Latest Odisha News

ଶିଶୁ ଗଳ୍ପ : ତୁମ ପରି ଛୋଟ ପିଲାଟିଏ

ସୁଷମା ପରିଜା

ଗୋଟିଏ ମଫସଲିଆ ଗାଆଁ ଥିଲା ପଣ୍ଡରପୁର। ସେ ଗାଆଁରେ ରହୁଥିବା ଲୋକମାନେ କେବଳ ଚାଷବାସ ଉପରେ ହିଁ ନିର୍ଭର କରି ଚଳନ୍ତି । ପାଠଶାଠ ପଢିବା ପାଇଁ ଭଲ ସ୍କୁଲଟିଏ ମଧ୍ୟ ନାହିଁ ସେ ଗାଆଁରେ। କେବେ କେବେ ବର୍ଷା ଅଭାବରୁ ଚାଷବାସ ଉଜୁଡି ଯାଏ, ଲୋକମାନଙ୍କୁ ଭୋକ ଉପାସରେ ରହି କଷ୍ଟରେ ଦିନ କାଟିବାକୁ ପଡେ। ଗାଁ ରେ ଅଛି ଗୋଟିଏ ନିମ୍ନ ପ୍ରାଥମିକ ବିଦ୍ୟାଳୟ , ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହୁଏ ସେଇ ସ୍କୁଲରେ । ମାତ୍ର ଗୋଟିଏ ବୋଲି ଶ୍ରେଣୀ ଗୃହ, ଶିକ୍ଷକ ମଧ୍ୟ ଜଣେ କି ଦୁଇଜଣ ଥାଆନ୍ତି, ସେମାନେ ମଧ୍ୟ ପାଳି କରି ଆସନ୍ତି ସ୍କୁଲକୁ, ତେଣୁ ସେଠାରେ ଖୁବ୍ କମ୍ ପିଲା ପଢନ୍ତି, ସେଇଟିକୁ ଛାଡିଦେଲେ ପାଖ ଆଖ ଗାଆଁ ମାନଙ୍କରେ ମଧ୍ୟ ଆଉ କୌଣସି ସ୍କୁଲ୍ ନାହିଁ ।

ପଞ୍ଚମ ଶ୍ରେଣୀ ପାଶ୍ କଲାପରେ ଅଧିକ ପାଠ ପଢିବା ପାଇଁ ଇଚ୍ଛୁକ ଥିବା ପିଲାଙ୍କୁ ପାଖ ସହରରେ ଥିବା ହାଇସ୍କୁଲ୍ ରେ ଯାଇ ନାମ ଲେଖାଇବା ପାଇଁ ପଡେ। ଗାଆଁରୁ ସେଠାକୁ ଚାଲି ଚାଲି ଯିବା ଅସମ୍ଭବ ହୋଇଥିବାରୁ ପିଲାମାନେ ବାଧ୍ୟ ହୋଇ ସହରର କୌଣସି ମେସ୍ କିମ୍ବା ନିଜର ବନ୍ଧୁ ବାନ୍ଧବମାନଙ୍କ ଘରେ ରହି ପାଠ ପଢନ୍ତି, କିନ୍ତୁ ଯେଉଁମାନଙ୍କ ପାଖରେ ସେମିତି ଆର୍ଥିକ ସମ୍ବଳ ବା ସୁବିଧା ନଥାଏ ସେମାନଙ୍କର ପାଠ ପଢା ସେଇ ପଞ୍ଚମ ଶ୍ରେଣୀରୁ ହିଁ ବନ୍ଦ ହୋଇଯାଏ। ଛୋଟ ଛୋଟ ପିଲାମାନେ ବାଧ୍ୟ ହୋଇ ବାପା ମା’ ଙ୍କୁ ଚାଷ ବାସରେ ସାହାଯ୍ୟ କରନ୍ତି ନହେଲେ ଆଉ କୋଉ ଛୋଟ ମୋଟ କାମ କରି ଜୀବିକାନିର୍ବାହ କରନ୍ତି ।

