Latest Odisha News

BREAKING NEWS

ଅଧିକାର ଓ ଦାୟିତ୍ୱବୋଧ

ମହିଳାଙ୍କୁ ନେଇ କେତେ କଥା କେତେ ଆଲୋଚନା ତାର ଆଉ ଅନ୍ତ ନ ଥାଏ, କାରଣ ସୃଷ୍ଟିର ଆରମ୍ଭରୁ ନାରୀକୁ ନେଇ କି ହିଁ ସବୁକଥାର ଆରମ୍ଭ ହୋଇଛି । ନାରୀ ଏମିତି ଗୋଟିଏ ଶବ୍ଦ ଯାହା ବିନା ସବୁକିଛି ଅଧା ଲାଗେ, ଯେମିତି ଘରୁ ଝିଅ, ସ୍ତ୍ରୀ, ମା’ ଏଇ ଚରିତ୍ରମାନେ ଆମର ଦୈନନ୍ଦିନ ଜୀବନରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥାନ୍ତି, ତାଙ୍କ ବିନା ଗୋଟିଏ ପରିବାର ପୁରା ଅସମ୍ପୂର୍ଣ୍ଣ ହୋଇଯାଏ ।

ପୁରା ସମାଜ ଆମ ବିନା ଅସମ୍ପୂର୍ଣ୍ଣ ବୋଲି ଆମେ ପିଲା ବେଳୁ ଶୁଣି ଆସିଛେ । କିନ୍ତୁ କାହିଁ କେଜାଣି ମନରେ ବହୁତ ପ୍ରଶ୍ନ ଆସେ ଆମମାନଙ୍କର ଭୂମିକା ଏତେ ଅଧିକ ଯେ ସମାଜରେ ତା’ର କିଛି ପଟାନ୍ତର ନାହିଁ । ପୁଣି ସେଇ ସମାନ ପ୍ରଶ୍ନ ମନରେ ପ୍ରତି ମୁହୂର୍ତ୍ତରେ ଆସେ ନାରୀଟିଏ କାହିଁକି ଆଜି ଅବହେଳିତ ? ଏ ପ୍ରଶ୍ନ ମୋତେ ନୁହେଁ ଅନେକଙ୍କୁ ଆନ୍ଦୋଳିତ କରେ । ଅଧିକାରର ଯଦି କଥା କହିବା ଆମ ସମ୍ବିଧାନରେ ନାରୀମାନଙ୍କ ପାଇଁ ଏତେ ଅଧିକାରର କଥା ଉଲ୍ଲେଖ ଅଛିଯେ, ସମାଜ ପାଇଁ ତାହା ବହୁତ ଶିକ୍ଷଣୀୟ । ସସମ୍ମାନରେ ବଞ୍ଚିବାର ଅଧିକାର ଆମକୁ ମିଳିଛି ସତ, କିନ୍ତୁ ଆଜି କ’ଣ ଆମେ ସସମ୍ମାନେ ବଞ୍ଚିପାରୁଛେ ? ଯଦି ଉତ୍ତର ଖୋଜିବା ତା’ହେଲେ ଅଧିକ ଉତ୍ତର ନା’ର ସପକ୍ଷରେ ଯିବ ।

ସମ୍ମାନ ଆଉ ସୁରକ୍ଷା କଥା ଯଦି କହିବା ତା’ ପାଇଁ ମଧ୍ୟ ପ୍ରତି ମୁହୂର୍ତ୍ତରେ ବହୁତ ଗୁଡ଼ିଏ ପରିବର୍ତ୍ତନ ମଧ୍ୟ ଆଇନ୍‌ରେ ହେଉଛି । ମହିଳାମାନଙ୍କୁ ଆଉ ଅଧିକରୁ ଅଧିକ ସଶକ୍ତ କରିବା ପାଇଁ ପ୍ରତି କ୍ଷେତ୍ରରେ ନାରୀକୁ ଏହି ପରିବର୍ତ୍ତିତ ଆଇନ୍ ଆଗକୁ ବଢ଼ିବାର ପ୍ରୟାସ କରୁଛି, ଆଉ ସଫଳ ମଧ୍ୟ ହେଉଛି । କିନ୍ତୁ ପୁଣି ସେଇ ଗୋଟିଏ ପ୍ରସଙ୍ଗ ଶୋଷଣ ଆଉ ଅବହେଳାର ପ୍ରସଙ୍ଗ ଜମା ପିଛା ଛାଡୁନାହିଁ ତାର ।

ଏବେ ନିକଟରେ ସମ୍ପତ୍ତିଗତ ଅଧିକାର ଉପରେ ମଧ୍ୟ ବିଚାର କରାଯାଇ ପିତାଙ୍କର ସମ୍ପତ୍ତିରେ ଝିଅଟିର ସମାନ ଭାଗ ଅଛି ବୋଲି କୋର୍ଟ ରାୟ ଦେଇଛନ୍ତି । କୌଣସି କ୍ଷେତ୍ରରେ ସମ୍ମାନ ଓ ସୁରକ୍ଷାକୁ ବଳି ନ ପକେଇବା ପାଇଁ ବିଭିନ୍ନ ପ୍ରକାର ଅଧୀକାର ଗୁଡ଼ିକ ଆମର ସମ୍ବିଧାନରେ ସାମିଲ୍ ହୋଇଛି । ତଥାପି ପୁଣି କାହିଁକି ଆମ ସମାଜରେ ଝିଅଟିଏ ହତାଦାରର ଶିକାର ହେଉଛି । ଏତେ ଆଇନ୍‌, କାନୁନ୍‌, ଅଧିକାର ସବୁ ବିଷୟରେ ସଚେତନ ରହୁଛନ୍ତି ସମସ୍ତେ ତଥାପି ବି ଶୋଷଣର କଥା ଉଠୁଛି । କର୍ମକ୍ଷେତ୍ରରୁ ଆରମ୍ଭ କରି ସମାଜର ସବୁ ଜାଗାରେ ଆମେ ଯଦି ଦେଖିବା ଗୋଟିଏ ଅଭିଯୋଗ ତ ନିଶ୍ଚୟ ପାଇବା । ଜାତୀୟ ମହିଳା କମିଶନ (NCW) ର ତଥ୍ୟ ଅନୁଯାୟୀ ୨୦୧୯ରେ ପ୍ରତି ମାସରେ ୮୦ ରୁ ଅଧିକ କାର୍ଯ୍ୟ କ୍ଷେତ୍ରରେ ଶୋଷଣ ପାଇଁ କେସ୍ ରେଜଷ୍ଟ୍ରି ହେଉଥିଲା, ଆଉ ଘରୋଇ ହିଂସା କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କର ଅଧିକ କେସ୍ ରେଜଷ୍ଟ୍ରି କରିଥିବାର ତଥ୍ୟ ମିଳିଥିଲା । ଆମ ଭାରତ ବର୍ଷରେ ପ୍ରତି ୧୫ ମିନିଟ୍‌ରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥାନ୍ତି ବୋଲି ନ୍ୟାସ୍‌ନାଲ୍ କ୍ରାଇମ୍ ରିପୋର୍ଟ ବ୍ୟୁରୋର ତଥ୍ୟ (ଜାନୁଆରୀ ୨୦୨୦) ଥିଲା । ସୁରକ୍ଷା ପାଇଁ ଏତେ ଅଧିକାର ନିୟମ ଥିଲା ବେଳେ ପୁଣି ଏତେ ନିର୍ଯ୍ୟାତନା ସତରେ ମନରେ ପ୍ରତ୍ୟେକ ମହିଳାଙ୍କ କୋହ ସୃଷ୍ଟି କରେ । ଅନ୍ଧାରରେ ବାଡି ବୁଲେଇଲା ଭଳି ସବୁବେଳେ ଆମେ ରାସ୍ତା ଖୋଜୁଛୁ ଯେ କେମିତି ଗୋଟିଏ ପରିଷ୍କାର ରାସ୍ତା ମିଳିବ ସବୁ ମହିଳାଙ୍କ ପାଇଁ ।

