କବିତା : ଶୀତ ରାତି

ଅମିୟଭାନୁ ଧଳ 

ଅସରନ୍ତି ଶୀତରାତି
ଧିରେ ଧିରେ ବଢୁଥାଏ
ବିଲ, ଖାଲ, ପଡ଼ିଆ, ଗଡ଼ିଆ
ବାଡ଼ଡେ଼ଇଁ ବେଢିଯାଏ
ଶୀତଳ ପ୍ରଲେପ
ମୋ ତାଳୁରୁ ତଳିପା,
ଉଷ୍ମତାର ଶିକୁଳିରୁ ମୁକୁଳି
ଶବ୍ଦମୟ ଶୀତ ଭରିଯାଏ,
କୋଠରୀର ପ୍ରତ୍ୟେକ ଶୂନ୍ୟତାରେ
ରାତି ବଢିଲେ ଶୀତ ବଢେ
ଶୀତ ବଢିଲେ ବଢିଯାଏ
ତରଳ ମନତଳର
ସୁପ୍ତ ଶବ୍ଦମାନଙ୍କ ପ୍ରକୋପ  ।

ଅସରନ୍ତି ଶବ୍ଦମାନେ
ନିସ୍ତବ୍ଧ ରାତ୍ରିର ସୁଯୋଗରେ
ଉଷ୍ମତାର ଆଶାରେ
ଓହ୍ଲାଇ ଆସନ୍ତି
ମୋ ଅଧାଲେଖା ସାଦା କାଗଜର
ବିସ୍ତୀର୍ଣ୍ଣ ପଡ଼ିଆକୁ ।

କଲମ ଅକ୍ଷର ସୁଖ ସମ୍ଭୋଗରେ
ଶୀତଳତାର ମନ୍ତ୍ରଧ୍ୱନୀରେ
ଜନ୍ମନିଏ ନୂତନ ଏକ ସୃଷ୍ଟି,
ଅପସରିଯାଏ ମୁରୁକି ହସୁଥିବା
ଅସରନ୍ତି ଶବ୍ଦମୟ ଶୀତରାତି ।

ଆରଡ଼ିରୋଡ୍ , ଭଦ୍ରକ
ମୋ-୭୯୭୮୫୫୨୨୫୨