ସେଇ କାରଣରୁ ସେ ଗାଆଁ ଟି ଆଧୁନିକ ସଭ୍ୟତାରୁ ବହୁତ ପଛରେ ପଡିଥାଏ। ଲୋକମାନଙ୍କ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ର ସଚେତନତା ନଥାଏ । ଗାଆଁ ଲୋକମାନେ ଖୋଲା ପଡିଆ ରେ ମଳତ୍ୟାଗ କରନ୍ତି, ତାଙ୍କ ଗୃହପାଳିତ ପଶୁ ଯେମିତି କି ଗାଈଗୋରୁ, ଛେଳି ମେଣ୍ଢା, ବଳଦ, ମଇଁଷି ଇତ୍ୟାଦିଙ୍କୁ ସେଇ ଗାଆଁ ରେ ମଣିଷ ଗାଧୋଉଥିବା ପୋଖରୀରେ ଧୁଆଧୋଇ କରନ୍ତି, ସେଥିପାଇଁ ପ୍ରାୟତଃ ରୋଗବ୍ୟାଧିରେ ଘାଣ୍ଟ ହୁଅନ୍ତି । ଚିକିତ୍ସାର ସେମିତି ସୁବିଧା ନଥିବା ହେତୁ ଅନେକ ଅକାଳରେ ମୃତ୍ୟୁ ମୁଖରେ ପଡନ୍ତି ।

ସେଇ ଗାଆଁରେ ରହିଥାଏ ତୁମରି ପରି ଛୋଟ ପିଲାଟିଏ । ନାଆଁ ତା’ର ବିନୋଦ, ସମସ୍ତେ ଖୁସିରେ ତା’କୁ ବିଠଲ୍ ବୋଲି ଡାକନ୍ତି । ଛୋଟ ପିଲା ହେଲେ କ’ଣ ହେବ, ତା’ର ବୁଦ୍ଧି ଖୁବ୍ ଭଲ। ଶ୍ରେଣୀରେ ଖୁବ୍ ଭଲ ପାଠ ପଢେ । ବାପା ଦାମୋଦର ନାଏକ ଆଉ ମାଆ ଫୁଲମତୀଙ୍କର ତିନି ପୁଅ ଆଉ ଦୁଇ ଝିଅଙ୍କ ମଧ୍ୟରେ ବିଠଲ୍ ସବୁଠାରୁ ସାନ । ବାପାଙ୍କର ଚାଷବାସ କାମରେ ମାଆ ସାହାଯ୍ୟ କରେ , ଯାହା ଯେମିତି କରି ପରିବାର ଚଳିଯାଏ । ବଡଭାଇ ଗୋବିନ୍ଦ, ମକରନ୍ଦ ଆଉ ବଡ ଭଉଣୀ ରାଧିକା ପଞ୍ଚମ ଶ୍ରେଣୀ ପରେ ଆଉ ପାଠ ପଢି ପାରିଲେନି ଅର୍ଥାଭାବରୁ । ଭାଇ ଦୁହେଁ ଗାଆଁ ସାହୁକାରର ଦୋକାନରେ ରହି ବୋଲହାକ କରନ୍ତି ଆଉ ଭଉଣୀ ମାଆଙ୍କୁ ରୋଷେଇ ଘରେ ସାହାଯ୍ୟ କରେ। ବିଠଲକୁ ଖୁବ୍ ଦୁଃଖ ଲାଗେ ଭାଇମାନଙ୍କୁ ଝାଳନାଳ ହୋଇ ଘରକୁ ଫେରିବାର ଦେଖିଲେ। ସେ ଭାବେ ତା’ ଭାଇମାନେ ଗାଁ ର ଅନ୍ୟ ସ୍ୱଚ୍ଛଳ ପରିବାରର ପିଲାଙ୍କ ଭଳି ପାଠଶାଠ ପଢିବାକୁ ହେଲେ ସହରକୁ ଯାଆନ୍ତେ, ତା’ ଭଉଣୀ ମା’ ସହିତ ରୋଷେଇବାସ ନକରି ପାଠ ପଢନ୍ତା, କେତେ ଭଲ ହୁଅନ୍ତା ସତରେ।

 

