ଧର୍ମ ସଙ୍କଟ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଦେବବ୍ରତ ଦଣ୍ଡପାଟ ଅପରାଧୀଟିଏ ଭଳି ଠିଆ ହୋଇଥାଏ ସଭା ମଝିରେ । ଗାଁ ପରିଚାଳନା ସମିତିର ସଭ୍ୟମାନେ ସେଦିନ ଗାଁ ସଭା ଡାକିଥିଲେ । ସଭାରେ କେବଳ ସମିତିର ସଦସ୍ୟମାନେ ନୁହଁନ୍ତି, ପୂରା ଗାଁଟା ଯାକର ଲୋକ ଏକାଠି ହୋଇଥିଲେ ଗାଁ ମଝିରେ । ଶହେ ଥର ଡାକିଲେ ଘରୁ ବାହାରୁନଥିବା ଲୋକେ ସେଦିନ ଘର ପିଛା ଦି ଦି ଜଣ .. ତିନି ତିନି ଜଣ ହୋଇ ଆସିଥାନ୍ତି ସଭାକୁ । ଗାଁରେ ବିଜୁଳି ନାହିଁ । ତିନି ଦିନ ତଳେ ଭେଣ୍ଡିଆ ପିଲେ ଦି ଗୋଷ୍ଠୀ ହୋଇ ଗଣ୍ଡଗୋଳ କରି ଗାଁ ସ୍କୁଲ ପାଖରେ ଥିବା ଟ୍ରାନସଫର୍ମରଟାକୁ ପୋଡ଼ି ଦେଇଛନ୍ତି । ତେଣୁ ସଭା ମଝିରେ ଜଳୁଛି ଗାଁ କୋଠର ଲଣ୍ଠନ । ହଁ, ଲଣ୍ଠନ ଆଲୁଅରେ ବା ରାତିରେ କେତେ କଣ ଦେଖାଯିବ, ତାହା ପୁଣି ଗାଁ ଦାଣ୍ଡ ମଝିରେ । ତେଣୁ କହିବାକୁ ଗଲେ ଲଣ୍ଠନଟା କେବଳ ବାଆକୁ ବତା । ଭାଗ୍ୟ ଭଲ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ବୋଲି ଚଳିଯାଉଛି । ମେଘପଖଳା ନିର୍ମଳ ଆକାଶ ଯୋଗୁଁ ଜହ୍ନ ଆଲୁଅରେ ଗାଁ ଦାଣ୍ଡଟା ସ୍ପଷ୍ଟ ଦେଖିହେଉଛି ।

ଗାଁ ସମିତିର ସଦସ୍ୟମାନେ ଜଣକ ପରେ ଜଣେ କେବଳ ସେହି ଗୋଟିଏ କଥା ଦୋହରାଉଥାନ୍ତି । ବାରମ୍ବାର ସେହି ଗୋଟିଏ ପ୍ରଶ୍ନ ପଚାରୁଥାନ୍ତି ଦେବବ୍ରତକୁ । କହ, କେବେ ଶୁଦ୍ଧି ହେବୁ ତୁ   ? ତୋ ବାପା ଘରଛାଡ଼ି ଯିବାର କୋଡ଼ିଏ ବର୍ଷ ହେଲାଣି । ଏ ଯାଏଁ ଫେରିଲାନି । ତୁ କଣ ଭାବୁଛୁ, ସେ ଆଉ ଫେରିବ? ଆମ ସମାଜରେ ଚଳଣି ଅଛି, ଯଦି କେହି ବାର ବର୍ଷ ଯାଏଁ ନିଖୋଜ ରହିଲା, ତାହେଲେ ତାକୁ ମୃତ ଘୋଷଣା କରି ତାର ଶୁଦ୍ଧିକ୍ରିୟା କରିବା ଦରକାର । ତୋ ବାପା ତ ଯିବାର କୋଡ଼ିଏ ବର୍ଷ ହେଲାଣି । ଏ କାମଟା ଆଠ ବର୍ଷ ଆଗରୁ ହେବାର ଥିଲା । ତେଣୁ ସେଥିପାଇଁ ତୁ କହ, କେବେ ଶୁଦ୍ଧି ହେବୁ ତୁ ? ତୋ ବଂଶ ଲୋକମାନେ କେବେ ଶୁଦ୍ଧି ହେବେ?

