Pradeep Rawat: ବଲିଉଡ୍ରୁ ସାଉଥ୍ ପର୍ଯ୍ୟନ୍ତ ଥିଲା ଦବଦବା; ‘ଗଜିନି’ର ଖଳନାୟକଙ୍କୁ ହରାଇଲା ସିନେ ଜଗତ, ଏହି ଓଡିଆ ସିନେମାରେ ବି ବେଶ୍ ସାଉଁଟିଥିଲେ ଭଲପାଇବା…
ନୂଆଦିଲ୍ଲୀ: ବଲିଉଡ୍ ଓ ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା ଅଭିନେତା ପ୍ରଦୀପ ରାୱତଙ୍କ ପରଲୋକ ହୋଇଛି। ‘ଲଗାନ’, ‘ଗଜିନି’, ‘ସରଫରୋଶ’ ଭଳି ଚର୍ଚ୍ଚିତ ଫିଲ୍ମରେ ନିଜର ଶକ୍ତିଶାଳୀ ଖଳନାୟକ ଅଭିନୟ ପାଇଁ ପରିଚିତ ପ୍ରଦୀପ ରାୱତ ୭୪ ବର୍ଷ ବୟସରେ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରାୟ ପାଞ୍ଚ ବର୍ଷ ଧରି ସେ ବ୍ଲଡ୍ କ୍ୟାନ୍ସର ସହ ଲଢ଼େଇ କରୁଥିଲେ। ତାଙ୍କ ମୃତ୍ୟୁ ଖବରକୁ ମ୍ୟାନେଜର ସିଦ୍ଧାର୍ଥ ଆର୍. ତିୱାରୀ ସ୍ପଷ୍ଟ କରିଥିବା ବେଳେ ଅଭିନେତା ଯଶପାଲ ଶର୍ମା ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି।
ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସେ ଗତ ଏକ ମାସ ଧରି ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ ଭିୱାଣ୍ଡିର ଏକ କ୍ୟାନ୍ସର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିଲା।
ପ୍ରଦୀପ ରାୱତ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ବି.ଆର୍. ଚୋପ୍ରାଙ୍କ ଐତିହାସିକ ଧାରାବାହିକ ‘ମହାଭାରତ’ରେ ଅଶ୍ୱତ୍ଥାମା ଚରିତ୍ର ମାଧ୍ୟମରେ। ପରେ ରାଜ ବବରଙ୍କ ଫିଲ୍ମ ‘ଐତବାର’ ଜରିଆରେ ବଲିଉଡ୍ରେ ପ୍ରବେଶ କରିଥିଲେ। ଏହାପରେ ‘ଅଗ୍ନିପଥ’, ‘ପଥର କେ ଫୁଲ’, ‘ସଙ୍ଗଦିଲ ସନମ’, ‘କୋଏଲା’, ‘ସରଫରୋଶ’ ଓ ‘ଲଗାନ’ ଭଳି ଅନେକ ଚର୍ଚ୍ଚିତ ଫିଲ୍ମରେ ସେ ଅଭିନୟ କରିଥିଲେ। ତେବେ ଆମିର ଖାନ୍ଙ୍କ ‘ଗଜିନି’ ଫିଲ୍ମରେ ତାଙ୍କ ଖଳନାୟକ ଚରିତ୍ର ତାଙ୍କୁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା।
କେବଳ ହିନ୍ଦୀ ନୁହେଁ, ସେ ତାମିଲ, ତେଲୁଗୁ, କନ୍ନଡ ଓ ମାଲୟାଲମ ଫିଲ୍ମରେ ମଧ୍ୟ ଜଣେ ଲୋକପ୍ରିୟ ଖଳନାୟକ ଭାବେ ନିଜର ଛାପ ଛାଡ଼ିଥିଲେ। ବିଶେଷ କରି ଏସ୍.ଏସ୍. ରାଜାମୌଳୀଙ୍କ ୨୦୦୪ ମସିହାର ତେଲୁଗୁ ଫିଲ୍ମ ‘ସ୍ୟେ’ରେ ‘ଭିକ୍ଷୁ ଯାଦବ’ ଚରିତ୍ର ପାଇଁ ସେ ବ୍ୟାପକ ପ୍ରଶଂସା ସହ ପୁରସ୍କାର ମଧ୍ୟ ପାଇଥିଲେ। ‘ଭଦ୍ରା’, ‘ରିବେଲ୍’ ସମେତ ଅନେକ ସାଉଥ୍ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିତିଥିଲା। ଓଡ଼ିଆ ଫିଲ୍ମ ‘ଏସିପି ରଣବୀର’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ତାଙ୍କ ଭୟଙ୍କର ଖଳନାୟକ ଚରିତ୍ର ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା।
କିଛି ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ପ୍ରଦୀପ ରାୱତ କହିଥିଲେ, ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କଳାକାରମାନଙ୍କୁ ବଲିଉଡ୍ ତୁଳନାରେ ଅଧିକ ସମ୍ମାନ ଓ ପାରିଶ୍ରମିକ ମିଳେ। ତାଙ୍କ କହିବା ଅନୁସାରେ, ମୁମ୍ବାଇରେ ଯେଉଁ କାମ ପାଇଁ ୧୦୦ ଟଙ୍କା ମିଳେ, ସାଉଥ୍ରେ ସେହି କାମ ପାଇଁ ପ୍ରାୟ ୩୦୦ ଟଙ୍କା ମିଳେ। ସେଠାରେ ପାରିଶ୍ରମିକ ମାଗିବାକୁ ପଡ଼େନି, ନିର୍ମାତାମାନେ ସମୟରେ ଟଙ୍କା ପରିଶୋଧ କରନ୍ତି। ଏହି କାରଣରୁ ସେ ଦକ୍ଷିଣ ଭାରତୀୟ ସିନେମାରେ ଅଧିକ ସକ୍ରିୟ ହୋଇଥିବା କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ବିକି କୌଶଲଙ୍କ ଫିଲ୍ମ ‘ଛାଭା’ରେ କାମ କରିବା ସମୟରେ ମଧ୍ୟ ପାରିଶ୍ରମିକ ପାଇଁ ତାଙ୍କୁ କାହାକୁ କହିବାକୁ ପଡ଼ିନଥିଲା।
ବ୍ୟକ୍ତିଗତ ଜୀବନରେ ପ୍ରଦୀପ ରାୱତଙ୍କ ପରିବାରରେ ପତ୍ନୀ କଲ୍ୟାଣୀ ରାୱତ ଓ ପୁଅ ବିକ୍ରମାଦିତ୍ୟ ରାୱତ ଅଛନ୍ତି। ସେମାନେ ସାଧାରଣତଃ ଲାଇମଲାଇଟ୍ଠାରୁ ଦୂରରେ ରହୁଥିଲେ। ତେବେ ୨୦୨୪ରେ ଆମିର ଖାନଙ୍କ ଝିଅ ଆଇରା ଖାନଙ୍କ ବିବାହ ଅବସରରେ ପରିବାର ସହ ପ୍ରଦୀପ ରାୱତଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳିଥିଲା।
ପ୍ରଦୀପ ରାୱତଙ୍କ ବିୟୋଗରେ ବଲିଉଡ୍, ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଓଡ଼ିଆ ସିନେମା ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ନିଜର ଦମଦାର ଖଳନାୟକ ଅଭିନୟ ଯୋଗୁଁ ସେ ସବୁବେଳେ ଦର୍ଶକଙ୍କ ସ୍ମୃତିରେ ଅମର ରହିବେ।


Comments are closed.