ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୪

ସମୟ ଗଡୁଥିଲା। ହସଖୁସି ସହ ଦାୟିତ୍ୱ ବଢୁଥିଲା।ଘରେ ଏକ ନୂତନ ପରିବେଶ ସୃଷ୍ଟି ହେଉଥିଲା।ଗଛ ମୂଳରେ ଥିଲେ, ଗାଁ କଡରେ ଥିଲେ ଜୀବନ କ’ଣଏମିତି ହୋଇଥାଆନ୍ତା…। କେଜାଣି କିଏ ଭାଗ୍ୟ କରିଥିଲା …ପଲଟୁ, ସିତୁ, ମାଆ ନା ନିଜେ ମୁଁ …। ଅନିର୍ବଚନୀୟ ଆନନ୍ଦ ସହ ବନ୍ଧୁତା ହୋଇଗଲା କି ଆଉ।

ପିଲାଙ୍କ ହସ କାନ୍ଦ ସହିତ ପାଠ ,ମୋ’ ପୃଥିବୀରେ ମିଶିକି ରହିଥିଲା। ମାଆ ବହୁତ ଯତ୍ନ ନେଉଥିଲେ ଆମର। ଲୋକ ଥିଲେ ବି ନିଜେ ବୁଝୁଥିଲେ, ହସୁଥିଲେ, ବିରକ୍ତ ହେଉଥିଲେ…ବହୁତ ଖୁସି ଜଣାପଡୁଥିଲେ। କେତେ ଫଟୋଉଠାହେଉଥିଲା,କେତେ ଲୁଗାପଟା, କେତେ ଖେଳଣା ଆସୁଥିଲା। ଦୁଇଟା ମୋଟାଖାତାରେ ଲେଖା ହେଉଥିଲା ଆଜି ପଲଟୁ ହସିଲା, ସିତୁ ପେଟେଇଲା, ଏମିତି କେତେକ’ଣ।ପଚାରିଲେ କହିବେ, ତୁ ବୁଝିବୁନି, ସେମାନେ ବଡ ହେଲେ ଦେଖି ବୁଝିବେ ଏସବୁ। ଇଏ ବି ଗୋଟିଏ ପାଠ ଥିଲା ମୋ’ ପାଇଁ। ଆଗ୍ରହର ସହ ବେଳେବେଳେ ପଢିବାକୁ ବସୁଥିଲି ସେଇଲାଗି । ବୁଝିବାକୁ ହବ ମୋତେ, ମୋ’ ପିଲାମାନଙ୍କୁ ନେଇ ହେଉଥିବା ନାନାଦି କଥା ଉତ୍ସବ ହେଉଥିଲା ପିଲାଙ୍କ ପାଇଁ କିଛି ନା କିଛି ବାହାନାରେ। କଷ୍ଟ କେମିତି ଲାଗେନି ମାଆଙ୍କୁ କେଜାଣି। ହସିହସି କରିବାକୁ ସେ ଯେମିତି ଜନ୍ମ ହୋଇଛନ୍ତି। ସତରେ ବଡ ସରାଗ ତାଙ୍କର ଏସବୁରେ ।

ଏଥର ପିଲାଙ୍କ ପାଠ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ପ୍ରାପ୍ତ ଲୋକ ରହିଲେ।ପାଠ ସହିତ  ଅନ୍ୟାନ୍ୟ ଆନୁସଙ୍ଗିକ କାମ କରୁଥିଲେ।ଖୁବ୍ କମ୍ ସମୟ ମୋତେ ମିଳୁଥିଲା ସେମାନଙ୍କୁ ନେଇ ଖେଳିବା ଓ ଗେହ୍ଲା କରିବାକୁ।ଏକ ବିଶେଷ ଭାବରେ ଗଢିହେଉଥିଲେ ପିଲାଏ।  ମୋତେ ତଳେ ଥିବା  ନର୍ସିଂହୋମକୁ ନେଇ ଛୋଟଛୋଟ କାମ ଶିଖେଇବାକୁ ନିଜେ ପାଖେ ପାଖେ ରଖୁଥିଲେ ମାଆ। ତାଙ୍କ ଯତ୍ନ ସହ ମୋ’ ଉଦ୍ୟମ ମିଶି ନୂଆ ରୂପ ନେଲା ଜୀବନ ।ଫଳତଃ,  ମୋତେ ସେ ନର୍ସିଙ୍ଗହୋମରେ ଅନ୍ୟାନ୍ୟ ଦିଦିଙ୍କ ସହ କାମ କରିବାକୁ ସୁଯୋଗ ମିଳିଲା।

