Latest Odisha News

BREAKING NEWS

ଅନାବୃଷ୍ଟି ଜନିତ ପରିସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ

ଭୁବନେଶ୍ବର : ଅନାବୃଷ୍ଟି ଜନିତ ପରିସ୍ଥିତିର ସମୀକ୍ଷା ପାଇଁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି । କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି । କ୍ଷେତ୍ର ଅଫିସରମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ ନିୟମିତ ସମ୍ପର୍କ ରଖିବା ଦରକାର । ଦରକାର ପଡ଼ିଲେ ଜମି ପାଖକୁ ଯିବାକୁ ନିର୍ଦ୍ଦେଶଳ ଦେଇଛନ୍ତି କୃଷିମନ୍ତ୍ରୀ ।

ପଞ୍ଚାୟତ ଓ ବ୍ଲକ ସ୍ତରରେ ନିଜ ଅଞ୍ଚଳର ଜଳ ନିଧି, ସୌର ଜଳ ନିଧି ଉଠା ଜଳସେଚନ, ଅନ୍ୟ ଉଠା ଜଳସେଚନ, କ୍ଷେତ ପୋଖରୀ, କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ସବୁର ତଥ୍ୟ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏଥିପାଇଁ କିଛି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ, ଆଉ କେଉଁ ଗୁଡିକ ଚାଲୁ, ଅଚଳ, ମରାମତି ଯୋଗ୍ୟ, ବିଜୁଳୀ ସଂଯୋଗ ବିଛିନ୍ନ ଓ ସଂପୂର୍ଣ୍ଣ ଅଚଳ ଅଛି, ତାର ତଥ୍ୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ଅନାବୃଷ୍ଟି ସମୟରେ କୌଣସି ଅଧିକାରୀଙ୍କର ମୋବାଇଲ ବନ୍ଦ ନକରିବାକୁ କୁହାଯାଇଛି । ଯେକୌଣସି ସମୟରେ ପଚାରିଲେ ବିବରଣୀ ପ୍ରଦାନ ପାଇଁ ପ୍ରସ୍ତୁତ ରୁହନ୍ତୁ । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସପ୍ତାହର ୭ ଦିନ ନିଜ କାର୍ଯ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ପାଇଁ ଫସଲ ବିବିଧିକରଣ ଓ ସମନ୍ବିତ କୃଷି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ଆପାତ କାଳୀନ ଯୋଜନା ପ୍ରସ୍ତୁତ କରନ୍ତୁ । ଏଥିରେ ସ୍ବଳ୍ପ ମିଆଦି ଓ ମଧ୍ୟମ ମିଆଦି ଯୋଜନା ରହିବା ଦରକାର । ଆବଶ୍ୟକ ଇନପୁଟ ପାଇଁ ଜଣାଇବା ସହ ଜଳ ଯୋଗାଣ ସୁବିଧା ଥିଲେ ଜଳସଂପଦ ବିଭାଗ ସହ ଯୋଗାଯୋଗ କରିବାକୁ କହିଛନ୍ତି କୃଷିମନ୍ତ୍ରୀ ।

ଅନାବୃଷ୍ଟି ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରତି ଶନିବାର ଦିନ ବ୍ଲକ ଓ ଜିଲ୍ଲାସ୍ତରରେ ସମସ୍ତ ପାଞ୍ଚଟି ବିଭାଗର ସମୀକ୍ଷା ବୈଠକ କରାଯିବ । ଉଚ୍ଚସ୍ତରୀୟ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଶାସନ ସଚିବଙ୍କ ସମେତ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକଙ୍କ ସହ ବରଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.