ନୂଆଦିଲ୍ଲୀ:ଉଠିଯିବ କି ସଂରକ୍ଷଣ ବ୍ୟବସ୍ଥା? ଏହି ବ୍ୟବସ୍ଥାକୁ ନେଇ କଣ ରାୟ ବାଢ଼ିଲେ ସର୍ବୋଚ୍ଚ ନ୍ୟାୟାଳୟ? ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଯେଉଁମାନେ ଲାଭବାନ ହେବା ଯୋଗ୍ୟ ସେମାନଙ୍କୁ ସୁବିଧା ସୁଯୋଗ ମିଳିବାର ଆବଶ୍ୟକତା ରହିଛି। ଏନେଇ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ସହ ୭ ଜଣିଆ ଖଣ୍ଡପୀଠରେ ଏହି ରାୟ ବାଢିଛନ୍ତି। ପୂର୍ବରୁ ଯେଉଁମାନେ ସଂରକ୍ଷଣ ପାଇବାକୁ ହକଦାର ଥିଲେ ସେମାନେ ସେଥିରୁ ଲାଭାନ୍ୱିତ ହୋଇଛନ୍ତି। ଏବେ ସେମାନେ ଅନ୍ୟ ପଛୁଆବର୍ଗଙ୍କୁ ସୁଯୋଗ ଦେବା ଉଚିତ। ତେବେ ଏହି ସଂରକ୍ଷଣ ବ୍ୟବସ୍ଥା ଉପରେ ପୁଣି ଥରେ ବିଚାର କରିବା ଉଚିତ ବୋଲି କୋର୍ଟରେ କୁହାଯାଇଥିଲା।
ଏବେ ସଂରକ୍ଷଣ ବ୍ୟବସ୍ଥାରେ ଲାଭବାନ ହେଉଥିବା ଲୋକେ ବିଭିନ୍ନ କ୍ଷେତ୍ରରେ ଆଗୁଆ ଅଛନ୍ତି। ସେମାନେ ଏବେ ଏହି କୋଟାରୁ ବାଦ ପଡିବା ଆବଶ୍ୟକ। ଅବଶିଷ୍ଟ ଯେଉଁମାନେ ପଛୁଆ ବର୍ଗ ରହିଲେ ସେମାନଙ୍କୁ ସଂରକ୍ଷଣ ବ୍ୟବସ୍ଥାର ସୁଯୋଗ ଦେବା ଉଚିତ। ଯେଉଁ କାରଣ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା ତାହା ପୂରଣ ହୋଇଛି। ତେବେ ଏହାକୁ ବନ୍ଦ କରିବା ଉଚିତ।
ପୁରୁଣା ରାୟ ଗୁଡିକ ଉପରେ ଯଦି ନଜର ପକାଇବା ୨୦୦୪ରେ ଦିଆଯାଇଥିବା ଏକ ରାୟରେ କୁହାଯାଇଥିଲା କି ଅନୁସୂଚିତ ଜାତି ଏକ ସମାନ ଶ୍ରେଣୀ ଗଠନ କରନ୍ତି। ସେମାନଙ୍କ ମଧ୍ୟରେ ଉପ ବିଭାଜନ କରାଯାଇପାରିବ ନାହିଁ। ତେବେ ଏହାକୁ ନେଇ ପଞ୍ଜାବ ଆଡଭୋକେଟ ଜେନେରାଲ ଗୁରୁମିନ୍ଦର ସିଂଙ୍କ ଯୁକ୍ତିକୁ ସଂକ୍ଷେପରେ ଜଷ୍ଟିସ ବିକ୍ରମ ନାଥ କହିଛନ୍ତି- ଅନୁସୂଚିତ ଜାତି ମଧ୍ୟରୁ ନିର୍ଦ୍ଦିଷ୍ଟ ବର୍ଗ ଭଲ ପ୍ରଦର୍ଶନ କରିଛନ୍ତି। ସେହିପରି ପଞ୍ଜାବ ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ ଅଧିନିୟମ, ୨୦୦୬ରେ ଭାଲମିକିସ୍ ଏବଂ ମଜାବି ଶିଖମାନଙ୍କୁ ୫୦ପ୍ରତିଶତ କୋଟା ପ୍ରଦାନ କରାଯାଇଛି । ଖାଲି ସେତିକି ନୁହେଁ ଏହି ସଂରକ୍ଷଣ ବ୍ୟବସ୍ଥାରେ ୨୦୧୦ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପଞ୍ଜାବ ଆଇନର ଧାରା ୪ (୫) କୁ ଅସାମ୍ବିଧାନିକ କହି ଖଣ୍ଡନ କରିଥିଲେ। ଏହାର ଅନ୍ୟତମ କାରଣ ହେଉଛି ଯେ ଏହା ଚିନ୍ନାୟା ମାମଲାର ରାୟକୁ ଉଲ୍ଲଂଘନ କରିଛି।
ସେତେବେଳେ କୋର୍ଟରେ ଦଲିଲ ପେଶ କରାଯାଇଥିଲା ସେହି ସମୟରେ ସଂରକ୍ଷଣ ବିଶେଷ କରି ଆଇଏଏସ, ଆଇପିଏସ ଓ ଆଇଏଫଏସ ଅଧିକାରୀଙ୍କ ପିଲାଙ୍କ ପାଇଁ ଥିବା କୋଟା ନେଇ ଏକ ପ୍ରଶ୍ନ ପଚରା ଯାଇଥିଲା। ଥରେ ଜଣେ ଏହି ପଦବୀରେ ରହିଲେ ତାର ପର ପିଢି ମଧ୍ୟ ଏହି ସୁବିଧାର ଲାଭ ଉଠାଉଛନ୍ତି। ମାତ୍ର ଗ୍ରାମାଞ୍ଚଳରେ ଚିତ୍ର ଭିନ୍ନ ରହୁଛି। କାରଣ ଗାଁରେ ଥିବା ବ୍ୟକ୍ତି କିମ୍ୱା ପ୍ରକୃତରେ ଏହି ସୁବିଧା ପାଇବା ପାଇଁ ଯିଏ ହକଦାର ସେ ଏଥିରୁ ବଞ୍ଚିତ ହେଉଛନ୍ତି।
ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୭ଜଣିଆ ଖଣ୍ଡପୀଠ ଏନେଇ ରାୟ ଦେଇଛନ୍ତି। ଜଷ୍ଟିସ ବି ଆର ଗାଭାଇ, ବିକ୍ରମ ନାଥ, ବେଲା ଏମ ତ୍ରିବେଦୀ, ପଙ୍କଜ ମିତ୍ତଲ, ମନୋଜ ମିଶ୍ର ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ହୋଇଥିଲା ଏହି ବେଞ୍ଚ। ତେବେ ପଛୁଆବର୍ଗଙ୍କ ମଧ୍ୟରେ ଅଧିକ ପଛୁଆବର୍ଗଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାନଗଲେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ଲାଭବାନ ହେବା ସହ ଅନ୍ୟ ବର୍ଗଟି ଏଇ ସୁବିଧାରୁ ବଞ୍ଚିତ ହେବେ।