ଏତିକି ବେଳେ ସଭାରେ ବସିଥିବା କିଛି ଲୋକ କହିଲେ, ଇଏ ଯଦି ଏ ବାବଦରେ କିଛି କହୁନି, ଆଉ ନିରୁତ୍ତର ରହୁଛି, ତାହେଲେ ଆଉ କେତେ ସମୟ ଅପେକ୍ଷା କରିବା । ସଭା ଫଇସଲା କରୁ ଯେ, ଦେବବ୍ରତ ଓ ତାର ପରିବାର ଗାଁରୁ ଏକଘରକିଆ (ବାସନ୍ଦ) ହେବେ । ସେମାନଙ୍କ ସାଙ୍ଗରେ କୌଣସି ପ୍ରକାର ସମ୍ପର୍କ କେହି ରଖିବେ ନାହିଁ । ନିଆଁ ପାଣି ସବୁଥିରୁ ଅଲଗା ହେବେ ସେମାନେ । ଏହି କଥାକୁ ଆଉ କିଛି ଲୋକ ସମର୍ଥନ କରି ଉଚ୍ଚସ୍ୱରରେ କହିବା ଆରମ୍ଭ କରିଦେଇଥିଲେ । ସେପଟେ କିଛି ବୟସ୍କ ଲୋକ ବାରମ୍ବାର ଏମାନଙ୍କୁ ଚୁପ୍ କରାଇବାକୁ ଚେଷ୍ଟା କରିବା ସହିତ, ସେମାନଙ୍କୁ ଏ ବାବଦରେ ବିଚାର କରିବାକୁ ପରାମର୍ଶ ଦେଉଥିଲେ । ଦେବବ୍ରତ କିନ୍ତୁ ସମ୍ପୂର୍ଣ୍ଣ ନିରବ ଥିଲା । ତା ମୁହଁରେ କୌଣସି ଭାଷା ନଥିଲା। ସେ କେବଳ ଭାବୁଥିଲା କିଛି ଭୁଲ ନକରି ସେ କେମିତି ଅପରାଧୀଙ୍କ ଭଳି ଠିଆ ହୋଇଛି ସଭା ମଝିରେ । ପ୍ରକୃତରେ ସେ କଣ ଅପରାଧୀ ? ସେ ଯଦି ଅପରାଧୀ, ତାହେଲେ ତାର ଅପରାଧ କଣ? ଏଇଆ, ଯେ ସେ ତା ହେତୁ ଜାଣିଲା ଦିନଠୁ ତା ବାପାକୁ ଦେଖିନି । ତା ବାପା ସାଙ୍ଗରେ ସେ କେବେ କଥା ହୋଇଥିଲା, ତା ବାପା ଦେଖିବାକୁ କେମିତି, ତା ବାପାର ରଙ୍ଗ ରୂପ କେମିତି, ସେ କଥା ତ ସେ କିଛି ଜାଣିନି । ତାହେଲେ ଆଜି ସେ ସବୁ ପାଇଁ ସେ କାହିଁକି ଉତ୍ତରଦାୟୀ? ରାତି ବଢୁଥାଏ । କିନ୍ତୁ ଦେବବ୍ରତ ସଭାକୁ କିଛି କହିପାରୁନଥାଏ । ଏପଟେ ଲୋକମାନେ ତା ଉତ୍ତରକୁ ଅପେକ୍ଷା କରି କରି ବିରକ୍ତ ହୋଇସାରିଥିଲେ । ଆଉ ସଭା ମଝିରେ ଜଳୁଥିବା ଲଣ୍ଠନଟା ବି ଧୀରେ ଧୀରେ ମିଞ୍ଜିମିଞ୍ଜି ଜଳିଲାଣି । ସଭାରେ ଏକା ସାଙ୍ଗରେ କିଛି ଲୋକ ପାଟି କରୁଥିଲେ ତ ଆଉ କିଛି ସମୟ ସେଠାରେ ନିରବତା ରାଜୁତି କରୁଥିଲା । ଏତିକି ବେଳେ ହଠାତ୍ ଦେବବ୍ରତ କହିଲା, ମୁଁ ଆଜି ବି ଭାବୁଛି ମୋ ବାପା ବଞ୍ଚିଛନ୍ତି । ହୁଏତ କୌଣସି ପରିସ୍ଥିତିରେ ପଡ଼ି ସେ ଗାଁକୁ ଫରୁନଥାଇ ପାରନ୍ତି । କିନ୍ତୁ ମୋର ବିଶ୍ୱାସ ଯେ, ସେ ବଞ୍ଚିଛନ୍ତି । ତେଣୁ କୋଡ଼ିଏ ବର୍ଷ ଅପେକ୍ଷା କଲେଣି ଯେତେବେଳେ ଆଉ ଦଶଦିନ ଅପେକ୍ଷା କରନ୍ତୁ । ଯଦି ଏହି ଦଶଦିନରେ ମୋ ବାପା ଗାଁକୁ ନଫେରନ୍ତି, ତାହେଲେ ତା ପରଦିନ ମୁଁ ତୁଠକୁ ଯାଇ ଦଶକର୍ମ କରିଦେବି । ତା ପରେ ଶୁଦ୍ଧିକ୍ରିୟା ଯେମିତି ହେବା କଥା ହେବ । ମୋର ଅନୁରୋଧ, ଅନ୍ତତଃ ମୋତେ ଏତିକି ସମୟ ଦିଆଯାଉ । ସଭାରେ ବସିଥିବା ଗାଁର କିଛି ବୁଢ଼ା ବୁଢ଼ା ଲୋକ ଦେବବ୍ରତର ଏହି କଥାରେ ସଙ୍ଗେ ସଙ୍ଗେ ହଁ ଭରିଲେ । ସଭା ଭାଙ୍ଗିଗଲା । ଯିଏ ଯାହା ଘରକୁ ଫେରିଗଲେ ।

ସମସ୍ତେ ଚାଲିଗଲା ପରେ ବି ସେଇଠି ସେମିତି ଠିଆ ହୋଇଥାଏ ଦେବବ୍ରତ । ନିର୍ମଳ ଜହ୍ନ ଆଲୁଅରେ ଉପରୁ ଡାଳପତ୍ର କଟି ଯାଇଥିବା ଗଛର ଗଣ୍ଡିଟିଏ ପରି ଦେଖାଯାଉଥିଲା ବାଇଶ ବର୍ଷିଆ ଭେଣ୍ଡା ଦେବବ୍ରତ। ଲାଗୁଥିଲା ସତେ ଯେମିତି ସେ ନିର୍ଜୀବ ପାଲଟିଯାଇଛି । ସ୍ଥାବର ଭଳି ସ୍ଥିର ହୋଇଯାଇଥିଲା ସେ । ରାତି ପାଖାପାଖି ବାରଟା । ଗାଁରେ ତାଟି କବାଟ ପଡ଼ିସାରିଲାଣି । ଲୋକମାନେ ଯିଏ ଯୁଆଡ଼େ ଶୋଇଲେଣି । ଗାଁ ମୁଣ୍ଡ କଇଁଆ ଗଛର ଡାଳରେ ବସି ମଝିରେ ମଝିରେ ରାବ ଦେଉଥାଏ ପେଚାଟିଏ । ତା ସହ କିଛି କିଛି ସମୟ ଅନ୍ତରାଳରେ ବିଲମାଳ ଆଡୁ ଶୁଭୁଥାଏ ବିଲୁଆଙ୍କ ହୁକେ ହୋ .. ରଡ଼ି । ଏତିକି ବେଳେ ପୁଅକୁ ଖୋଜି ଖୋଜି ଆସି ସେଠାରେ ପହଞ୍ଚିଲା ସତ୍ୟବତୀ । ପୁଅ ଦେହଟାକୁ ହଲେଇ ଦେଲା ସେ । ଭୂତ ଛାଡ଼ିଗଲା ଭଳି ହଠାତ୍ ପ୍ରକୃତିସ୍ଥ ହେଲା ଦେବବ୍ରତ । ପାଖରେ ମାଆକୁ ପାଇ ତାକୁ କୁଣ୍ଢାଇ ଧରିଲା, ଆଉ ଭୋ କରି କାନ୍ଦି ଉଠିଲା ସେ । ପୁଅ ସାଙ୍ଗରେ ମାଆ ବି କାନ୍ଦିଲା । ଏତିକିବେଳେ ଗାଁ ଦାଣ୍ଡରେ ଶୋଇଥିବା ଦି ଚାରିଟା କୁକୁର ବି ଏକାସାଙ୍ଗରେ ଲହର ଧରି ଭୁକିବାରେ ଲାଗିଲେ । ସେଦିନ ରାତିରେ ଗାଁ ମଝିରେ ମାଆ-ପୁଅର କାନ୍ଦ ସେହି କୁକୁରଙ୍କ ଭୁକା ଶବ୍ଦରେ ମିଳେଇଗଲା । ଏତେବଡ଼ ଗାଁରେ ମାଆ-ପୁଅର କାନ୍ଦ କାହା କାନରେ ପଡ଼ିଲାନି। କାହାରି ନିଦ ଭାଙ୍ଗିଲାନି ।

ଦେବବ୍ରତ ଓ ସତ୍ୟବତୀ ନିଜ ଘରକୁ ଫେରିଲେ । ପରସ୍ପରକୁ ସାନ୍ତ୍ୱନା ଦେବା ପାଇଁ ବି କାହାର ସାହସ ନଥିଲା । ଭିତରଘରର କାନ୍ଥ ଉପରେ ଜଳୁଥିବା ଡିବିରିଟାକୁ ଲିଭାଇଦେଲା ସତ୍ୟବତୀ । କାହିଁକି ନା କେହି କାହାର କାନ୍ଦୁରା ମୁହଁକୁ ଦେଖିବାକୁ ଚାହୁଁନଥିଲେ ସେମାନେ । ସେହି ଅନ୍ଧାର ଭିତରେ ତଳେ, ଘରର ଗୋବରଲିପା ଚଟାଣ ଉପରେ ହିଁ ଶୋଇପଡ଼ିଲେ ମାଆ ପୁଅ । ଦେବବ୍ରତ ଆଖିରେ ନିଦ ନାହିଁ । ତା ଅଜାଣତରେ ତା ଆଖିରୁ ବହିଚାଲିଛି ଧାର ଧାର ଲୁହ । ସେ ବାରମ୍ବାର ଚେଷ୍ଟା କରୁଛି ମନେ ପକାଇବାକୁ ତା ବାପାର ଚେହେରା । ତା ବାପା ଶଙ୍କର୍ଷଣ ଦଣ୍ଡପାଟ । ହୃଷ୍ଟପୁଷ୍ଟ ଚେହେରା । ବିଶାଳ ବପୁ । ଏକାସଙ୍ଗରେ ଚାରିଟା ଭେଣ୍ଡାକୁ କାଖ ତଳେ ଚାପିଦେବା ଭଳି ଶକ୍ତି । କୁଇଣ୍ଟାଲେ ଚାଉଳକୁ ବିନା କାହାରି ସହାୟତାରେ ଏକାକୀ ପିଠିରେ ପକାଇ ବୋହିନେବ ଚାରି ମାଇଲ ବାଟ । ଏଭଳି ବଳଶାଳୀ ହୋଇଥିଲେ ବି ଗାଁରେ କେବେ କେହି ତା ମୁହଁରୁ ପଦେ କଥା ଶୁଣିନି । ଏକଦମ୍ ଶାନ୍ତ, ନିରବ ଏବଂ ସିଧାଭାଷାରେ କହିଲେ ପ୍ରତିକ୍ରିୟାହୀନ ମଣିଷଟେ ଶଙ୍କର୍ଷଣ ଦଣ୍ଡପାଟ । କେବେ କେମିତି ଗାଁ ଯାତ୍ରାରେ ବାଏକଙ୍କ ପାଖରେ ବସି ଗିନି ବଜେଇବାକୁ ଭଲଲାଗେ ତାକୁ ।

