Latest Odisha News

କବିତା : ମେଘଗୀତ

ଆଲୋକ ପ୍ରଧାନ 

କିଏ କହେ ମେଘ ଦେହର ଦରଜ ରାତିର ବାସି ମହକ।
କିଏ କହେ ମେଘ ଜରୁଆ ଦେହରେ ପାଣିପଟି ପରି ସୁଖ।l
କିଏ କହେ ମେଘ ଆଉଜା ଦୁଆରେ ଅଧାଲୁଚା ହଳେ ଆଖି।
କିଏ କହେ ମେଘ ବାଡି ଧାନଖଳା ଉଜିଆଁ ପ୍ରେମର ସାକ୍ଷୀ।l

କିଏ କହେ ମେଘ ସାନକୁହା ମାନି ଅଧା ବରଷିଲା ଲୁହ।
କିଏ କହେ ମେଘ ଭିଜିଲା ମନର ଅଧାପିଆ ଧାପେ କୋହ।l
କିଏ କହେ ମେଘ ଲେଖିଲା ଚିଠିର ଟୁକୁଡା ଖଣ୍ଡର ଚାଲି।
କିଏ କହେ ମେଘ କାହା କବରୀରେ ଲୋଚାକୋଚା ଗଣ୍ଡ ନାଲି।l

କିଏ କହେ ମେଘ ସରଗୀ ପ୍ରେମର ଡେଇଁଲା ଛାଇର ବାଡ।
କିଏ କହେ ମେଘ ଭୋଦୁଅ ଖରାରେ ଓଦା ସରସର ନୀଡ।l
କିଏ କହେ ମେଘ ଅବୁଝା କାହାଣୀ ଅଭିଆଡି ମନ ଶୋଷ।
କିଏ କହେ ମେଘ ଶୋଷିଲା ଆଖିର ଅୟୁତ ଯୁଗର ଦୋଷ।l

ମେଘ ବାଲିଚର ସପନ ପଠାରେ ସୁରିଲା ପାଉଁଜି ସୁର।
ମେଘ ତ ଉଷୁମ କୋଳ ମୋ ପ୍ରିୟାର ସବୁ ସମ୍ପର୍କର ଡୋର।l

“ଅମୃତାଂଶୁ”,ବାଲିଗୁଆଳି,ପୁରୀ
ମୋ-୯୯୩୭୮୫୩୫୯୬

Comments are closed.