Latest Odisha News

BREAKING NEWS

ଦିନକୁ ଦିନ କମୁଛି ରାଜ୍ୟରେ ବାଘ ସଂଖ୍ୟା, ଶିମିଳିପାଳରେ ପୁଣି ଏକ ମହାବଳର ମୃତ୍ୟୁ

ବାରିପଦା: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି ବାଘ ସଂଖ୍ୟା । ଏହାରିଭିତରେ ଶିମିଳିପାଳରୁ ଆସିଛି ଏକ ବଡ ଖବର । ଶିମିଳିପାଳରୁ ମିଳିଛି ପୁଣି ଏକ ମହାବଳ ବାଘର ମୃତଦେହ । ଶିମିଳିପାଳର ଦୁଦୁରୁଚମ୍ପା ଠାରେ ମିଳିଛି ମହାବଳ ବାଘର ମୃତଦେହ । ଏନେଇ ସୂଚନା ଦେଇଛନ୍ତି ଅଭୟାରଣ୍ୟ ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନୀ ।

ସୂଚନା ଅନୁସାରେ, ଗତ ଫେବୃଆରୀ ୫ ତାରିଖ ଦିନ ପାଟ୍ରୋଲିଂ କରୁଥବା ବେଳେ ଦୁଦୁରୁଚମ୍ପା ନାଳ ନିକଟରେ ଏକ ମହାବାଳ ବାଘର ମୃତଦେହ ଦେଖିଥିଲେ ଶିମିଳିପାଳ କତୃପକ୍ଷ । ବାଘରେ ଦେହରେ କୌଣସି କ୍ଷତି ଚିହ୍ନ ନଥିବା ବେଳେ ମୃତ୍ୟୁର କାରଣ ଜଣାପଡି ଏଯାବତ୍ ଜଣାପଡିନାହିଁ । ତେବେ ମୃତ ବାଘଟିର ବୟସ ସାଢ଼େ ୩ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଅଧିକ ତଥ୍ୟ ପାଇଁ ବାଘର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ବାଘର ହାଡ ଭିସେରା ଲ୍ୟାବ୍ କୁ ପଠାଯାଇଛି । ରିପୋର୍ଟ ଆସିଲେ ଜଣାପଡିବ ବାଘ ମୃତ୍ୟୁର ପ୍ରକୃତ ରହସ୍ୟ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ମେ ମାସରେ ଶିମିଳିପାଳ ଅଭୟାରଣ୍ୟ କୋର ଏରିଆରେ ଦୁଇ ବାଘ ମଧ୍ୟରେ ଘମାଘଟ ଲଢେ଼ଇ ହେବା କାରଣରୁ ଏକ ଦୁର୍ଲଭ କଳା ମହାବଳ ବାଘର ମୃତ୍ୟ ଘଟିଥିଲେ । ମୃତ ବାଘର ବୟସ ସାଢ଼େ ୩ବର୍ଷ ହୋଇଥିଲା ।

ତେବେ ଗତ ୮ ବର୍ଷରେ ରାଜ୍ୟରେ ୪୮ଟି କଲରାପତରିଆ, ୭ଟି ମହାବଳ ବାଘର ମୃତ୍ୟୁ ହୋଇଛି । ଶିମିଳିପାଳ ରେ ଶେଷ ଗଣନା ଅନୁଯାୟୀ ୨୮ ଟି ବାଘ ଥିବା ବେଳେ ବିରଳ ମେଲାନେଷ୍ଟିକ ପ୍ରଜାତିର କଳା ବାଘ ମଧ୍ୟ ଦେଖିବାକୁ ମିଳିଥାନ୍ତି ।

Leave A Reply

Your email address will not be published.