Helicopter Misuse Case Against Naveen:ନବୀନ- ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲା:ରିଭିଜନ ପିଟିସନକୁ ଖାରଜ କଲେ କୋର୍ଟ
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ହେଲିକେପ୍ଟର ଉଡ଼ାଣରେ ଅନିୟମିତତା ନେଇ ହୋଇଥିବା ମାମଲାକୁ ଖାରଜ କଲେ ଖୋର୍ଦ୍ଧା କୋର୍ଟ । ଅଭିଯୋଗରେ ଯଥେଷ୍ଟ ଆଧାର ନାହିଁ କହିଲେ ଖୋର୍ଦ୍ଧା କୋର୍ଟ। ଏଥିରେ ସରକାରୀ ଖର୍ଚ୍ଚର ବି ହୋଇନି ଅପବ୍ୟବହାର । ସରକାରୀ ହେଲିକପ୍ଟରର ଅପବ୍ୟବହାର ଅଭିଯୋଗରେ ରୁଜୁ ହୋଇଥିବା ଏକ ଫୌଜଦାରୀ ରିଭିଜନ୍ ପିଟିସନକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜର୍ଜ ଖାରଜ କରିଦେଇଛନ୍ତି। SDJMଙ୍କ ପୂର୍ବ ନିଷ୍ପତ୍ତିକୁ କାଏମ ରଖିଲେ ଜିଲ୍ଲା ଓ ଦୌରାଜଜ୍।
ଏପଟେ ସତ୍ୟର ବିଜୟ ହୋଇଛି ଓ କୁଚକ୍ରୀମାନଙ୍କ ଚକ୍ରାନ୍ତ ସର୍ବସମ୍ମୁଖକୁ ଆସିଛି ବୋଲି କହିଛି ବିଜେଡି ।
ସୂଚନାଥାଉକି, ସୁଧୀର ଚରଣ ମହାନ୍ତି ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ସରକାରୀ ଅର୍ଥର ଅପବ୍ୟବହାର ଓ ହେରଫେର ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ନେଇ ମହାନ୍ତି ୧୪ ଅଗଷ୍ଟ ୨୦୨୪ରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦେବାକୁ ଉଦ୍ୟମ କରିଥିଲେ। ଥାନାରେ ଏତଲା ରୁଜୁ ହୋଇନଥିବା ଅଭିଯୋଗ କରି ସେ ଅଗଷ୍ଟ ୧୯ରେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ପରେ ସେ ଭୁବନେଶ୍ୱର ଏସ୍ଡିଜେଏମ୍ ଅଦାଲତରେ ୧ ସିସି କେସ୍ ନମ୍ବର ୬୯୬୦/୨୦୨୪ ଦାଏର କରିଥିଲେ। ଏଥିରେ ଆଇପିସିର ବିଭିନ୍ନ ଧାରା ସହ ବିଏନ୍ଏସ୍ର ସମ୍ପର୍କିତ ଧାରାରେ ମାମଲା ରୁଜୁ କରିବାକୁ ସେ ଅନୁରୋଧ କରିଥିଲେ।
ତେବେ ଏସଡିଜେଏମ୍ ଅଦାଲତ ୨୫ ମାର୍ଚ୍ଚ ୨୦୨୬ରେ ଅଭିଯୋଗକୁ ଖାରଜ କରିଥିଲେ। ଏହା ବିରୋଧରେ ମହାନ୍ତି ଖୋର୍ଦ୍ଧା ସେସନ୍ସ କୋର୍ଟରେ ରିଭିଜନ ପିଟିସନ ଦାଏର କରିଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଏବଂ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଅଭିଯୋଗକାରୀ କୌଣସି ଉପଯୁକ୍ତ ପ୍ରମାଣ ଦାଖଲ କରିନାହାନ୍ତି କିମ୍ବା ଅଭିଯୋଗ ଉପସ୍ଥାପନ କରିବା ପୂର୍ବରୁ ବିଏନଏସଏସ୍ ର ଧାରା ୧୭୩(୪) କୁ ପାଳନ କରିନାହାନ୍ତି। ଏଥିସହ ଧାରା ୩୩ ଅନୁଯାୟୀ ଏହି ଅଭିଯୋଗର ସ୍ଥିତି ନଥିବା ମଧ୍ୟ କୋର୍ଟ ଉଲ୍ଲେଖ କରିଥିଲେ। ତେଣୁ ଆଇନଗତ ଏବଂ ପ୍ରାମାଣିକ ତ୍ରୁଟି ଯୋଗୁଁ କୋର୍ଟ ତଳ କୋର୍ଟଙ୍କ ଖାରଜ ଆଦେଶକୁ ବଳବତ୍ତର ରଖିଛନ୍ତି ।
ପୂର୍ବରୁ ଏଥିରେ ସତ୍ୟତା କି ପ୍ରମାଣ ନଥିବାରୁ କ୍ୟାପିଟାଲ ଥାନା ପୋଲିସ ଓ ଡିସିପି ବି ମାମଲା ରୁଜୁ କରି ନଥିଲେ । ଭୁବନେଶ୍ୱର SDJM ବି ସେ ସମୟରେ ଅଭିଯୋଗକାରୀ ପ୍ରମାଣ ଦେଇ ପାରି ନଥିବା ଅନୁଭବ କରିଥିଲେ । ଜିଲ୍ଲା ଜଜ୍ ବି ଏହି ମାମଲାରେ କୌଣସି ଭିତ୍ତି ନଥିବା ସ୍ପଷ୍ଟ କରିଛନ୍ତି ।

