Latest Odisha News

BREAKING NEWS

କଂଗ୍ରେସର ପ୍ରତିଶୋଧ: ସୂର୍ପଣଖା କହିଥିବାରୁ ମୋଦୀଙ୍କ ବିରୋଧରେ ମାନହାନୀ କେସ୍ କରିବେ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ପ୍ରସଙ୍ଗରେ  ବିବାଦୀୟ ବୟାନ ଦେଇ ରାହୁଲ ଗାନ୍ଧୀ ଓ କଂଗ୍ରେସ ହରଘଣାରେ ପଡ଼ିଥିବା ବେଳେ ଏବେ ପ୍ରତିଶୋଧ ନେବାକୁ ବାହାରିଛି କଂଗ୍ରେସ।  କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ  ରେଣୁକା ଚୌଧୁରୀଙ୍କୁ ସୂର୍ପଣଖା କହିବା ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାନହାନୀ କେସ୍ କରିବେ ରେଣୁକା।

ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି “ଏହି କ୍ଲାସ୍‌ଲେସ୍‌ ଅହଂକାର ମୋତେ ରାଜ୍ୟସଭାରେ ସୂର୍ପଣଖା କହିଥିଲେ। ମୁଁ ଏହା ବିରୋଧରେ ମାନହାନୀ କେସ୍ କରିବି। ଏବେ ଦେଖିବି ଯେ ଅଦାଲତଗୁଡ଼ିକ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।” ରେଣୁକା ଏହି ଟ୍ୱିଟ୍ ସହ ସେଦିନର ଭିଡିଓ କ୍ୱିପ୍‌ ବି ଶେୟାର୍ କରିଛନ୍ତି।

ସୂଚନା ଥାଉକି ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକ କୋଲାର ଠାରେ ଆୟୋଜି ଏକ ରାଲିରେ ସମ୍ବୋଧନ କରି ନିରବ ମୋଦୀ, ଲଳିତ ମୋଦୀଙ୍କ ଦୁର୍ନୀତି ବିଷୟରେ କହିବାକୁ ଯାଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କେମିତି ରହୁଛି ବୋଲି ରାହୁଲ କହିଥିଲେ। ଯାହାକୁ ନେଇ ତଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ ଗୁଜୁରାଟ ପୂର୍ବତନ ବିଜେପି ବିଧାୟକ ପୂର୍ଣ୍ଣେନ୍ଦୁ ମୋଦୀ।

ଗତକାଲି ଏହି ମାମଲାର ଶୁଣାଣି କରି ସୁରତର ଏକ କୋର୍ଟ ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ସହ ଫାଇନ୍ ବି କରିଛନ୍ତି। ରାହୁଲଙ୍କ ଉପରେ ଆଇପିସି ଧାରା ୫୦୪ ଲାଗିଥିଲା। ଯେଉଁଥିରେ ସର୍ବାଧିକ ଦଣ୍ଡ ୨ ବର୍ଷ ଜେଲ୍ ଦଣ୍ଡ ରହିଛି। ଏବେ ରାହୁଲଙ୍କ ସଂସଦ ପଦ ରଦ୍ଦ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୂର୍ପଣଖା ବିବାଦ କଣ

ଫେବ୍ରୁଆରୀ ୭ ତାରିଖ ୨୦୧୮ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ପକ୍ଷ ରଖୁଥୁଲେ। ରାଜ୍ୟସଭାରେ ଆଧାର ଯୋଜନା ବିଷୟରେ ମୋଦୀ କହିଥିଲେ ଯେ ଆଧାରର ବିଜ ଏଇଠି ଅଛି। ଏହାପରେ ରେଣୁକା ଚୌଧୁରୀ ଖବ୍‌ଜୋର୍‌ରେ ହସିଥିଲେ। ଏହାପରେ ତ୍‌ତକାଳୀନ ବାଚସ୍ପତି ଭେଙ୍କେୟା ନାଇଡୁ ରେଣୁକାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ମୋଦୀ କହିଥିଲେ ଯେ ସଭାପତି ଜୀ ଆପଣ ରେଣୁକାଙ୍କୁ କିଛି କୁହନ୍ତୁ ନାହିଁ। ରାମାଣୟ ସିରିଏଲ୍ ପରେ ଆଜି ଏଭଳି ହସ ଶୁଣିବାକୁ ସୌଭାଗ୍ୟ ମିଳିଲା।

ଏହାପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏହି ଭିଡିଓକୁ ସୋସିଆଲ୍ ମିଡଆରେ ଶେୟାର କରିବା ପରେ ବିବାଦ ବଢିଯାଇଥିଲା। ଏନେଇ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଠାରୁ କ୍ଷମା ଦାବି କରିଥିଲା।

ନିୟମ ଅନୁସାରେ ମୋଦୀଙ୍କ ବିରୋଧରେ ମାମଲା କରିପେରିବେନି ରେଣୁକା

ଭାରତୀୟ ସମ୍ବିଧାନର ଧାରା ୧୦୫ ଅନୁସାରେ ରେଣୁକା କେସ୍ କରିପାରିବେ ନାହିଁ। ଧାରା ୧୦୫ରେ ସାଂସଦଙ୍କୁ ଗୃହରେ କହିବାକୁ କିଛି ବିଶେଷାଧିକାର ଦିଆଯାଇଛି। ଏହି ଅନୁସାରେ, ସାଂସଦ ଗୃହରେ ଯେଉଁ ଭାଷଣ ଦେବେ କିମ୍ବା କୌଣସି ବୟାନ ଓ ତାଙ୍କ ଦ୍ୱାରା କରାଯାଇଥିବା କାମ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ କୋହଳ କରାଯାଇଛି। ଉାଦାହରଣ ସ୍ୱରୁପ ସଦନରେ ଦିଆଯାଇଥିବା ବିବାଦ ପାଇଁ ମାନହାନୀ ମକଦ୍ଦମା କରାଯାଇ ପାରିବ ନାହିଁ। ତେଣୁ ରେଣୁକା ମୋଦୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିପାରିବେ ନାହିଁ।

Leave A Reply

Your email address will not be published.