ଶଙ୍କର୍ଷଣର ବାହାଘର ହୋଇଥିଲା ପାଖ ଗାଁର ସୁକୁମାରୀ ସହିତ । ତେବେ ଶଙ୍କର୍ଷଣର ବୁଢ଼ୀ ମାଆକୁ ସୁକୁମାରୀ ଠିକ୍ ଭାବେ ଖାଇବାକୁ ଦେଲାନି କି ପଚାରିଲାନି ବୋଲି ଦିନେ ଶଙ୍କର୍ଷଣ ତାକୁ ଗାଳିଦେଲା । ଏଇତକ କଥାରେ ସୁକୁମାରୀ ଘର ଛାଡ଼ି ପଳେଇଗଲା ବାପାଘରକୁ । ଗଲା ଯେ ଗଲା, ଆଉ ଫେରିଲାନି । କେତେ ଭଦ୍ରଲୋକ, କେତେ ମଧ୍ୟସ୍ଥୀଙ୍କ ଜରିଆରେ ସୁକୁମାରୀକୁ ବୁଝାବୁଝି କରି ଘରକୁ ଆଣିବାକୁ ଚେଷ୍ଟା କଲେ ବି କିଛି ଫରକ୍ ପଡ଼ିଲାନି । ମାସେ ଦି ମାସ .. ଏମିତି ବର୍ଷ ବର୍ଷ ଅପେକ୍ଷା କରିବା ପରେ ବି ସୁକୁମାରୀ ଆସିଲାନି ଶଙ୍କର୍ଷଣ ପାଖକୁ । ଦଶବର୍ଷର ଅପେକ୍ଷା ପରେ ଶେଷରେ ଶଙ୍କର୍ଷଣ ବାହାହେଲା ସତ୍ୟବତୀକୁ । ଏହି ବାହାଘରର ଦେଢ଼ ବର୍ଷ ପରେ ଜନ୍ମ ହୋଇଥିଲା ଦେବବ୍ରତ । ଅତି ଆନନ୍ଦରେ ଚାଲିଥିଲା ଶଙ୍କର୍ଷଣର ଦୁନିଆ । ତା ବୁଢ଼ୀ ମାଆ ବି ନାତି ଟୋକାକୁ ଦେଖିବା ପରେ ଖୁସି ଥିଲା । ଧୀରେ ଧୀରେ ବଡ଼ ହେଉଥିଲା ଦେବବ୍ରତ । ଏତିକିବେଳେ ଦିନେ ରୋଗରେ ପଡ଼ି ଆରପାରିକୁ ଚାଲିଗଲା ଶଙ୍କର୍ଷଣର ମାଆ । ବୁଢ଼ୀ ମଆର ଶୁଦ୍ଧିକ୍ରିୟା ଚାଲିଥାଏ । ହଠାତ୍ ଦୁଆର ମୁହଁରେ ଆସି ହାଜର ହେଲା ସୁକୁମାରୀ । ଏହାସହ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚାହିଁଲା ସେ । କିନ୍ତୁ ତାକୁ ଘରେ ପୂରାଇ ଦେଲାନି ଶଙ୍କର୍ଷଣ । ଦୂର୍ ଦୂର୍ ମାର୍ ମାର୍ କଲା। ସୁକୁମାରୀକୁ ଟିହାଇ ଦେଲେ ଜଣେ ଦି ଜଣ ସ୍ତ୍ରୀ ଲୋକ। ସେମାନଙ୍କ କଥା ଶୁଣି ଗାଁ ସମିତିର ଶରଣାପନ୍ନ ହେଲା ସୁକୁମାରୀ । ଗାଁରେ ସଙ୍ଗେ ସଙ୍ଗେ ଡକାଗଲା ଗ୍ରାମସଭା । ସଭାମଝିରେ ଠିଆ ହୋଇ ସ୍ତ୍ରୀ ଲୋକଟେ କାନ୍ଦିବା ଦେଖି, ସଭା ତୁରନ୍ତ ନିଜର ଫଇସଲା ଶୁଣାଇଦେଲା । ସୁକୁମାରୀ ଯେହେତୁ ଶଙ୍କର୍ଷଣର ପ୍ରଥମ ସ୍ତ୍ରୀ, ତେଣୁ ତାର ପ୍ରଥମ ଅଧିକାର । ସେଥିପାଇଁ ସେ ଶଙ୍କର୍ଷଣ ସହିତ ସେହି ଘରେ ରହିବ । ଗାଁ ସଭାରେ ଖୋଜା ପଡ଼ିଲା ଶଙ୍କର୍ଷଣକୁ । ହେଲେ ତାର କୌଣସି ଖୋଜଖବର ନଥିଲା । ଦୀର୍ଷ ସମୟ ଅପେକ୍ଷା ପରେ ବି ଶଙ୍କର୍ଷଣ ନଆସିବାରୁ ସଭା ଭାଙ୍ଗିଲା । ହେଲେ ସେଦିନଠୁ ଆଜି ଯାଏଁ କେହି ଦେଖିନି ଶଙ୍କର୍ଷଣକୁ । ସେ ରାତାରାତି ଘର ଓ ଗାଁ ଛାଡ଼ି ଯାଇଛି ଯେ, ଏଯାଏଁ ଫେରିନି ।

ଦେବବ୍ରତକୁ ଯେତେବେଳେ ବୟସ ମାତ୍ର ଦେଢ଼ ବର୍ଷ, ସେତେବେଳଠୁ ତା ବାପା ଯାଇଛି ଯେ, ଏ ଯାଏଁ ତାର କୌଣସି ଖୋଜଖବର ନାହିଁ । ତେବେ ଏଇ କୋଡ଼ିଏ ବର୍ଷ ଭିତରେ ଭେଣ୍ଡା ହୋଇସାରିଲାଣି ଦେବବ୍ରତ । ଯେଉଁ ଗାଁ ସଭାର ଉତ୍ତର ଦେଇନପାରି ତା ବାପା ଗାଁଛାଡ଼ି ଚାଲିଗଲା, ସେହି ସଭାରେ ଆଜି ଠିଆ ହୋଇଥିଲା ଦେବବ୍ରତ । କଣ କରିବ, କେମିତି ଶୁଦ୍ଧିକ୍ରିୟା କରିବ, ଗାଁର ଭାଇ ବନ୍ଧୁ କୁଟୁମ୍ବଙ୍କୁ କେମିତି ସେ ଖାଇବାକୁ ଦେବ, ଲୁଗାପଟା ଆଣିବ, ସେ କଥା ଭାବିଦେଲେ ତାକୁ ଲାଗୁଛି ତା ପାଦତଳୁ ପୃଥିବୀଟା ଖସିପଡୁଛି ଯେମିତି । କାରଣ ଅନ୍ୟ କାହା ଜମିରେ ମୂଲଲାଗିଲେ ତା ପରିବାର ଚଳେ ।  ଯେଉଁଠି ରାତି ପାହିଲେ ଅନ୍ନଚିନ୍ତା, ସେଇଠି ଏ ଶୁଦ୍ଧିକ୍ରିୟା ପାଇଁ ସେ ଏତେ ପଇସା ଯୋଗାଡ଼ କରିବ କେମିତି? ଏତକ କଥା ଭାବିଦେଲେ ତା ଗୁଣ୍ଡିଆ ଥରିଉଠୁଛି । ଗାଁ ଲୋକଙ୍କୁ ଦଶ ଦିନର ମହଲତ ମାଗିଛି ସେ । କେବଳ ଗୋଟିଏ ପାପଆଶା .. କାଳେ ତା ବାପା ଶଙ୍କର୍ଷଣ ଫେରିଆସିବ ।

ଗାଁ ସଭାକୁ ଏତିକି ଭିତରେ ସପ୍ତାହେ ବିତିଲାଣି । କେହି କେହି ଭେଣ୍ଡାପିଲା ଦେବବ୍ରତକୁ ଚିଡ଼େଇଲା ଭଳି କହୁଛନ୍ତି, ପୁଅକୁ ଦେଖ । ଜଗିଚି .. ବୋପା ଆଇବ । ସତକୁ ସତ ଦଶ ଦିନ ବିତିଗଲା । ହେଲେ ବାପାର ଦେଖାନାହିଁ । ସେଦିନ ରାତିରେ ପୁଣି ଗାଁ ସଭା ଡକାହେଲା । ଲୋକଙ୍କ ହଇଚଇରେ ଗାଁ ଦାଣ୍ଡଟା ହୁଲସ୍ତୁଲ ହେଉଥାଏ । ପୁଣି ଅପରାଧୀଟିଏ ଭଳି ସଭା ମଝିରେ ଠିଆ ହୋଇଥାଏ ଦେବବ୍ରତ । ତାକୁ ଆଉ କେହି କିଛି ପଚାରିଲେ ନାହିଁ । ନା ତାକୁ କିଛି କହିବାକୁ କୌଣସି ସୁଯୋଗ ଦେଲେ । ବରଂ  ସିଧା ସିଧା ନିଜର ନିଷ୍ପତ୍ତି ଶୁଣାଇଲା ଗାଁ ସମିତି । ଦେବ .. ତୋ କଥା ମୁତାବକ, ତୁ ନେଇଥିବା ମହଲତ ସରିଲା । ଏବେ ତୋତେ ଶୁଦ୍ଧିକ୍ରିୟା କରିବାକୁ ପଡ଼ିବ । ତା ପରେ ସଭା ସାଙ୍ଗ ହେଲା । ସମସ୍ତେ ଯିବା ପରେ ସେ ଫେରିଲା ଘରକୁ । ଅନ୍ଧାର ଭିତରେ କିଛି ବି ଦେଖାଯାଉନଥାଏ । ଘରର ପାହାଚ ଚଢ଼ି କବାଟ ଆଡ଼କୁ ପାଦ ବଢ଼ାଇଲା ବେଳକୁ ଝୁଣ୍ଟି ପଡ଼ିଲା ଦେବବ୍ରତ । ତାକୁ ଲାଗିଲା ସେଇଠି ଏରୁଣ୍ଡିବନ୍ଧ ସାମ୍ନାରେ କେହି ଜଣେ ଶୋଇଛି,  ଯାହାକୁ ସେ ଏବେ ଝୁଣ୍ଟିଦେଲା । ଦେବବ୍ରତ ପଚାରିଲା କିଏ? କିଏ ଶୋଇଛ ଏଇଠି? ଏଇଟା କଣ ଶୋଇବା ଜାଗା ? କୌଣସି ଉତ୍ତର ନଥିଲା । ସେ ବିରକ୍ତ ହୋଇ ତା ମାଆକୁ ଡାକିଲା । ମାଆ କବାଟ ଖୋଲି ବାହାରକୁ ଆସିଲା । ଦୁଆରମୁହଁରେ କିଏ ଶୋଇଛି ଜାଣିବା ପାଇଁ ପୁଣି ଭିତରକୁ ଯାଇ ଡିବିରିଟାକୁ ଧରିଆସିଲା ସତ୍ୟବତୀ । ଡିବିରିର ମିଞ୍ଜି ମିଞ୍ଜି ଆଲୁରେ ଶୋଇଥିବା ଲୋକର ମୁହଁଟାକୁ ଦେଖି ଚମକି ଉଠିଲା ସେ। ତା ହାତରୁ ଖସିପଡ଼ିଲା ଡିବିରି । ସେ ସେହି ଲୋକଟାକୁ ଜାବୁଡ଼ି ଧରି ଚିତ୍କାର କରି କାନ୍ଦିଉଠିଲା । ସେଇ ଅନ୍ଧାର ରାତିରେ ଚିଲ୍ଲେଇ ଚିଲ୍ଲେଇ ସେ କହୁଥିଲା, ଏ ଗାଁ ଲୋକେ ଦେଖିବ ଆସ, ମୋ ମଣିଷ ଫେରିଆସିଛି । ମୋ ଶଙ୍ଖା ସିନ୍ଦୂର ବଜ୍ର ହେଇଛି । ଦେବବ୍ରତ କିଛି ବୁଝି ପାରୁନଥିଲା । କେବଳ ମନେ ପକାଇବାକୁ ଚେଷ୍ଟା କରୁଥିଲା ସେ ଦେଢ଼ବର୍ଷର ଥିଲା ବେଳେ ତାକୁ ଛାଡ଼ି ଚାଲିଯାଇଥିବା ତା ବାପାର ଚେହେରା ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ଫୋନ୍- ୯୯୩୭୨୫୨୪୬୪