ଧାରାବାହିକ ଉପନ୍ୟାସ : ଦେବୀ (୪)

  କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪

ସମୟ ବଡ଼ ବଳବାନ।ଯେଉଁ ସମୟ ଦିନେ ଫୁଲକଢ଼ିକୁ ସାହାସ ଦେଇ ବସ୍ନାବତୀ କରେ ସେଇ ସମୟ ତାକୁ ଫିଙ୍ଗିଦିଏ ଅଳିଆ ଗଦାକୁ। ସମୟ ହିଁ କରିପାରେ ରାଜାପୁଅକୁ ରଙ୍କ। ସମୟ ପାଇଁ ଘାସ କାଟେ ନରେଶ ହରିଶ୍ଚନ୍ଦ୍ର। ସମୟ କାହାକୁ ନେଇ କେଉଁଠି ପକାଏ କେହି ଜାଣେନା। କେହି କଳନା କରିପାରେନା ସମୟର ଶକ୍ତି ଓ ସଞ୍ଚରଣ।

ଘରେ ପହଞ୍ଚି କପେ ଚା ପିଇ ବସିଥାଏ ଦେବ। ମନେ ମନେ ଭାବୁଥାଏ କେମିତି ଭେଟିବ ସେ ସୁଧୀର ମଉସାଙ୍କୁ। କେତେ ବର୍ଷ ହେଲାଣି ଦେଖିନି ତାଙ୍କ ମୁହଁ । ଶୁଣିନାହିଁ – କେବେ ଆସିଲ ଦେବ।

କିନ୍ତୁ କଣ ପାଇଁ ଡକେଇ ପଠେଇଛନ୍ତି ସୁଧୀର ମଉସା! ସେ କଣ ତାକୁ କ୍ଷମା କରିଦେଲେ। ଯେଉଁ ଓଠରେ ଦିନେ ଦେବର ନାଁ ଏକ ପବିତ୍ର ଶବ୍ଦ ଥିଲା, ସେଇ ଓଠ ଦିନେ ଧମକ ଦେଇଥିଲା – ବିସ୍ମୃତିର ଅନ୍ଧାର ଭିତରେ ହଜିଯାଅ ଦେବ, ନହେଲେ ମୋ ବିଶ୍ଵରୂପ ଦେଖିବ। ଆଶ୍ଚର୍ଯ୍ୟ ଜନକ ଭାବେ ଦେବକୁ ଡର ଲାଗିନଥିଲା। ସେ ବରଂ ସମାନ ସ୍ଵରରେ କହିଥିଲା, ତୁମେ ତୁମ ସମ୍ପତ୍ତିକୁ ଦାୟିତ୍ୱରେ ରଖ ମଉସା। ମୋ ଆଡୁ କିଛି ଭୁଲ ହୋଇନି, ଆଗକୁ ହେବାର ମଧ୍ୟ ନାହିଁ। ସେଇ ମୁହୂର୍ତ୍ତରେ ସେ ଦେଖିଥିଲା ସୁଧୀର ମଉସାଙ୍କ ମୁହଁରେ ଘୃଣା। ସେ ଘୃଣାର ଚିତ୍ର ଏବେ ବି ତା ଛାତିକୁ ଚିରି ପକାଏ।

ଆଜି ବି ମନେ ପଡ଼ିଲା ସେଇ ଦିନ, ସେଇ ମୁହଁ ଅଥଚ କଳ୍ପନା ନେତ୍ରରେ ଦେଖିପାରିଲା ଦେବ, ସେ ମୁହଁରେ କାତରତା ଆଉ ଅସହାୟତାର ଲ୍ୟାଣ୍ଡସ୍କେପ୍।

ଦୀର୍ଘଶ୍ୱାସ ବାହାରି ଆସିଲା ପଞ୍ଜରା ଥରେଇ। ତା’ ସହିତ ଅତୀତର ଏକ ରକ୍ତସ୍ରାବୀ ସ୍ମୃତି ତା ଆଗରେ ଅଜଗର ପରି କୁଣ୍ଡଳୀ ମାରିଲା। ସେ କୁଣ୍ଡଳୀ ଭିତରୁ ଉଭା ହେଲା ଆଉ ଏକ ପ୍ରଶ୍ନ – ଯଦି ଦେବୀ ଆସିଥାଏ ?