ସଚେତନତା ଆଉ ଅଧିକାରର କଥା କହିଲା ବେଳେ ଆମେ ବହୁତ ତର୍ଜମା କରୁ । ସେଇ ତର୍ଜମା ଭିତରେ ମଧ୍ୟ ବେଳେବେଳେ ଅଣନିଃଶ୍ୱାସୀ ହୋଇପଡୁ । କିନ୍ତୁ କୋଉଠି ନାଁ କେଉଁଠି ଆମେ ଆମର ଉତ୍ତର ଦାୟିତ୍ୱ କଥା ଭୁଲିଯାଉ । ଦାୟିତ୍ୱବୋଧ କଥାଟି ଯଦି ସମସ୍ତେ ଆମେ ହୃଦୟଙ୍ଗମ କରିପାରିବା ତା’ହେଲେ ଆମେ ନିଜକୁ କିଛି ମାତ୍ରାରେ ଶୋଷଣରୁ ରକ୍ଷା କରିପାରିବା । ଉଦାହରଣ ଗୋଟିଏ ଦେବାକୁ ଚାହିଁବି, ଦୁଇଦିନ ତଳର କଥା ହଠାତ୍ ଫେସ୍‌ବୁକ୍ ଆଡ଼ଉ ଆଡ଼ଉ ଜଣେ ବନ୍ଧୁଙ୍କର ପୋଷ୍ଟଟିକୁ ଦେଖିଲି । ପୋଷ୍ଟଟିକୁ ସମ୍ପୂର୍ଣ୍ଣ ପଢିଲି, ପଢିସାରିଲା ପରେ ସତରେ କେମିତି କାହିଁ ଲାଗିଲା ନିହାତି ଭାବରେ ଆମ ଝିଅମାନଙ୍କର ଟିକିଏ ଦାୟିତ୍ୱବୋଧ ରହିବା ଦରକାର । ଯଦି ଆମର ସମାଜ ପାଇଁ, ପରିବାର ପାଇଁ ଦାୟିତ୍ୱବୋଧ ରହିବ ନାହିଁ, ତା’ହେଲେ ଆମେ ଏମିତି ବହୁତ ଶୋଷଣର ଆଗକୁ ଆହୁରି ଶିକାର ହେବା ।

