ନୂଆଦିଲ୍ଲୀ: ଟେଲିକମ୍ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ସର୍ବଦା ନୂଆ ନୂଆ ପଦକ୍ଷେପ ନେଉଥିବା ରିଲାଏନ୍ସ ଜିଓ ଏବେ ଦେଶବାସୀଙ୍କ ପାଇଁ ଆଉ ଏକ ବଡ଼ ଉପହାର ଆଣିଦେଇଛି। ଟେଲିକମ୍ ମାର୍କେଟରେ ବିପ୍ଳବ ଆଣିବା ପରେ କମ୍ପାନୀ ପକ୍ଷରୁ ଏବେ ବହୁ ପ୍ରତୀକ୍ଷିତ ‘ଜିଓପିସି’ କ୍ଲାଉଡ୍ ପିସି ପ୍ଲାନ୍ ଆନୁଷ୍ଠାନିକ ଭାବେ ଲଞ୍ଚ କରାଯାଇଛି। ସବୁଠାରୁ ବଡ଼ ଏବଂ ଆଶ୍ୱସ୍ତିକର କଥା ହେଉଛି ଯେ, କେବଳ ଜିଓ ଗ୍ରାହକ ନୁହଁନ୍ତି ବରଂ ନନ୍-ଜିଓ ବା ଅନ୍ୟ ନେଟୱାର୍କର ୟୁଜରମାନେ ମଧ୍ୟ ଏହି ଅତ୍ୟାଧୁନିକ ସେବାର ଲାଭ ଉଠାଇପାରିବେ । ଏହି ସେବା ମାଧ୍ୟମରେ ଲୋକେ ନିଜର ବହୁ ପୁରୁଣା ତଥା ଧୀର ଗତିରେ ଚାଲୁଥିବା କମ୍ପ୍ୟୁଟରକୁ ଏକ ସୁପରକମ୍ପ୍ୟୁଟର ଭଳି ବ୍ୟବହାର କରିପାରିବେ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।
ସାଧାରଣତଃ କମ୍ପ୍ୟୁଟର ପୁରୁଣା ହୋଇଗଲେ ଏହାର ରାମ୍ ଓ ପ୍ରୋସେସର ଦୁର୍ବଳ ହୋଇଯାଏ, ଫଳରେ ଭିଡିଓ ଏଡିଟିଂ, ବଡ଼ ସଫ୍ଟୱେର୍ କିମ୍ବା ହାଇ-ଗ୍ରାଫିକ୍ସ ଗେମ୍ ଚଳାଇବା କଷ୍ଟକର ହୋଇପଡ଼େ । କିନ୍ତୁ ଜିଓର ଏହି କ୍ଲାଉଡ୍ ପିସି ସେବା ସମ୍ପୂର୍ଣ୍ଣ ରୂପେ ଇଣ୍ଟରନେଟ୍ ଏବଂ କ୍ଲାଉଡ୍ ସର୍ଭର ଉପରେ ନିର୍ଭରଶୀଳ। ଏଥିପାଇଁ ଆପଣଙ୍କ କମ୍ପ୍ୟୁଟରରେ କୌଣସି ଦାମୀ ହାର୍ଡୱେରର ଆବଶ୍ୟକତା ନାହିଁ । କେବଳ ଏକ ଭଲ ଇଣ୍ଟରନେଟ୍ କନେକ୍ସନ ଥିଲେ, କ୍ଲାଉଡ୍ ଲଗ୍-ଇନ୍ ଜରିଆରେ ଆପଣଙ୍କ ପୁରୁଣା ଡେସ୍କଟପ୍ କିମ୍ବା ଲାପଟପ୍ରେ ମଧ୍ୟ ଉଚ୍ଚକ୍ଷମତା ସମ୍ପନ୍ନ କମ୍ପ୍ୟୁଟିଂର ମଜା ନେଇହେବ । ଡାଟା ଷ୍ଟୋରେଜ୍ ଠାରୁ ଆରମ୍ଭ କରି ପ୍ରୋସେସିଂ ପର୍ଯ୍ୟନ୍ତ ସବୁକିଛି ଜିଓର ସୁରକ୍ଷିତ କ୍ଲାଉଡ୍ ସର୍ଭର ମାଧ୍ୟମରେ ପରିଚାଳିତ ହେବ । ଏହାଦ୍ୱାରା ଆପଣଙ୍କ ଲୋକାଲ୍ ହାର୍ଡୱେର୍ ଖରାପ ହେଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଡାଟା ହରାଇବାର କୌଣସି ଭୟ ରହିବ ନାହିଁ ।
ରିଲାଏନ୍ସର ଏହି ନୂଆ ପଦକ୍ଷେପ ଦେଶର ଡିଜିଟାଲ୍ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ। ବିଶେଷ କରି ଛାତ୍ରଛାତ୍ରୀ, ଛୋଟ ବ୍ୟବସାୟୀ ଏବଂ ଫ୍ରିଲାନ୍ସରମାନେ ଏହାଦ୍ୱାରା ବହୁଳ ଭାବେ ଉପକୃତ ହେବେ, କାରଣ ସେମାନଙ୍କୁ ଆଉ ହଜାର ହଜାର ଟଙ୍କା ଖର୍ଚ୍ଚ କରି ନୂଆ ଲାପଟପ୍ କିଣିବାକୁ ପଡ଼ିବ ନାହିଁ । ଜିଓପିସି କ୍ଲାଉଡ୍ ପ୍ଲାନ୍ଗୁଡ଼ିକର ମୂଲ୍ୟ ବହୁତ ଶସ୍ତା ରଖାଯାଇଛି, ଯାହା ସାଧାରଣ ଲୋକଙ୍କ ବଜେଟ୍ ଭିତରେ ରହିବ । ଯେକୌଣସି ଟେଲିକମ୍ ଅପରେଟରର ଇଣ୍ଟରନେଟ୍ ବ୍ୟବହାର କରୁଥିବା ଗ୍ରାହକମାନେ ଏହି ସବସ୍କ୍ରିପସନ୍ ନେଇ ନିଜର ଦୈନନ୍ଦିନ କମ୍ପ୍ୟୁଟର କାର୍ଯ୍ୟକୁ ଅତି ସହଜ ଏବଂ ନିରବଚ୍ଛିନ୍ନ ଭାବେ ସମ୍ପନ୍ନ କରିପାରିବେ । ଟେକ୍ ବିଶେଷଜ୍ଞଙ୍କ ମତରେ ଏହା ଭାରତୀୟ ବଜାରରେ କମ୍ପ୍ୟୁଟର ବ୍ୟବହାରର ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇଦେବ ଏବଂ ‘ଡିଜିଟାଲ୍ ଇଣ୍ଡିଆ’ ସ୍ୱପ୍ନକୁ ସାକାର କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ ।