ଘରେ ବିଧିବଦ୍ଧ ଭାବରେ  ମା’ ନିଜେ ସବୁ ଦେଖନ୍ତି। ରୋଗୀ ମଣିଷଙ୍କୁ ନା ଆମେ ଦେଖୁ, ନା ସେ ଆମକୁ ସେଇ ସୁଯୋଗ  ଦିଅନ୍ତି ?  କାହାକୁ ସେ ଘରକୁ ଯିବାକୁ ଅନୁମତି  ନଥାଏ।ମୁଁ  ଭାବୁଥିଲି, ମୋତେ ବୋଧହୁଏ ସେ ସାହାଯ୍ୟକାରିଣୀ ଭାବରେ ଗ୍ରହଣ କରିବେ। ନା, ସେ ନିଜେ ହିଁ ସବୁ କରୁଥିଲେ ,ଆଦୌ  କିଛି ନକହି।କେବେ କେମିତି ପର୍ଦ୍ଦା ଖୋଲାଥିଲେ ଜଣେ ମଣିଷ  ଖାଲି ବିଛଣାରେ ଉଁଚୁଁ ନକରି ପଡିରହିଥିବାର ଦୃଶ୍ୟ ଆଖିରେ ପଡୁଥିଲା। ମନରେ ପ୍ରଶ୍ନ ଉଠୁଥିଲା ଏ କିଏ? କି ସମ୍ପର୍କ ଏ ଘର ସହିତ? ଶିଉଳିରେ   ଛାଡ  ଏ କଥା ,କହି ମନକୁ ଭୁଲେଇଦଉଥିଲି ମୁଁ ପୁଣି ।

ଜୀବନ ଏକ ରକମ ଚାଲୁଥିଲା ନୂଆ ରୂପରେ ନୂଆ ଢଙ୍ଗରେ। ପିଲାଏ କିଛି ଜାଣୁନଥିଲେ ମୋ ଅତୀତ କଥା।ମୁଁ  ନିଜେ ବି ଭୁଲୁଥିଲି ଅତୀତକୁ। ଯାହାସବୁ ସମୟ ଚୋରେଇ ନେଇଚି ତା’କୁ ଏତେ ଭାବରେ ମନେପକେଇ  ଖୋଜିହେବା ଦରକାର କ’ଣ..। ମା’ଙ୍କ ସ୍ୱତନ୍ତ୍ର ଭଲପାଇବା ଆଣି ଦେଉଥିଲା ନୂତନ ଦାୟିତ୍ୱବୋଧ।  ବୋଧ ହୁଏ ତାଙ୍କ ପିଲାଙ୍କୁ ମନେପକେଇ ସେ ମୋତେ , ପଲଟୁ ଓ ସିତୁକୁ  ଏତେ ଅଧିକ ସ୍ନେହ ଶ୍ରଦ୍ଧା ଦେଉଥିଲେ। ମନ କହୁଥିଲା, ସମସ୍ତଙ୍କର ମା’ ଏଭଳି ହୁଅନ୍ତେ କି ? ପରକୁ ଆପଣେଇ ବସୁଧୈବ କୁଟୁମ୍ବକମ୍  କହନ୍ତେକି …।ନା ମ ,କହିବା ଓ କାମରେ କରିଦେଖାଇବା କଷ୍ଟସାଧ୍ୟ।ମୁଁ  ନିଜେ ପାରିବି ତ …ସମୟ କହିବ….।

ପିଲାଙ୍କ ବଢିବା ସହିତ ମୁଁ ବଢୁଥିଲି ।  ବଢ଼ୁଥିଲେ ମା’। ଦିନେ  କୋଳାହଳ ବିନା ସମସ୍ତ ସେବାକୁ ପଛରେପକାଇ  ଚାଲିଗଲେ  ରୋଗୀ ଜଣକ ,ଘରକୁ ଏକାକରି , ମାଙ୍କୁ ଏକା କରି , ମୋତେ ବି ….. ।ମୋର ଯଦିଓ ସେମିତି କିଛି ସମ୍ପର୍କ  ତାଙ୍କ ସହିତ ନଥିଲା,ତଥାପି ମନ କଷ୍ଟ ହେଲା।  ମା’ ସେଇ କୋଠରୀର ଏକମାତ୍ର ଅଧିଶ୍ୱରୀ ଥିଲେ।ସେତିକି ବି ଛଡେଇନେଲା  ସମୟ …।ମାଆଙ୍କ ପାଇଁ ମନ ଦୁଃଖ ହେଉଥିଲା।ଆଉ କେତେ ପ୍ରକାର ଅସୁବିଧା ରଖିଚି କ୍ରୂର ସମୟ ତାଙ୍କ ପାଇଁ।

