Latest Odisha News

କରୋନା: ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏବେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡିଶା ଫେରୁଛନ୍ତି । ସେଥିପାଇଁ ବିଦେଶ ଫେରନ୍ତାଙ୍କ ପାଇଁ କାଲି ସକାଳ ଠାରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।

ଯେକେହି ବିଦେଶରୁ ଓଡିଶା ଆସୁଛନ୍ତି, ସେ ନିଃଶୁଳ୍କ ନମ୍ବର ୧୦୪କୁ ଫୋନ କରି ରେଜିଷ୍ଟ୍ରେସନ କରିପାରିବେ କିମ୍ବା ଅନଲାଇନ ପୋର୍ଟାଲ http:/covid19.odisha.gov.inରେ ରେଜିଷ୍ଟ୍ରେସନ କରିପାରିବେ । ଓଡିଶା ଆସିବାର ୨୪ ଘଣ୍ଟା ମଧ୍ୟରେ ନିଜର ସମସ୍ତ ବିବରଣୀ ଓ ଫୋନ ନମ୍ବର ସହିତ ରେଜିଷ୍ଟ୍ରେସନ କରିବାକୁ ପଡିବ । ଆସିବାର ୨୪ ଘଣ୍ଟା ପୂର୍ବରୁ ରେଜିଷ୍ଟ୍ରେସନ କଲେ ଅଧିକ ଠିକ୍ ରହିବ ବୋଲି ଓଡିଶା ସରକାରଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି ।

ମାର୍ଚ୍ଚ ୪ ତାରିଖ ପରେ ଓଡିଶାକୁ ଆସିଥିବା ଲୋକଙ୍କୁ ଆସନ୍ତା କାଲି ସକାଳ ୬ଟାରୁ ମାର୍ଚ୍ଚ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ନିଜକୁ ରେଜିଷ୍ଟ୍ରେସନ କରିବା ପାଇଁ ୪୮ ଘଣ୍ଟାର ମହଲତ ଦିଆଯାଇଛି । ଏହାଦ୍ୱାରା ରାଜ୍ୟ ସରକାର ସେହି ଲୋକମାନଙ୍କୁ ଆଇସୋଲେସନରେ ରଖି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିପାରିବେ । ସେମାନଙ୍କୁ ରେଜିଷ୍ଟ୍ରେସନ କରିବା ପାଇଁ ୧୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବ ।

ଯାତ୍ରୀ କିମ୍ବା ତାଙ୍କ ସଂପର୍କୀୟ କିମ୍ବା ବନ୍ଧୁଙ୍କ ଦ୍ୱାରା ଏହି ରେଜିଷ୍ଟ୍ରେସନ କରାଯାଇପାରିବ । ଏହି ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କୁ ଆଇପିସି ଧାରା ଅଧିନରେ ଦଣ୍ଡ ବିଧାନ କରାଯିବ । ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସ୍ଥିତିର ଅନୁଧ୍ୟାନ କରି ଏହାକୁ ଆହୁରି ଅଧିକ ସମୟ ସମ୍ପ୍ରସାରଣ କରାଯାଇପାରେ ।

ବିଦେଶରୁ ଓଡିଶା ଫେରୁଥିବା ଲୋକଙ୍କୁ ଏହି ନିର୍ଦ୍ଦେଶ ଗୁଡିକର ଅନୁପାଳନ କରିବା ପାଇଁ ଓଡିଶା ସରକାର ଅପିଲ କରିଛନ୍ତି । ଯଦ୍ୱାରା ଓଡିଶାର ଲୋକମାନେ ସୁରକ୍ଷିତ ରହିବେ । ଏବଂ ଗଣମାଧ୍ୟମକୁ ମଧ୍ୟ ଏହାର ପ୍ରଚାର ଓ ପ୍ରସାର କରିବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.