ଏବେ ତାଙ୍କର ସ୍କୁଲ୍ କୁ ଜଣେ ନୂଆ ସାର୍ ଆସିଛନ୍ତି, କେତେ ଭଲ ଭଲ କଥା ସେ କହୁଛନ୍ତି ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିବା ଦେଶର ଉନ୍ନତି ମୂଳକ କାର୍ଯ୍ୟ ସବୁ ଶ୍ରେଣୀରେ ପଢି ଶୁଣାଉଛନ୍ତି, ସେସବୁ ଖବରକୁ ସେ ଖୁବ୍ ଆଗ୍ରହର ସହିତ ଶୁଣେ ଆଉ ମନେ ମନେ ଭାବେ ଯେମିତି ହେଉନା କାହିଁକି ସେ ସହରକୁ ଯାଇ ହାଇସ୍କୁଲ୍ ରେ ପାଠ ପଢିବ ନିଶ୍ଚୟ। ସାର୍ କହୁଥିଲେ ଭଲ ନମ୍ବର ରଖି ପାଶ୍ କଲେ ବୃତ୍ତି ମିଳିବ , ଆଉ ମେଧାବୀ ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲରେ ମାଗଣାରେ ଶିକ୍ଷା ଦିଆଯିବ । ସେଥିପାଇଁ ଆଜିକାଲି ସେ ଖୁବ୍ ମନ ଲଗାଇ ପାଠ ପଢେ ଯେମିତି କି ସେ ବୃତ୍ତି ପରୀକ୍ଷା ଦେଇ ସଫଳ ହେବ ସଇଁତିରିଶି ଚେଷ୍ଟାରେ ଲାଗିଥାଏ।

ଏଇ ସମୟରେ ତାଙ୍କର ପରିବାରରେ ଗୋଟିଏ ବଡ ଦୁର୍ଘଟଣା ଘଟି ଗଲା। ବିଠଲର ସାନ ଭଉଣୀ ଓଷାକୁ ପତଳା ଝାଡା ହେଲା, ତୁଟୁକାତୁଟୁକୀ ଔଷଧରେ ଭଲ ନହେବାରୁ ଗାଁ ଡାକ୍ତରଖାନାରେ ନେଇ ଦେଖାଇଲେ, ସେଠାରେ ଦୁଇ ତିନି ଦିନ ଚିକିତ୍ସା ହେବା ଭିତରେ ସେ ମରିଗଲା। ବାପା ମାଆ ଭାଇ ଭଉଣୀ ସମସ୍ତେ କାନ୍ଦି କାନ୍ଦି ଅସ୍ଥିର ହେଲେ, ଘରେ ରୋଷେଇବାସ ବନ୍ଦ ହୋଇଗଲା, ବିଠଲ୍ ଆଉ ସ୍କୁଲ୍ ଯାଇ ପାରିଲାନି। ନୂଆ ସାର୍ ଜଣକ ବିଠଲକୁ ଖୁବ୍ ଭଲ ପାଉଥିଲେ, ତା’କୁ ଦୁଇତିନି ଦିନଧରି ଅନୁପସ୍ଥିତ ରହିବାର ଦେଖି ଶ୍ରେଣୀର ଅନ୍ୟ ପିଲାମାନଙ୍କୁ ପଚାରିଲେ ବିଠଲ୍ କୁଆଡେ ଗଲା । କାହିଁକି ପଢିବାକୁ ଆସୁନି ବୋଲି।

ବିଠଲର ଘର ପାଖରେ ସୁଧୀରର ଘର , ସେ ଜଣାଇଦେଲା ସାରଙ୍କୁ ବିଠଲ୍ ର ଘରେ ଘଟିଥିବା ଘଟଣାଟି। ସାର୍ ଦୁଃଖିତ ହୋଇ ସୁଧୀର ସାଥିରେ ବାହାରିଲେ ବିଠଲର ଘରକୁ ତା’କୁ ଦେଖିକି ତାଙ୍କ ପରିବାରକୁ ସମବେଦନା ଜଣାଇବା ଲାଗି ।

 

