ମାର୍କଣ୍ଡେୟ ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ଋଷି ପଞ୍ଚମୀ ବ୍ରତ ପାଳନ

ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ । ଏହି ବ୍ରତ ସ୍ୱୟଂ ମା’ ଶ୍ରୀଦେବୀ ମହାଲକ୍ଷ୍ମୀ ପାଳନ କରିଥାନ୍ତି । ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଦେଇଥାନ୍ତି, ତେବେ ସେଥିରୁ ମୁକ୍ତି ହେବା ପାଇଁ ନିର୍ଦ୍ଧିଷ୍ଟ ସପ୍ତ ଋଷି (କଷ୍ୟପ, ଅତ୍ରି, ଭରଦ୍ୱାଜ, ବିଶ୍ବାମିତ୍ର, ଗୌତମ, ଜମଦଗ୍ନି ଓ ବଶିଷ୍ଠ ) ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ଶ୍ରୀମନ୍ଦିରରେ ସକାଳ ଧୂପ ପରେ ପୂଜାପଣ୍ଡା ଆଜ୍ଞାମାଳ ଦେବାରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସିଂହାସନରୁ ବିଜେ କରାଇ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରନ୍ତି । ଏହାପରେ ଶ୍ରୀଦେବୀ ମାର୍କଣ୍ଡେୟ ମହାଦେବ ମନ୍ଦିରକୁ ବିଜେ କରିଥାନ୍ତି । ସେଠାରେ ଭିତର ଗମ୍ଭୀରାରେ ମହାଲକ୍ଷ୍ମୀଙ୍କୁ ନୂଆ ଲୁଗା ଲାଗି, ମାଜଣା, ବନକ ଲାଗି କରାଯାଇ ବେଶ ହୋଇଥାନ୍ତି ଓ ପରେ ପୂଜାପଣ୍ଡା ବରୁଣ ପୂଜା ଆଦି କରି ସପ୍ତଋଷିଙ୍କୁ ନୈବେଦ୍ୟ ସମର୍ପଣ କରିଥାନ୍ତି । ଏହାପରେ ପୂଜାପଣ୍ଡା ବ୍ରତକଥା ପଠନ କରନ୍ତି । ବ୍ରତ କଥା ଶେଷ ହେବାପରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହାପରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ହୋଇଥାଏ । ଏହି ବ୍ରତରେ ଋଷିମାନଙ୍କୁ କ୍ଷୀର, କଦଳୀ ଓ ଫଳ ଭୋଗ ହୋଇଥାଏ ।

ଓଡିଶାର ଏକ ପ୍ରାଚୀନ ବ୍ରତ ଯାହା ନାରୀମାନେ ଋଷି ଆଶୀର୍ବାଦରେ ମୋକ୍ଷ ଲାଭ ନିମନ୍ତେ ପାଳନ କରନ୍ତି । ସୁନା, ରୂପା ଅଥବା ମାଟିରେ ଏହି ସାତ ଋଷିଙ୍କ ପ୍ରତିମା କରି କଦଳୀ ଚନ୍ଦ୍ରତାପ ଦିଆଯାଏ । ସାତଟି ପକ୍ୱଫଳ ଥାଳ ବଢା ଯାଏ । ବ୍ରତ କଥା ଶୁଣି ଫଳ ଆହାର କରି ଓଡ଼ିଆ ନାରୀ ତିନି ଦିନର ଉପାସ (ବାଲିତୃତୀୟା ବ୍ରତ, ଗଣେଶ ଚତୁର୍ଥୀ, ଋଷିପଞ୍ଚମୀ) ଭାଙ୍ଗି ଥାଆନ୍ତି । ଏହା ଫଳରେ ସମସ୍ତ ପାପରୁ ମୁକ୍ତି ଦେଇଥାଏ ।