କିଛିଦିନ ତଳର ଗୋଟିଏ ଘଟଣା ଏଠାରେ ଲେଖିବାପାଇଁ ଚାହିଁବି । ହଠାତ୍ ସକାଳୁ ସକାଳୁ ସୁନ୍ଦରଗଡ଼ରୁ ଗୋଟିଏ ଯୁବତୀର ଫୋନ୍ ପାଇଥିଲି । ସେପଟୁ ଭାରି ବିକଳ ସ୍ୱରରେ ଯୁବତୀଟି କହୁଥାଏ ମାଡାମ୍ ଟିକେ ମୋ ସାଙ୍ଗରେ କଥା ହୁଅନ୍ତୁ । ମୁଁ କହିଲି କ’ଣ ହେଲା କୁହ । ଜଣେ ଯୁବକ ମୋ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିଛି । କିନ୍ତୁ ଏବେ ସେହି ଯୁବକଟି ବିବାହ କରିବାକୁ ମନା କରୁଛି । ମୁଁ କ’ଣ କରିବି, ଏବେ କେମିତି ଘରେ ରହିବି, କେମିତି ସମାଜରେ ଚଳିବି, ବାପା ମା’ଙ୍କୁ କେମିତି ସାମ୍‌ନା କରିବି । ମୁଁ ଟିକେ ବିରକ୍ତ ହୋଇଉଠିଲି ସେହି ଝିଅଟି ଉପରେ, ବୟସ ତୁମର ୨୫, ଶିକ୍ଷାଗତ ଯୋଗ୍ୟତା ତମର ଗ୍ରାଜୁଏସନ୍‌, ତଥାପି ଏମିିତି ଭୁଲ୍ କାମ ମୁର୍ଖଙ୍କ ଭଳି କାହିଁକି କର, ବିରକ୍ତିଭରା ସ୍ୱରରେ କହିଲି । ବିଚାରିଟି କାନ୍ଦି କାନ୍ଦି ନୟାନ୍ତ ହେଲା, ଭୁଲ୍ ହୋଇଗଲା ମ୍ୟାଡାମ୍ ବୋଲି ସେପଟୁ ବଡ଼ ବିକଳ ଭରା ସ୍ୱରରେ କହୁଥାଏ । ସମସ୍ୟାଟିର ସମାଧାନ ପାଇଁ ତୁରନ୍ତ ସୁନ୍ଦରଗଡ଼ ଏସ.ପି. (ଜଣେ ମହିଳା ଆଇ.ପି.ଏସ୍‌)ଙ୍କ ପାଖକୁ ଫୋନ୍ କଲି । ଏସ୍‌.ପି. କହିଲେ ମ୍ୟାଡାମ୍ ତାକୁ ତୁରନ୍ତ ମୋ ପାଖକୁ ପଠାନ୍ତୁ, ମୁଁ କିଛି ବ୍ୟବସ୍ଥା କରିକି ଆପଣଙ୍କୁ ସାଙ୍ଗେସାଙ୍ଗେ ଜଣାଉଛି । ସେ ଝିଅଟିର ସମସ୍ୟାର ସମାଧାନ ହେଲା ସତ, କିନ୍ତୁ ମୋ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ସେଇ ଯୁବତୀ ଭଳି ଅନେକ ଯୁବତୀ ଶୋଷଣର ଶିକାର ହେଉଥିବେ । କିନ୍ତୁ ସମସ୍ତଙ୍କ ପାଖରେ ହୁଏତ ସମାଧାନର ବାଟ ନଥିଲେ । ତା’ହେଲେ କେଉଁ ପ୍ରକାର ଭୟଙ୍କର ପରିସ୍ଥିତିରେ ଜୀବନ ଯାପନ କରୁଥିବେ ?

ତେଣୁ ଆମେ ଯେତେବେଳେ ଆମର ଅଧିକାର ବିଷୟରେ ସଚେତନ ହେଉଛେ, ସେହି ମୁହୂର୍ତ୍ତରେ ଆମେ ଆମର ଦାୟିତ୍ୱବୋଧ ସମ୍ପର୍କରେ ମଧ୍ୟ ଅଧିକ ସଚେତନ ହେବା ଜରୁରୀ । କାହାକୁ ସେହିଭଳି ସୁଯୋଗ ଦେବାନାହିଁ ଯିଏ କି ଆମକୁ ଅତି ସହଜରେ ଠକିଦେବ । ନିଜକୁ ସଶକ୍ତ କରିବା ସାଙ୍ଗରେ ନିଜର ଦାୟିତ୍ୱବୋଧ ଓ ଅଧିକାର ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା ଆବଶ୍ୟକ । ଅଧିକାର ଆଉ ଦାୟିତ୍ୱବୋଧ ଦୁଇଟି ଯାକର ସଂଜ୍ଞା ଆମେ ବୁଝିପାରିବା ତାହେଲେ ରିମୋଟ କଣ୍ଟ୍ରୋଲ୍ ଆମେ ହାତରେ ରହିବ । ଆଶା ଆଉ ବିଶ୍ୱାସ ମହିଳାମାନଙ୍କୁ ନିଶ୍ଚିତ ଭାବେ ଏ ସତର୍କତା ଶୋଷଣରୁ ରକ୍ଷା କରିପାରିବ ।

(ଲେଖିକା ଜଣେ ସମାଜସେବୀ)

Leave A Reply

Your email address will not be published.