ସୁଧୀର ସହିତ ଗାଁ ଭିତରକୁ ଗଲାବେଳକୁ ସାର ଦେଖିଲେ କେମିତି ଅପରିଷ୍କାର ଆଉ ଦୂଷିତ ପରିବେଶରେ ଲୋକମାନେ ରହୁଛନ୍ତି, ବାହାରେ ଖୋଲାରେ ମଳତ୍ଯାଗ କରୁଛନ୍ତି, ଅପରିଷ୍କାର ପୋଖରୀରେ ଗାଧୁଆପାଧୁଆ କରୁଛନ୍ତି । ସେ ବୁଝି ପାରିଲେ ଏଇ କାରଣରୁ ବିଠଲର ସାନ ଭଉଣୀ ଆଶା ହଇଜାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛି। ଗ୍ରାମରୁ ଅପରିଚ୍ଛନ୍ନତା ଦୂର ନେହେଲେ ଆହୁରି ଅନେକ ଲୋକ ସେଥିରେ ଆକ୍ରାନ୍ତ ହୋଇ ନିଶ୍ଚୟ ମୃତ୍ୟୁ ମୁଖରେ ପଡିବେ। ସେଇ କଥା ସେ ବିଠଲର ଘର ଲୋକମାନଙ୍କୁ କହିଲେ ଏବଂ ତାଙ୍କୁ ଦେଖି ସେଠାରେ ଆସି ଜମା ହୋଇଥିବା ଗ୍ରାମବାସୀମାନଙ୍କୁ ବୁଝାଇଲେ। ଖୋଲାରେ ମଳତ୍ଯାଗ ନକରି ନିଜ ଘରେ ପାଇଖାନାଟିଏ କରି ସେଥିରେ ନିତ୍ୟକର୍ମ କରିବା ଏବଂ ଗ୍ରାମ ପରିବେଶକୁ ସଫା ରଖିବାକୁ ପରାମର୍ଶ ଦେଲେ।

ଗ୍ରାମବାସୀମାନେ ସବୁ ଶୁଣିଲେ ମଧ୍ୟ “ ଆମ ପାଖରେ ପଇସା ନାହିଁ ପାଇଖାନା ତିଆରି କରିବା ପାଇଁ “ କହି ଯିଏ ଯାହାର ଚୁପ୍ ଚାପ୍ ହୋଇ ରହିଲେ। ଗାଆଁରେ ପୁଣି ଝାଡାବାନ୍ତି ରୋଗରେ ଆଉ ଦୁଇଜଣଙ୍କର ମୃତ୍ୟୁ ହେଲା। ବିଠଲକୁ ଖୁବ୍ ଦୁଃଖ ଲାଗୁଥିଲା ହେଲେ ସେ ନିଜେ ତ ସାନ ପିଲାଟିଏ , ସିଏ ବା କ’ଣ କରି ପାରିବ ? ବଡ ଦୁଃଖରେ ତା’ର ମନକଥା ଜଣାଇଲା ନୂଆ ସାରଙ୍କୁ ।

ସାର୍ ହସିଲେ , କହିଲେ” କିଛି ଭଲ କାମ କରିବାକୁ ଚାହିଁଲେ ଉପାୟ ଆପେ ଆପେ ଆସେ , ତୁମେ ସାନ ପିଲାଟିଏ ହେଲେ କ’ଣ ହେଲା, ତୁମେ ଯଦି ତୁମରି ଭଳିଆ ଆଉ ପାଞ୍ଚ ଜଣଙ୍କୁ ସାଙ୍ଗରେ ନେଇ ଗାଆଁ ସଫା କରିବାକୁ ଚାହିଁବ ତେବେ ତ ଜଣେ ବଡ ମଣିଷର କାମ କରି ପାରିବ ନା’ । ଯଦି ତୁମେ ମାନେ ଚାହିଁବ ତେବେ ମୁଁ ମଧ୍ୟ ତୁମମାନଙ୍କ ସହିତ ମିଶି କାମ କରିବି, ଆମକୁ ଦେଖି ଆହୁରି ଅନେକ ଲୋକ ଆମ ସାଥିରେ କାମ କରିବାକୁ ଆସିବେ, ଦେଖିବ ଆମେ ସମସ୍ତେ ମିଶି ଗାଆଁର ଏଇ ଅପରିଷ୍କାର ପରିବେଶ ନିଶ୍ଚୟ ବଦଳେଇ ଦେବା ।

