ଭୁବନେଶ୍ଵର: ତାତିରେ ଜଳୁଛି ସମଗ୍ର ଓଡିଶା । ୨୨ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ । ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ବର ଓ ପୁରୀରେ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ସେଲସିୟସ ଯାଏଁ ରହିବ । ଉପକୂଳରେ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅସହ୍ୟ ହେବ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟିଟିଲାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳରେ ୪୦ ରୁ ୪୫ ଡିଗ୍ରୀ ସେଲସିୟସ ଯାଏ ରହିପାରେ ବୋଲି ପୂର୍ବ ଆକଳନ କରିଛି ପାଣିପାଗ ବିଭାଗ ।
ସେପଟେ, ହିଟୱେଭ୍ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ନୂଆ ଏସଓପି ଜାରି ହୋଇଛି । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେସିଂରେ ବୈଠକ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଅବଶ୍ୟକତା ଠାରୁ ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ୍ ଆଶ୍ରୟସ୍ଥଳୀ ନିର୍ମାଣ କରିବେ ରାଜ୍ୟ ସରକାର । ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗରମ ସମୟ। ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବେ । ଯାତାୟତ କରିବାର ରାସ୍ତାରେ ଡ୍ରାଇଭର ପାଇଁ ବିଶ୍ରାମ, ORS,ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ସକୁ ସତର୍କ କରାଯାଇଛି । ଅଘଟଣ ହେଲେ ୨୦ ମିନିଟରେ ଆମ୍ବୁଲାନ୍ସ ପହଞ୍ଚିବ ।
ହିଟୱେଭ ଥିବା ଜାଗାରେ କୌଣସି ଗାଡି ଚାଲିଲେ କିମ୍ବା AC ନଥିବା ଗାଡ଼ିରେ କାହାର ଅସୁବିଧା ହେଲେ ମାଲିକ ଦାୟୀ ରହିବେ । ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତିପୂରଣ ଦିଆଯିବ । ରିପୋର୍ଟ ପାଇବାର ୨୪ ଘଣ୍ଟା ଭିତରେ ପଇସା ମିଳିବ ବୋଲି କୁହାଯାଇଛି ।
ଜିଲ୍ଲାପାଳ ଚାହିଁଲେ ଏସଓପି ବାହାରେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି । ସ୍କୁଲ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସହ ରାଜସ୍ବ ବିଭାଗ କଥା ସରିଛି। ଯେଉଁଠି ତାତି ବଢୁଛି ସେଠି ସ୍କୁଲ ଛୁଟି ପାଇଁ ଜିଲ୍ଲପାଳଙ୍କୁ କ୍ଷମତା ଦିଆଯାଇଛି ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି ।