Latest Odisha News

BREAKING NEWS

କବିତା : ପୃଷ୍ଠାଏ ଭୂପୃଷ୍ଠ

ବଳରାମ ପୂଜାରୀ 

ଉତ୍ତପ୍ତ ତତ୍ତ୍ୱର ତତ୍ତ୍ୱାବଧାନରେ
କଡ ଲେଉଟାଉଥିଲା ପୃଥିବୀ,
ଭଙ୍ଗା ଭଙ୍ଗା ମନ ନେଇ
ସଜେଇ ହେଉଥିଲେ ଦୂବରୁ ମହାଦ୍ରୁମ ଯାଏଁ
ରଜସ୍ୱଳା ହେଉଥିଲେ ,ମାଣ ମାଣ ଭାଗ୍ୟରେଖା,
ଫଟା ମାଟି ଆଁ କରି ଅନାଇ ଥିଲା
ଆକାଶ ଭର୍ତ୍ତି ମେଘ ମାନଙ୍କ ଛାଇକୁ
ଶୁଖିଲା ଜମିରେ ସୁନା ଫଳିବ,
ବିହନ ମାନେ ଚୁପ୍ ଚାପ୍ ପଶିଯିବେ
ମାଟି ମା’ ର ଗର୍ଭାଶୟରେ ।।

ଅଖି ମୁଠାଏ ଅନୁକୁଳ କରିବ ଅରକ୍ଷିତିଆ
ସବୁ ହାହାକାର ଭୋକ ମାନଙ୍କୁ
ବନ୍ଦୀ କରିବ ,କାଉଁରୀ ମନ୍ତ୍ରରେ ,
ମାଣେ ଜମିରେ ଅବତାର ନେବେ
ମହାମାୟୀ ମହାଲକ୍ଷ୍ମୀ ,
ଶୁଭାରମ୍ଭ ହେବ ଭୋକ ଘଉଡ଼ା କାର୍ଯ୍ୟକ୍ରମ
ବିହନ ମାନେ ବିଛାଡି ହୋଇ
ପାଳଟିବେ ନାରାୟଣୀ ସେନା
ଲେଖିଦେବେ କୃଷକ ଭାଗ୍ୟରେ
ମୁଠାଏ ଆଶୀର୍ବାଦର ଶଗଡେ ତଥାସ୍ତୁ ।।

ଗାଢ ନିଦରେ ଶୋଇ ପଡିଛି ଧରିତ୍ରୀ ?
ଉତ୍ତର ମେରୁରୁ ଦକ୍ଷିଣ ମେରୁ ଯାଏଁ
ତଟସ୍ଥ! ଜୀବନ ?
ଘଷିମାଜି ,ଖୋଳପା ଛଡାଉଛି ବିଶ୍ୱାସ
ପୁଣି ଥରେ ବିଶ୍ୱାସ ଯୋଗାଇବ
ସବୁ ଅବିଶ୍ବାସର ବାତାବରଣକୁ ,
ଗଜରି ଉଠିବ ,ଜୀବନ ଭଗ୍ନାଂଶର କବରୀ
କଳାମେଘର କଳା ବାଦଲ ହଟି ଫର୍ଚ୍ଚା
ଆସିବା ଆସିବା ହେଲାଣି ?

ଗଭୀର ଆତ୍ମବିଶ୍ବାସରେ
ଜମି ମୁହାଁ ହେଲାଣି, ଜିଅନ୍ତା ଭଗବାନ ମାନେ
ସବୁରି ତୁଣ୍ଡରେ ମୁଠାଏ ଜୀବନ ଭରିବାକୁ
ମର୍ତ୍ତ୍ୟ ବୈକୁଣ୍ଠରେ ଓହ୍ଲାଇ ଆସୁଛନ୍ତି
ଅକ୍ଷି ଅନୁକୁଳର ମହାପର୍ବ
ଅକ୍ଷୟ ତୃତୀୟା ,ବିଲ ହୁଡାରୁ ଶୁଭୁଛି,
ଶୁଭମ୍ ଭବତୁ, ଶୁଭମ୍ ଭବତୁ
ପୁଷ୍ଷିଳ ହେଉଛି!
ପୃଷ୍ଠାଏ ଭୂପୃଷ୍ଠ ।।।

କୁଡୁମୁଲୁଗୁମ୍ମା  ମାଲକାନଗିରି

Comments are closed.