ବହୁତ ଦୁଃଖ ଭିତରେ ଭାବିଲି, କଷ୍ଟ ପାଉଥିବା ମଣିଷ   ଯାଆନ୍ତୁ, ପୁରୁଣା ଘର ଛାଡି ଆଉ ଏକ ନୂଆ ଘରକୁ ।ଡାକିଲେ ଶୁଣୁ ନଥିବା , କିଛି ବୁଝୁ ନଥିବା ଲୋକ , ଖାଲି ବିଛଣାରେ କେତେଦିନ ପଡିରହିଥାଆନ୍ତେ ଯେ ! ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ପଡ଼ିରହିଲା ସେମିତି।   ସବୁ ବୁଦ୍ଧି କୌଶଳ ଅକାମି ହୋଇଗଲା ଯେମିତି।କ’ଣ ଆଉ କରାଯାଇପାରିଥାଆନ୍ତା ତାଙ୍କ ପାଇଁ ।

ଏବେ ଆଉଥରେ ଦେଖିଲି  ମାଆଙ୍କୁ ଭିନ୍ନ ଭାବରେ।।ପ୍ରିୟ ମଣିଷକୁ ହରାଇବାର ଦୁଃଖ ଘାରିଗଲା ପରେ, ମୁକୁଳି ଆସିବାର ସତ୍ତାକୁ। ବାରମ୍ବାର  ଗଛକୁ କାଟିଲେ,ସେ କଅଁଳେ କେମିତି ଯେ..।ଟିନା କିଛିବି   ଜାଣି ନଥିଲା ମ, ସେ ରୋଗୀଙ୍କ ବିଷୟରେ। ମାଆ ଆମର ସନ୍ନ୍ୟାସିନୀ ହୋଇଗଲେ ଯେମିତି ସେଇ ଦିନଠାରୁ। ବଦଳିଗଲା ବେଶ ପୋଷାକ ତାଙ୍କର।ବେଶି ମାନୁଥିଲା ଏସବୁ କିନ୍ତୁ ତାଙ୍କୁ।ଶୋକ ପାଳନ ନିଜ ଅନ୍ତରରେ କେବଳ ହେଉଥିଲା। ବାକିସବୁ ଚାଲୁଥିଲା ନିର୍ବିକାରରେ ନିଜବାଟରେ।

ମା’ଙ୍କ ବ୍ୟବହାର ଆଉ ପ୍ରକାରେ ହେଲା।ମୋ’ର ଉଚ୍ଚତର ଶିକ୍ଷା ଦରକାର ସେ ଅନୁଭବ କଲେ।ଏକା ଜିଦ୍ଦି ମଣିଷଟିର।ମୋ’ ଅନିଚ୍ଛା ସତ୍ତ୍ବେ ମତେ ଇଂରାଜୀ କହିବା ଶିଖାଇବାକୁ ସିଷ୍ଟର କ୍ଲେମେଣ୍ଟିନା  ଆସିଲେ । ସଂସ୍କୃତ ପାଇଁ ଆସିଲେ ଆଚାର୍ଯ୍ୟ ଇନ୍ଦ୍ରଧ୍ବଜ  ମିଶ୍ର। ଅଲଗା ଅଲଗା ସମୟରେ  ଅବଶ୍ୟ। ପିଲାଙ୍କ କାମର ଦାୟିତ୍ୱ ମୋ’ର ନଥିଲା।ଘରକାମ ବା ନର୍ସିଂ କାମ କିଛି ଆଉ ନୋହିଲା। ଏକା ଜିଦ୍ଦିରେ ମୋ’ ପାଠ ଉପରେ ଗୁରୁତ୍ୱ  ଦେବା ଆରମ୍ଭ କଲେ। କାନ୍ଦ ମାଡୁଥାଏ ,ପାପୁଲି ପଛରେ ଲୁହପୋଛି ସାଙ୍ଗ ଦେଉଥାଏ ମୁଁ। ନାଚାର ଥିଲି ସମୟ ପାଖରେ କେବଳ ଯାହା।