Latest Odisha News

ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କାର ଟିକସ ପୈଠ କରିବାକୁ ଆଇଟିର ନୋଟିସ

ମଥୁରା: ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କାର ଟିକସ ପୈଠ କରିବାକୁ ଆୟକର ବିଭାଗ ନୋଟିସ ଜାରି କରିଛି। ବିଶ୍ବାସ ନ ହେଉଥିଲେ କଥାଟି ସତ। ଉତ୍ତରପ୍ରଦେଶ ମଥୁରାରୁ ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ମଥୁରାର ଜଣେ ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କା ଟିକସ ପୈଠ କରିବାକୁ ଆୟକର ବିଭାଗ ନୋଟିସ କରିଥିବା ଜଣାପଡ଼ିଛି। ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରି ରିକ୍ସା ଚାଳକ ଜଣକ ପୋଲିସର ସହାୟତା ଲୋଡିଛନ୍ତି।

ସୂଚନା ଅନୁଯାୟୀ ମଥୁରାର ବକାଲପୁର ଅଞ୍ଚଳର ଅମର କଲୋନୀର ବାସିନ୍ଦା ପ୍ରତାପ ସିଂ ହାଇୱେ ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଛନ୍ତି। ଏହାସହିତ ଆଇଟି ବିଭାଗର ନୋଟିସ ପାଇବା ପରେ ଏହା ପଛରେ ଠକେଇ ଦାବି କରିଛନ୍ତି ପ୍ରତାପ।

ରିପୋର୍ଟ ଅନୁଯାୟୀ ପ୍ରତାପଙ୍କ ଅଭିଯୋଗକୁ ଭିତ୍ତି କରି କୌଣସି ମାମଲା ରୁଜୁ କରାଯାଇ ନାହିଁ କିନ୍ତୁ ପୋଲିସ୍ ଏହି ଘଟଣାର ତଦନ୍ତ କରିବ ବୋଲି ଜଣାପଡ଼ିଛି। ପ୍ରତାପ ସୋସିଆଲ ମିଡିଆରେ ଘଟଣାର କ୍ରମ ବିଷୟରେ ଏକ ଭିଡିଓ କ୍ଲିପ୍ ଅପଲୋଡ୍ କରିଥିଲେ।

ବାକାଲପୁରରେ ଥିବା ଜନ ସୁବିଧା କେନ୍ଦ୍ରରେ ପ୍ରତାପ ସିଂହ ମାର୍ଚ୍ଚ ୧୫ ତାରିଖରେ ନିଜର ପାନ କାର୍ଡ ପାଇଁ ଆବେଦନ କରିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତାପଙ୍କୁ ପାନ କାର୍ଡ ଦାଖଲ ପାଇଁ କହିଥିବାରୁ ସେ ଏପରି କରିଥିଲେ।

ଆବେଦନର କିଛି ଦିନ ପରେ ସଞ୍ଜୟ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସେ ପାନ କାର୍ଡର ଫଟୋ କପି ପାଇଥିଲେ। ତେବେ ସେ ପାଠ ପଢ଼ି ନଥିବାରୁ ମୂଳ କପି ଓ ଫଟୋ କପି ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ପାରି ନଥିଲେ। ସେ ପାଇଥିବା ପାନ କାର୍ଡର ଫଟୋ କପିକୁ ମୂଳ କପି ବୋଲି ଭାବି ନେଇଥିଲେ।

ଅକ୍ଟୋବର ୧୯ରେ ଆୟକର ବିଭାଗ ପକ୍ଷରୁ ତାଙ୍କୁ ଫୋନ କଲ ଆସିଥିଲା। ଏହି ସମୟରେ ତାଙ୍କୁ ୩,୪୭,୫୪,୮୯୬ ଟଙ୍କା ଦେବାକୁ କୁହାଯାଇଥିଲା। ଏହାପରେ ତାଙ୍କ ଠିକଣାରେ ଗୋଟିଏ ନୋଟିସ୍‌ ପହଞ୍ଚିଥିଲା। ସେଥିରେ ଟଙ୍କା ଦାଖଲ କରିବା ପାଇଁ କୁହାଯାଇଥିଲା ବୋଲି ସେ କହିଥିଲେ।

ତାଙ୍କ ନାଁରେ ବ୍ୟବସାୟ କରିବା ପାଇଁ ଜିଏସ୍‌ଟି ନମ୍ବର ରହିଥିବା ଆୟକର ବିଭାଗର ଅଧିକାରୀ କହିଛନ୍ତି। ଏଥିସହ ୨୦୧୮-୧୯ରେ ସେ କରୁଥିବା ବ୍ୟବସାୟର ଟର୍ଣ୍ଣ ଓଭର ୪୩,୪୪,୩୬,୨୦୧ ଟଙ୍କା ରହିଥିଲା। ତେଣୁ ତାଙ୍କୁ ଟିକସ ବାବଦରେ ୩ କୋଟିରୁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ଆୟକର ବିଭାଗ କହିଥିବା କହିଛନ୍ତି ପ୍ରତାପ।

Leave A Reply

Your email address will not be published.