କୋଲକାତା : କୋଲକାତା ଆରଜି କର ରେପ- ମର୍ଡର ମାମଲାରେ ସିୟାଲଦହ କୋର୍ଟର ବିଚାରପତି ଅନିର୍ବାଣ ଦାସ ଶନିବାର ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏନେଇ ସୋମବାର ସଜ୍ଜା ଶୁଣାଇବେ କୋର୍ଟ । ମୋବାଇଲ ଟାୱାର ଓ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଆଧାରରେ କୋର୍ଟ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଟ୍ରେନି ଲେଡି ଡକ୍ଟରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି କୋର୍ଟ ସାମ୍ନାରେ କିଛି ଲୋକ ନାରାବାଜି କରିଥିଲେ। ସଞ୍ଜୟ ରାୟକୁ ଅତି କମରେ ୧୦ ବର୍ଷ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ମଧ୍ୟ ହୋଇପାରେ ବୋଲି ନ୍ୟାୟାଧୀଶ କହିଛନ୍ତି।
ସୂଚନା ଅନୁସାରେ, ୮ ଅଗଷ୍ଟ ରାତି ସମୟରେ ଆରଜି କର ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲର ଲେଡି ଡାକ୍ତରଙ୍କ ହତ୍ୟା ପରେ ସଞ୍ଜୟ ରାୟକୁ କୋଲକାତା ପୋଲିସ ଗିରଫ କରିଥିଲା। ପରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲାର ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ । ଏହି ମାମଲାରେ ସଞ୍ଜୟକୁ ଏକମାତ୍ର ଅଭିଯୁକ୍ତ ଦର୍ଶାଇଥିଲା ସିବିଆଇ। ସଞ୍ଜୟକୁ ବିଏନଏସ ଧାରା ୬୪ , ୬୬ ଓ ୧୦୩(୧) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି।
ମାମଲା ଶୁଣାଣି ସମୟରେ ବିଚାରପତି ସଂଜୟକୁ କହିଥିଲେ, ସିବିଆଇ ଓ ପ୍ରମାଣ ଅନୁସାରେ ମୁଁ ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରୁଛି। ଆପଣଙ୍କର ଅଧିକତମ ସଜ୍ଜା ମୃତ୍ୟୁଦଣ୍ଡ ହୋଇପାରେ।
ସଞ୍ଜୟ ରାୟକୁ ମିଳିବ କେଉଁ ସଜ୍ଜା ?
ବିଏନଏସ ୬୪ : ବଳାତ୍କାର ପାଇଁ ଏହି ଧାରାର ବ୍ୟବହାର ହୋଇଥାଏ। ଏହି ଧାରା ଅନୁସାରେ ଦୋଷୀକୁ ସର୍ବନିମ୍ନ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ। ଅଧିକତମ ଭାବରେ ୧୦ ବର୍ଷରୁ ଅଧିକ ଜେଲ ଦଣ୍ଡ ସହ ଜରିମାନା ମଧ୍ୟ ଏହି ଧାରା ଅନୁଯାୟୀ ଲଗାଯାଇଥାଏ।
ବିଏନଏସ ୬୬ : ବିଏନଏସ ୬୬ ଅନୁସାରେ ବଳାତ୍କାର ସମୟରେ ପୀଡିତା ଅକ୍ଷମ ହେଲେ କିମ୍ବା ମୃତ୍ଯୁବରଣ କଲେ ସର୍ବନିମ୍ନ ୨୦ ବର୍ଷ ଜେଲଦଣ୍ଡ ହୋଇଥାଏ। ଅନ୍ୟପକ୍ଷରେ ଅଧିକତମ ଭାବରେ ଏହି କାରାଦଣ୍ଡ ଆଜୀବନ ମଧ୍ୟ ହୋଇପାରେ।
ବିଏନଏସ ୧୦୩(୧): ଏହି ଧାରା ହତ୍ୟା ସମ୍ବନ୍ଧିତ ହୋଇଥାଏ। ହତ୍ୟାକାଣ୍ଡର ଦୋଷୀକୁ ଏହି ଧାରା ଅନୁସାରେ ଆଜୀବନ ଜେଲ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଇଥାଏ।
Comments are closed.