Latest Odisha News

BREAKING NEWS

ହାଇକୋର୍ଟକୁ ଗଲା ରିଲାଏନ୍ସ ଜିଓ, ଜାଣନ୍ତୁ କାରଣ କ’ଣ…

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ପକ୍ଷରୁ ତାହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ (ଆରଜେଆଇଏଲ) ଜରିଆରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଏକ ମାମଲା ଦାଏର କରାଯାଇଛି।

ଏକ ପିଟିସନ ମାଧ୍ୟମରେ ସରକାରୀ କତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦ୍ୱାରା ବେଆଇନ୍ ଭଙ୍ଗାରୁଜା ଉପରେ ରୋକ ଲଗାଇବାକୁ ଉଲ୍ଲେଖ କରାଯାଇଛି । ସେମାନଙ୍କ ଦ୍ୱାରା ଚାଲିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା କାରଣରୁ ପଞ୍ଜାବ ଓ ହରିଆଣାରେ ଆରଆଇଏଲର ସହଯୋଗୀ କମ୍ପାନୀଗୁଡିକ ଦ୍ୱାରା ପରିଚାଳିତ ଗୁରୁତ୍ୱପୂର୍ଣ୍ଣ ସଂଚାର ଭିତ୍ତିଭୂମି, ବିକ୍ରୟ ଓ ସେବାଯୋଗାଣକାରୀ କେନ୍ଦ୍ରଗୁଡିକର ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ହଜାର ହଜାର କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।

ରାଜଧାନୀ ଦିଲ୍ଲୀ ନିକଟରେ କୃଷକମାନଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନର ସୁଯୋଗ ନେଇ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ରିଲାଏନ୍ସ ବିରୁଦ୍ଧରେ ଲଗାତାର ଭିତ୍ତିହୀନ ଅପପ୍ରଚାର ଚଳାଇଛନ୍ତି, ଯାହାର କୌଣସି ସତ୍ୟତା ନାହିଁ ।

ଏହିଭଳି ଭଙ୍ଗାରୁଜା ଓ ପୋଡାଜଳା କାର୍ଯ୍ୟରେ ନିୟୋଜିତ ଦୁର୍ବୃତ୍ତମାନଙ୍କୁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏବଂ ରିଲାଏନ୍ସର ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀମାନେ ପ୍ରୋତ୍ସାହିତ ଓ ସହାୟତା କରୁଥିବା ନେଇ କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି।

ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ ‘କର୍ପୋରେଟ’ ଅଥବା ‘କଣ୍ଟ୍ରାକ୍ଟ ଫାର୍ମିଂ’ ପାଇଁ ରିଲାଏନ୍ସ ଅଥବା ମୂଳ କମ୍ପାନୀର କୌଣସି ସହଯୋଗୀ କମ୍ପାନୀ ପଞ୍ଜାବ, ହରିଆଣା କିମ୍ବା ଭାରତର ଅନ୍ୟ କୌଣସି ସ୍ଥାନରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ କୌଣସି ଚାଷୋପଯୋଗୀ ଜମି କ୍ରୟ କରିନାହାନ୍ତି । ତାହା କରିବାକୁ ମଧ୍ୟ ଏହାର ଆଦୌ କୌଣସି ଯୋଜନା ନାହିଁ ।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ୧୩୦ କୋଟି ଭାରତୀୟଙ୍କର ‘ଅନ୍ନ ଦାତା’ ଭାରତୀୟ କୃଷକଙ୍କ ପ୍ରତି ଏହାର ପ୍ରଗାଢ ସମ୍ମାନ ରହିଛି ଏବଂ ସେମାନଙ୍କ ପ୍ରତି ଏହା ଅତ୍ୟନ୍ତ କୃତଜ୍ଞ । ରିଲାଏନ୍ସ ଏବଂ ଏହାର ସହଯୋଗୀ କମ୍ପାନୀଗୁଡିକ କୃଷକମାନଙ୍କୁ ସମୃଦ୍ଧ ଏବଂ ସଶକ୍ତ କରିବାକୁ ସମସ୍ତ ପ୍ରୟାସ କରିବାକୁ ପ୍ରତିବଦ୍ଧ ଅଟନ୍ତି ।

ଆହୁରି ମଧ୍ୟ ଜନସାଧାରଣ ଏବଂ ଗଣମାଧ୍ୟମଗୁଡିକ ସଠିକ ତଥ୍ୟ ସମ୍ପର୍କରେ ଅବଗତ ହେବା ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଗୁଡିକ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଚଳାଇଥିବା ଅପପ୍ରଚାର ତଥା ଭ୍ରାନ୍ତ ସୂଚନାରେ ଭ୍ରମିତ ନହେବାକୁ ଏହା ନିବେଦନ କରିଛି ।

Leave A Reply

Your email address will not be published.