ଭୁବନେଶ୍ୱର: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏହି ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଦେଇଛି । ମହାରାଷ୍ଟ୍ର, ଓଡ଼ିଶା ଏବଂ ବିହାରରୁ ୪ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ରରୁ ୨ ଜଣ, ଓଡ଼ିଶାରୁ ଜଣେ ଏବଂ ବିହାରରୁ ଜଣଙ୍କୁ ଗିରଫ କରାଯାଇଛି ।
ତେବେ ଓଡିଶାରୁ ଗିରଫ ହୋଇଥିବା ଆତଙ୍କୀ ଜଣକ ଶେଖ୍ ଇମ୍ରାନ (୨୨) ବୋଲି ଜଣାପଡ଼ିଛି । ଯୁବକମାନେ ‘ଗଜୱା-ଏ-ହିନ୍ଦ’ ରେ ସାମିଲ ହେବାକୁ ଯୋଜନା କରୁଥିଲେ । ଅନ୍ୟ ରାଜ୍ୟରୁ ଗିରଫ ହୋଇଥିବା ଆତଙ୍କୀ ମାନେ, ମହମ୍ମଦ ହମାଦ (୧୯), ମହମ୍ମଦ ସୋହିଲ (୨୩) ଏବଂ ମୋସାଇବ ଅହମ୍ମଦ (୩୨) ।
ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ଆତଙ୍କବାଦୀ ବିଚାରଧାରା, ଜିହାଦ ଏବଂ ଅସ୍ତ୍ରଶସ୍ତ୍ର ବିଷୟରେ ଆଲୋଚନା କରୁଥିବା ଗୁପ୍ତ ସୋସିଆଲ ମିଡିଆ ଗୋଷ୍ଠୀରେ ସାମିଲ ଥିଲେ । ଏହି ଗୋଷ୍ଠୀ ମାଧ୍ୟମରେ ସେମାନେ ନୂତନ ସଦସ୍ୟଙ୍କୁ ଯୋଡିବା ସହ ଉସୁକାଉଥିଲେ । ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇଜଣ ଏକ ରିମୋଟ-ନିୟନ୍ତ୍ରିତ IED ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଥିଲେ । ସେମାନେ ପୂର୍ବରୁ ବଲ ବିୟରିଂ, କଣ୍ଟା ଏବଂ ଖେଳଣା କାର ସମେତ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରିସାରିଥିଲେ । ଅଭିଯୁକ୍ତମାନେ QR କୋଡ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଜିହାଦୀ କାର୍ଯ୍ୟକଳାପ ପାଇଁ ପଇସା ଯୋଗାଡ଼ କରୁଥିଲେ ।
ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଗତ ଡିସେମ୍ବରରେ ଲାଲକିଲ୍ଲା ଏବଂ ଇଣ୍ଡିଆ ଗେଟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲା । ସେ ଲୋକମାନଙ୍କୁ ଉସୁକାଇବା ପାଇଁ ସୋସିଆଲ ମିଡିଆରେ ଲାଲକିଲ୍ଲାର ଫଟୋ ସହିତ ଆପତ୍ତିଜନକ ପୋଷ୍ଟ ମଧ୍ୟ ଶେୟାର କରିଥିଲା ।