ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିଠି ଲାଗି ଚିଠି 

ପରିସ୍ଥିତି ଦରକାର କରୁଥିବା କଥାକୁ ସଠିକ ବଖାଣି ପାରେନି ବୋଲି ଛୁଆବେଳୁ ଲେଖି ବସିଲି ଚିଠି । ରାଗି ଯାଉଥିବା ନନାଙ୍କୁ ଚିଠି , ମାଡ଼ ଦେଉଥିବା ବୋଉକୁ ଚିଠି , ଅକାରଣରେ ମାଡ଼ ଖୁଆଉଥିବା ସହପାଠୀଙ୍କୁ ଚିଠି , ପିଲାଙ୍କ କଥାରେ ମୋ ପିଠିରେ କୁଆଛୁଆ ଉଡ଼ିଗଲା ଭଳି ମାଡ଼ କୁଢ଼ଉଥିବା ମାଷ୍ଟ୍ରଙ୍କୁ ଚିଠି , ମୁହଁରେ ଈଶ୍ୱରୀୟ ହସ ଖେଳେଇ ଗଛରେ ଚଢି ଫୁଲ ତୋଳିବାକୁ ଅନୁମତି ଦେଉଥିବା ଗୃହକର୍ତ୍ତୀଙ୍କୁ ଚିଠି , ଟମାଟୋଟେ ଲୋଭରେ ନେଇ ଯାଇଥିବା ବାୟାଣୀକୁ ଗୋଡେଇ ଗୋଡେଇ କଦଳୀ କାନ୍ଧିର ଦଣ୍ଡାରେ ପିଟୁଥିବା ଦୋକାନୀ ଦାଦାକୁ ଚିଠି , ଜହ୍ନକୁ ଚିଠି , ଜଗନ୍ନାଥଙ୍କୁ ଚିଠି, ଅନୁଶାସନର କଠୋରତାରେ ଅଭିମାନରେ ମୁହଁ ଫୁଲେଇଥିବା ଶିକ୍ଷକ  ଶିକ୍ଷାର୍ଥୀଙ୍କୁ ଚିଠି , ଅଳିଆ ଗଦେଇଲା ଭଳି ଅସଂଖ୍ୟ ଅଭିଯୋଗକୁ ମୋ ମୁଣ୍ଡରେ କୁଢେଇ ମୋତେ ଭୟଙ୍କର ଭାବରେ ଅପମାନିତ କରୁଥିବା ତଥାକଥିତ ସମ୍ପର୍କୀୟଙ୍କୁ ଚିଠି , ଆଗମୁହାଁ ହୋଇ ପଛେଇ ପଛେଇ ଅଦୃଶ୍ୟ ହୋଇଯାଉଥିବା ମୋର ଏକଦା ଅନ୍ତରଙ୍ଗ ମଣିଷଙ୍କୁ ଚିଠି , ଗଳ୍ପ ଉପନ୍ୟାସର ଚରିତ୍ରଙ୍କୁ ଚିଠି , ସେମାନଙ୍କୁ ତିଆରି କରିଥିବା ସ୍ରଷ୍ଟାଙ୍କୁ ଚିଠି ସବୁ ଲେଖିଯାଏ , ଲେଖିହୋଇଯାଏ ।
ଚିଠି ଲେଖେ ବା ଲେଖିପାରେ ଯେହେତୁ ମୋତେ ଅକ୍ଷର ଜଣା । ଭାଷା ତ ମିଳିଯାଇଛି ଐତିହ୍ୟ  ଉତ୍ତରାଧିକାର ଭିତ୍ତିରେ । କିଛି ଚିଠି ପଠେଇବାର ସାହସ କରେ । କିଛି ଚିଠି ମୁହଁ ମାଡ଼ି ପଡ଼ି ସଢୁଥାଏ ଲୁହ ଏବଂ କୋହରେ ଆଉ କିଛି ଉଲୁକୁମୁତାଙ୍କ ଭଳି ରବେଇ ଖବେଇ ହେଉଥାନ୍ତି ଡାଏରୀର ଫର୍ଦ୍ଦମାନଙ୍କରେ । କିଏ ସବୁ ଉଡ଼ିବେ ଉଡ଼ିବେ ହୋଇ ବାନ୍ଧି ହୋଇଥାନ୍ତି ଡେଣାକଟା ଚଢ଼େଇଙ୍କ ଯନ୍ତ୍ରଣାରେ ଆଉ କିଏ ସବୁ ବାସ୍ନା ହୋଇ ଚହଟୁଥାନ୍ତି ନୂଆ ନୂଆ ଅନୁଭବର କନ୍ଦିଅକନ୍ଦିରେ । ଅଧିକାଂଶ ଚିଠି ଦିନ ରାତି ନମାନି ବାୟବୀୟ ରୂପ ନେଇ ଖୁବ୍ ଡରାନ୍ତି , ଧୁମ୍ କନ୍ଦାନ୍ତି ବେଳଅବେଳରେ । ମୁଁ ଯେ ସେଇଠି ରୁନ୍ଧି ହୋଇ ଯାଉଥାଏ ଚିଠି ଭିତରୁ ଅଜଗର ଭଳି ଭିଡିମୋଡ଼ି ହେଉଥିବା ପ୍ରଶ୍ନ , ପ୍ରତିପ୍ରଶ୍ନରେ । ଆଜନ୍ମ ଡରକୁଳୀ ମୋର ମନ ଅଜାଣତରେ ରାସ୍ତା ଖୋଜି ହେଉଥାଏ ଅନ୍ୟ କେଉଁ ଚିଠିର ଆକର୍ଷଣ ଉଦ୍ଦେଶ୍ୟରେ ।

ମୋତେ କିନ୍ତୁ ଚିଠି ଆସେନି ଯେମିତି ଆସେ ମୋର ବାନ୍ଧବୀମାନଙ୍କ ପାଖକୁ ମହାବିଦ୍ୟାଳୟରେ ପଢୁଥିଲାବେଳେ। ରଙ୍ଗ ବେରଙ୍ଗର କାର୍ଡରେ , ଚିତ୍ରବିଚିତ୍ର କାଗଜରେ ଅଳ୍ପ ଅକ୍ଷର ଥିବା ସୁଦୃଶ୍ୟ ଚିଠି । ଚିଠି ସହ ଉପହାରମାନ ଝଟକୁଥାଆନ୍ତି ଆହୁରି ଆକର୍ଷଣୀୟ , ଈର୍ଷଣୀୟ ହୋଇ। କେଉଁଠି କେମିତି ଚିଠି କେଇଟା ପଠେଇଥିଲି ପ୍ରବଳ ଉତ୍କଣ୍ଠାରେ ପ୍ରିୟ କବି/ ଗାଳ୍ପିକଙ୍କୁ ଅତୀତରେ ଯେ ସେ ଆବେଗର ବାସ୍ନା ମୋ ପାଖକୁ ଫେରିଥିଲା ପଚା ମାଂସର ଗନ୍ଧ ହୋଇ । ଇଡିଗଲା ତେଣିକି ଚିଠି ପଠେଇବାର ନିଶା – ପାଣି ଭଳି । ଚିଠି ମୋ’ ମୁତାବକ ମୋ’ ପାଖକୁ କେବେ ଆସିନି ଅପ୍ରତ୍ୟାଶିତ ଭାବରେ ଚମକଟେ ଦେଇ । ଯାହାଙ୍କୁ ନଦେଖି କେବଳ ବ୍ୟକ୍ତିତ୍ୱ ଏବଂ ଜ୍ଞାନ ବିଷୟରେ ଗୃହକର୍ତ୍ତା ବିଶିଷ୍ଟ ଗାଳ୍ପିକ ବିଜୟକୃଷ୍ଣ ମହାନ୍ତିଙ୍କଠାରୁ ଶୁଣି ଶୁଣି ଆଣ୍ଠେଇ , ପେଟେଇ ବିଭୋର ହୋଇ ତନ୍ମୟତା ସହକାରେ ବର୍ଷେ କାଳ ଚିଠି ହିଁ ଲେଖିଲି ସେ ଚିଠି ଗଦାକ ତ ନେଲେ ପରମ ସମ୍ମାନରେ ପ୍ରଥମ ଦେଖାରେ କିନ୍ତୁ ତାପରେ ତାଙ୍କର ମୋତେ ଦେଖି ହୁରୁଡ଼ିବା ଏବଂ ପ୍ରତିକ୍ରିୟାରେ ବିରୁଡ଼ିଆ ବ୍ୟବହାର ଦେଖେଇବାରେ ବୁଝିଲି ମୋର ଆବେଗ , ଭାବପ୍ରବଣତା କି ଅନୁରାଗ ବେଶି ଫିଲ୍ମୀ ହୋଇଗଲା । କବିଙ୍କୁ ତିଳେ ମାତ୍ର ହଲଚଲ କରି ପାରିଲା ନାହିଁ । ସେ ଯାହାହେଉ ଦେଢ଼ ବର୍ଷ ନିଜେ ନିଜର ପୈତୃକ ପରିବାର , ସାଙ୍ଗସାଥୀଙ୍କ ସହ ମିଳିତ ପରିଶ୍ରମ କଲା ପରେ ଜୀବନସାଥୀ ଭାବରେ ପାଇଗଲି ସିନା ଚିଠି କେଉଁ ମିଳିଲା ? ମୁଁ ରହୁଥିବା ସହରକୁ ଯେଉଁ ଚିଠି ଗଲା ତାଙ୍କଠାରୁ ସେଥିରେ ଦର୍ଶନ ଅଧିକ ଥିଲା ସଂକ୍ଷିପ୍ତ କଳେବରରେ ଓଜନିଆ ହୋଇ । ମୁଁ ଯାହା ମୋ’ ବ୍ୟାକୁଳତାର ଉଚ୍ଛ୍ୱାସ ନେଇ ଇଥର ଥରି ଯାଉଥିବାର କଳ୍ପନାରେ ଖାଲି ବିହ୍ଵଳ ହେଉଥିଲି ।

ମୁଁ ରହୁଥିବା ହଷ୍ଟେଲକୁ ଚିଠି ଲେଖୁଥିଲା ମୋ’ ବଡ଼ ଭାଇନା ପ୍ରତି ସପ୍ତାହରେ ଉପଦେଶବିହୀନ ଆମୋଦପ୍ରଦ ଚିଠି । ସୁନ୍ଦର ହସ୍ତାକ୍ଷରରେ ମୋ’ ପ୍ରିୟ କୁକୁର କଥା , ଲଗେଇଥିବା ଗଛ , ଗାଁ ଲୋକଙ୍କ କଥାକୁ ବନେଇ ଚୁନେଇ ଭାଇନା ଲେଖୁଥିଲା ଲମ୍ବା ଲମ୍ବା ଚିଠି । ତା’ ଚିଠି ଆସିଲା ମାନେ ମୁଁ ଡିଆଁକୁଦା ମାରି ମୋତେ ଶ୍ରଦ୍ଧା କରୁଥିବା ଅନ୍ତେବାସିନୀଙ୍କୁ ପଢେଇ ଆସୁଥିଲି ବଡ଼ ତତ୍ପରତାର ସହ । ଏବେ ଏବେ ସାହିତ୍ୟକ୍ଷେତ୍ରରେ ଅର୍ଜନ କରିଥିବା କିଛି ବାନ୍ଧବୀ କୁହନ୍ତି ପ୍ରବଳ ଚିଠି ଆସେ ତାଙ୍କ ପାଖକୁ ଉତ୍ସାହ ଏବଂ ପ୍ରେରଣାରେ ଭର୍ତ୍ତି ହୋଇ । ମୋତେ କେହି ଦିଅନ୍ତିନି ବୋଧହୁଏ ଏଇଥିପାଇଁ ଯେ ମୋ’ ଲେଖା ତାଙ୍କୁ ଚିଠି ଲେଖିବାକୁ ପ୍ରେରିତ କରି ପାରେନି । ଭଲ ଲେଖା ଲେଖିବା ଲାଗି ଆଗ୍ରହ ସିନା ଅଛି ମୁଣ୍ଡରେ ମସଲା ଥିଲେ ତ ! ଆପଣା ନିଷ୍ପତ୍ତି ଶୁଣେଇଲା ବେଳେ କାକୁସ୍ଥ ସହକର୍ମୀଙ୍କୁ ଏକୁଟିଆ ଡାକି ଯଥାସମ୍ଭବ ସରାଗ ଦେଖେଇ କେତେଥର କହିଛି , “ସାମ୍ନାରେ କହିବାକୁ ସାହସ ହେଉନି ଯଦି ଚିଠି ଲେଖି ପ୍ରତିରୋଧ କରିପାର “। ସେ ହେଲାନି । ଛୁଆଙ୍କୁ କହିଲି, ” ମୋତେ ଚିଠି ଲେଖ ଉପହାର ବଦଳରେ “। ପିଲାଏ ‘ମାଇଁ ପ୍ରିନସିପାଲ’ ଉପରେ ସାତ ଆଠ ଧାଡ଼ିଆ ପ୍ରବନ୍ଧ ଲେଖି ଆଣିଲେ ଅଭିଭାବକଙ୍କ ସହାୟତାରେ ଏବଂ ଯିଏ ନପାରିଲା ରାଇମସ୍ ବହିରୁ ଉତ୍ତାରି ଆଣିଲା