ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏ ସଂକ୍ରାନ୍ତରେ ମଙ୍ଗଳବାର ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆବଶ୍ୟକୀୟ ପଦକ୍ଷେପ ସଂପର୍କରେ ଆଲୋଚନା କରି ସେ ଦିଗରେ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ବେପରୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ଏନଫୋର୍ସମେଣ୍ଟ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ଗୁରୁତ୍ୱ ଦେଇଛି । ଏଥିପାଇଁ ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସର ସଂପ୍ରସାରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ଆଗକୁ ନିର୍ମାଣ ହେବାକୁ ହେବା ଥିବା ନୂତନ ରାଜପଥ ସହ ନିର୍ମାଣ ହେବାକୁ ଥିବା ରାସ୍ତାରେ ମଧ୍ୟ ଆଇଇଏମଏସ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।
ସଡ଼କ ଦୁର୍ଘଟଣାର ବିଭିନ୍ନ କାରଣ ମଧ୍ୟରୁ ତ୍ରୁଟିପୂର୍ଣ୍ଣ ରୋଡ୍ ଇଂଜିନିୟରିଂ ସଂପର୍କରେ ବୈଠକରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ସମସ୍ୟାର ସୁଧାର ପାଇଁ ସଡ଼କ ନିର୍ମାଣ ସମୟରେ ସମସ୍ତ ମାନକକୁ ସଠିକ ଭାବରେ ପାଳନ କରାଯାଉଛି କି ନିୟମିତ ସମୀକ୍ଷା ସହ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।
ଦୁର୍ଘଟଣାପ୍ରବଣ ଅଞ୍ଚଳ ତଥା ବ୍ଲାକସ୍ପଟ ଚିହ୍ନଟ କରି ଏହାର ସୁଧାର ଦିଗରେ ତ୍ୱରିତ କାର୍ଯ୍ୟ କରାଯିବ । ଏହାସହ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ । ଏ ସଂକ୍ରାନ୍ତରେ ପ୍ରତି ମାସ ଜାତୀୟ ରାଜପଥ ପ୍ରାଧିକରଣ ଓ ରାଜ୍ୟ ପରିବହନ ପ୍ରାଧିକରଣ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ ।
ଭୁବନେଶ୍ୱର ସମେତ ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ସହରର ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ରାସ୍ତାରେ କ୍ୟାମେରା ସଂଖ୍ୟା ବୃଦ୍ଧି କରାଯିବ ।
ମୋ ବସ୍ ଓ ଓଏସଆରଟିସିର ଚାଳକମାନଙ୍କୁ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସମସ୍ତ ବସରେ ଯାତ୍ରୀ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ADAS ଲଗାଇବା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।
ସଡ଼କରେ ଗାଡ଼ି ଚଲାଇବାକୁ ଦକ୍ଷ ଚାଳକଙ୍କୁ ଅନୁମତିକୁ ସୁନିଶ୍ଚିତ କରିବାକୁ ଏଲଏଲ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଅପେକ୍ଷାକୃତ ଶକ୍ତ କରିବାକୁ ବିଭାଗ ଚିନ୍ତା କରୁଛି । ଏଥିପାଇଁ ତିନି ପର୍ଯ୍ୟାୟ ପରୀକ୍ଷା କରିବାକୁ ପ୍ରସ୍ତାବ ରହିଛି । ସେହିଭଳି ନିୟମିତ ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରାଯିବ ।
ପୂର୍ବରୁ ବୁଧବାର ଜିରୋ ଟଲେରାନ୍ସ ଡେ’ର ସଫଳତାକୁ ଆଖି ଆଗରେ ରଖି ଶୂନ୍ୟ ଦୁର୍ଘଟଣା ଦିବସ ପାଳନ ପାଇଁ ବିଭାଗ ଯୋଜନା ରଖିଛି । ପ୍ରଥମେ ଏହା ଭୁବନେଶ୍ୱରରୁ ଆରମ୍ଭ କରାଯିବ ।
Comments are closed.