ଏ ପ୍ରଶ୍ନ ପାଇଁ ତା ପାଖରେ ଉତ୍ତର ନାହିଁ। ଉତ୍ତର ନାହିଁ କହିଲେ ସେ କଳ୍ପନା କରିପାରିବା ଅବସ୍ଥାରେ ନଥାଏ। ଆଖି ଆଗରେ ଖୋଳିହୋଇଯାଏ ଏକ ସୁଡ଼ଙ୍ଗ। ଯାହା ଭିତରେ ଥରେ ପଶିଲେ ଆଉ ବାହାରି ହୁଏନା। ସେଇଥି ପାଇଁ ତ ମନ୍ଦିର ଭିତରେ, ମାର୍କେଟ ଛକରେ, ମଣ୍ଡପ ଉପରେ କିଛି ଦେଖି ପାରେନା ଦେବ।

ଏମିତି ତ ସେ ଜନ୍ମରୁ ସେ ଡରକୁଳା, ଜୀବନର ନାନା ଅନିଶ୍ଚିତତା ଭିତରେ ତାର ଶଙ୍କାକୁଳ ଚେତନା ସବୁବେଳେ ନିର୍ବିବାଦ ରହିବାକୁ ଚାହେଁ। ମାତ୍ର ତା ଚାହିଁବା ନଚାହିଁବା ଭିତରେ ନଥାଏ ଘଟଣା – ଦୁର୍ଘଟଣା। ଯେଉଁଠି ବାଘର ଭୟ ସେଇଠି ଆସେ ଅନ୍ଧାର। ତା ପହଁରା ଅକ୍ଷମ ପାଦ ପାଖରେ ଆସି ପହଞ୍ଚେ ବେଗମତୀ ନଈ।

ସେ ଦେଖିପାରେନା ରକ୍ତପାତ, ଶୁଣିପାରେନା କାହାର କାକୁସ୍ଥ କାନ୍ଦଣା। ତାକୁ ଥାନା ଡରାଏ, ଆକ୍ତାମାକ୍ତା କରାଏ ହସ୍ପିଟାଲ, ମାଂସ ପାଇଁ ଗଲେ ଆଗ ଦେଖେ ସେଠି ଜିଅନ୍ତା ଛେଳି ନାହିଁ ତ! ଯଦି ଥାଏ, ସେ ଭିତରେ ଭିତରେ ଛେଳି ପାଲଟେ,ହାଣକୁ ଯାଏ, ନିଜ ଆଗରେ ନିଜର ଖଣ୍ଡଖଣ୍ଡ ଶରୀର ଦେଖେ। ସେଥିପାଇଁ ସାଙ୍ଗ ମେଳରେ ସେ ମାଇଚିଆ, ଡରୁଆ।

ବୋଉ ତାର ଏଇ ଡରକୁଳା ଗୁଣ ଦେଖି କହେ – ବା ‘ ରେ। ସଂସାରରେ ଏମିତି ଡରକୁଳା ହୋଇ ବଞ୍ଚିହେବ ! ମିଛର ଭେଳିକିରେ ନ ମାତି ସତର ନିଷ୍ଠୁର ପଥରେ ଯିବୁ। ଝଡ଼ ଆସିଲେ ନଇଁ ପଡ଼ିବୁ। ଦୂର ଦେଶରେ ଅଧେ ଆପଣା ଅଧେ ପର କରି ଚଳିବୁ। କଥାରେ ମିଠା ବୋଳିଲେ ନିମ୍ବ ଗଛରେ ଆମ୍ୱ ଫଳିବ। ଗର୍ଭିଣୀ ବାଘ ବାଟ ଛାଡ଼ିଦେବ।