ରାଇମସ୍ । ପୃଥିବୀର ସବୁଠୁ ସୁନ୍ଦର ଧାଡ଼ି଼ ‘ ଆଇ ଲଭ ୟୁ ‘ ଲେଖି କେଉଁ କେଉଁ ଛୁଆ ଫାଳ ଫାଳ କାଗଜ ଭର୍ତ୍ତି କରି ଆଣିଲେ । ସେ ସବୁ ପ୍ରାୟୋଜିତ ଥିଲା ତେଣୁ ତାକୁ ପାଇ ଆତ୍ମା ଆନନ୍ଦିତ ଦେବାର ଯୁ’ ନଥିଲା । ଆକସ୍ମିକ , ଅପ୍ରତ୍ୟାଶିତ , ଚମକପ୍ରଦ କିଛିର ଅପେକ୍ଷାରେ ଚିଠି ପାଇବାର ଲୋଭ ସ୍ମାର୍ଟ ଫୋନ ଭିତରକୁ ଡ଼େଇଁ ଆସିଲା । ସେଠି ତ ଖବର ଦିଆ ନିଆର ଯାନ୍ତ୍ରିକ କସରତ କେବଳ ।
ମୋତେ କବିତା ଭଳି , ଚିତ୍ର ଭଳି ଆକର୍ଷିତ କରିଥାନ୍ତା ତୁମ ଚିଠି କିନ୍ତୁ ଦେଖ ଆଗୁଆ ଈଶ୍ୱର କୌଣସି ନା କୌଣସି ବାହାନା ଦେଖେଇ ଅଟକେଇ ଦେଲେ ସେଇପଟର କଲମର କାଳି । ଆଉ ସେହି ଆତଙ୍କରେ ସ୍ଥିର ହୋଇଗଲା ଅକ୍ଷର । ଦିନକୁ ହଜାରବାର କହିଥିବି “ଚାଲ ଚିଠି ଲେଖିବା ପରସ୍ପରକୁ । ସକାଳ ଆସିବ ଚିଠି ସହ ।” ମନା ନଥାଏ , ମନ ଥାଏ କିନ୍ତୁ ଲେଖା ହୋଇ ପାରେନି ଚିଠି । ଚିଠି ନିଜେ ଲେଖେଇ ହେବାର ବ୍ୟାକୁଳତାରେ ସମର୍ପିତା ହୋଇଥାଏ ।

ଅପେକ୍ଷାରେ ପଥର ପାଲଟି ଆସୁଥିବା ସ୍ନାୟୁମାନଙ୍କୁ ସଙ୍କୁଚିତ ପ୍ରସାରିତ ହେବାର ସୁଯୋଗ ଦେଇ ତୁମ ଚିଠି ନିଶ୍ଚୟ ଆସିବ ଜହ୍ନରେ ଦୋଳି ଖେଳି ଖେଳି । ମହ ମହ ବାସୁଥିବା ହାତ ତିଆରି ଫୁଲଙ୍କ ଚିତ୍ର ସହ କବିତାର ରଙ୍ଗରେ ରଙ୍ଗେଇ ହୋଇଥିବା ଚିଠି ତୁମର ନିଶ୍ଚୟ ମିଳିବ । ମୋତେ ଦେଖେଇ ନଥିବା ଆବେଗ ଏବଂ ତୁମ ଅବରୁଦ୍ଧ ସୁକୁମାରତା ଝାଙ୍କି ନେଇଯିବ କିଛି କ୍ଷଣ ପାଇଁ ଏହି ଦିନମାନଙ୍କଠାରୁ ଯେଉଁଠି ବ୍ୟକ୍ତିସତ୍ତା ତିଆରି କରି ମୁଁ ଲେଖି ଯାଉଛି ଅପର୍ଯ୍ୟାପ୍ତ ଚିଠି ଉତ୍ତରର ଅପେକ୍ଷା ନରଖି । କିନ୍ତୁ ବନ୍ଦ ଲଫାପାରେ ରହସ୍ୟମୟ ଅକ୍ଷରମାନଙ୍କ ଚିତ୍ରିତ ଅନୁରାଗ ଏହି ଖୋଲା ସ୍ଥାନରେ କେତେ ବା ସମ୍ଭବ !!! ଜୀବନର ରଙ୍ଗକୁ ଅକ୍ଷର ଉପରେ ବୋଳି ମୋ ପାଖକୁ ଲେଖିବ ଚିଠି ? ଚିଠି ଦେବ ??
ତୁମର “ମୁଁ “