଇଲଟ ଯୁବପୀଢ଼ିଙ୍କ ପ୍ରସଙ୍ଗ ଉଠାଇଛନ୍ତି। ଏପରିକି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ତାଙ୍କ ସପକ୍ଷରେ ନ ଥିବା ଅନୁମାନ ଲଗାଇବା ସହ ସେ ଖୁବ ଶୀଘ୍ର ଏକ ନୂଆ ଦଳ ଗଢ଼ିବା ନେଇ ଖବର ଆସୁଛି।

ଏପରିକି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଆଇପ୍ୟାକକୁ ପାଇଲଟ ତାଙ୍କ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଦାୟିତ୍ୱ ଦେଇଥିବା ସୁଚନା ମିଳିଛି। ତେଣୁ ସଚିନଙ୍କ ଏହି ପଦଯାତ୍ରା ତାଙ୍କ ନିଜ ଦଳ କଂଗ୍ରେସକୁ ଟାର୍ଗେଟ ବୋଲି କୁହାଯାଉଛି। ଆଗକୁ ରାଜସ୍ଥାନ ନିର୍ବାଚନ ଥିବାରୁ ଏ ସବୁ କଥା କଂଗ୍ରେସକୁ ଭାରି ପଡିବ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.