ଆଖି ଆଗରେ ନାଚି ଉଠିଲା ବୋଉର ମୁହଁ । କୁଆଡେ ହଜିଗଲା ବୋଉ। ଗାଆଁକୁ ଆସିଲେ ବୋଉର ସ୍ମୃତି ପୋଷା ବିଲେଇ ହୋଇ ଦେହରେ ଘଷିହୁଏ। ପିଲାଦିନ ଅସରାଏ ବର୍ଷା ହୋଇ ଅଜାଡିହୋଇଯାଏ ଅଗଣାରେ। ଦେବ ଛାତି ଭିତରେ
ମୁଣ୍ଡ ଟେକେ ଏକ କୋହ।ଆଖି ଓଦା ହୋଇଯାଏ।

ଅଳ୍ପ ଅନ୍ଧାର ଭିତରୁ ବାହାରକୁ ଚାହିଁଲା ଦେବ। ହେଇ ତ ଦିଶୁଛି ଗୋଟେ ହାଣ୍ଡିଶାଳ। ଗାଈ ଗୁହାଳ। ବୋଉର ବାହା ପେଡ଼ି। ବେତ ତିଆରି ପେଟେରା। ବୋଉ ଯାଉଛି ଶୂନ୍ୟ ହାତ ନେଇ ଗ୍ରାମଦେବତୀ ପାଖକୁ। ଫେରୁଛି ଅଣ୍ଟିଏ ଆତ୍ମବିଶ୍ବାସ ଆଣି।ବୋଉ ବାହାରୁଛି ମାମୁଁ ଘରକୁ। ବାଟ ଓଗାଳୁଛି କୋଳ ପୋଷା କହ୍ନେଇ। ବୋଉ ବାଡ଼ିଧରି ଗୋଡାଉଛି, ସବୁ ସର ଖାଇଦେଇଛି ସାନ ପୁଅ। ବୋଉ ଆଞ୍ଜୁଳାଏ ରେଜା ପଇସାରେ ପୁଅକୁ ବିକିଦେଉଛି ନୂଆବୋହୁର ଓଢଣା ତଳେ। ପୁଣି କୁଆଁର ପୁନେଇଁ ରାତିରେ ବୋଉ ଗୀତରେ ସଜାଉଛି ଜହ୍ନଦାଣ୍ଡ।

ନିଜ ଅଜାଣତରେ ସେ ଘରୁ ବାହାରି ଆସି ଅଗଣାରେ ଠିଆ ହେଲା। କେବଳ ଆମ୍ବଗଛଟିକୁ ଛାଡ଼ିଦେଲେ ଆଉ କେହି ନାହାଁନ୍ତି ବୋଉର ସ୍ମୃତି କଥା କହିବା ପାଇଁ।

ବୋଉ ମନେ ପଡ଼ିଲେ ଭିତରୁ ଭିତରୁ ମଉଳିଯାଏ ଦେବ। କେତେ କଥା ମନେ ପଡେ। କେତେ ଘଟଣା ଆସିଯାଏ ମନକୁ।
ବୋଉକୁ ମୂର୍ଚ୍ଛିବା ସହଜ ନୁହେଁ ।

ଗୋଟିଏ କରୁଣ ସ୍ୱରର ସଙ୍ଗୀତ ବଜେଇ ଦେଇ ଚାଲିଗଲା କେହିଜଣେ। ଓଦା ହୋଇଗଲା ଦେବର ଆଖିପତା।

କକା……

ତୁମକୁ ସୁଧୀର ଜେଜେ ଖୋଜୁଛନ୍ତି ପରା। ତୁମେ ଏଯାଏଁ ଯାଇନ?

ବଡ଼ ଝିଆରୀ ଡାକରେ ବର୍ତ୍ତମାନ ଫେରିପାଇଲା ଦେବ।

ଇଚ୍ଛା ନଥାଇ ବି ସେ ପାଦ ବଢେଇ ନେଲା ଏକ ପୁରୁଣା ପରିଚିତ ରାସ୍ତାରେ……
କ୍ରମଶଃ……