ସବୁପିଲା ଏକ ସ୍ୱର ରେ କହିଲେ “ ଆମେ ବି ଯିବୁ “। ତା’ ପରଦିନ ସ୍କୁଲ୍ ସରିଲା ପରେ ସବୁ ପିଲାମାନେ ନୂଆ ସାରଙ୍କ ସହିତ ମିଶି ହାତରେ ଝାଡୁ ଧରି ଆଗ ନିଜର ସ୍କୁଲ୍ ଚାରିପଟକୁ ସଫା କଲେ। ଧୀରେ ଧୀରେ ଗାଆଁ ଭିତରକୁ ସଫା କରିବା ଆରମ୍ଭ କଲାବେଳକୁ ଅନ୍ୟ ମାନେ ମଧ୍ୟ ଯୋଗ ଦେଲେ ସେମାନଙ୍କ ସହିତ। ବିଠଲ୍ ହାତରେ ସାର୍ ଚିଠିଟିଏ ଲେଖାଇଲେ ଦେଶର ପ୍ରଧାନମନ୍ତ୍ରୀଙ୍କୁ, ତାଙ୍କ ଗାଆଁରେ ପାଇଖାନା ନଥିବାରୁ କେମିତି ଲୋକମାନେ ହଇରାଣ ହରକତ ହୋଇ ରୋଗରେ ପଡିଲୁ ମୃତ୍ୟୁ ବରଣ କରୁଛନ୍ତି, କେମିତି ସ୍କୁଲଟିଏ ନଥିବାରୁ ପିଲାମାନେ ପାଠ ଛାଡି କାମଧନ୍ଦା କରୁଛନ୍ତି, ଝିଅମାନେ ଅଶିକ୍ଷିତା ହୋଇ ବାଲ୍ୟ ବିବାହ କରିବାକୁ ବାଧ୍ୟ ହେଉଛନ୍ତି ଇତ୍ୟାଦି ଇତ୍ୟାଦି ବିଭିନ୍ନ ଅସୁବିଧା ସବୁ ଜଣାଇଲେ । ବିଠଲର ଚିଠିଟିକୁ ନିଜେ ନେଇ ସହରରେ ପୋଷ୍ଟ ଅଫିସରେ ପଠାଇଦେଲେ। ବିଠଲ୍ ଆଉ ତା’ର ସାଙ୍ଗମାନେ ସେମିତି ସାରଙ୍କ ନିର୍ଦ୍ଦେଶରେ ଗାଆଁର ପରିବେଶକୁ ନିର୍ମଳ କରିବାରେ ଲାଗି ରହିଥାନ୍ତି ।

ତିନି ମାସ ପରେ ଦିନେ ସହରରୁ ବଡ ଗାଡିଟିଏ ଆସି ଲାଗିଲା ପଣ୍ଡରପୁର ଗାଆଁରେ। ଗାଡିରୁ କିଛି ଧୋବ ଧାଉଳିଆ ପୋଷାକପିନ୍ଧା ଅଫିସର୍ ଓହ୍ଲାଇ ଆସିଲେ, ଗାଆଁର ମୁଖିଆଙ୍କୁ ଡକାଇ କହିଲେ ଆମେ ସରକାରଙ୍କ ତରଫରୁ ଆସିଛୁ, ଏ ଗାଆଁର ଦାମୋଦର ନାଏକ କିଏ ? ଆମେ ତାଙ୍କର ପୁଅ ବିନୋଦ ସାଥିରେ ଦେଖା କରିବାକୁ ଆସିଛୁ , ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ତାଙ୍କ ନାଆଁରେ ଚିଠି ଆସିଛି “।

ମୁଖିଆ ଡରି ଡରି ପଚାରିଲେ “ ଆଜ୍ଞା ଦାମୋଦର ନାଏକ ଜଣେ ଗରିବ ଚାଷୀ, ତା’ ପୁଅ ବିନୋଦ ଭାରି ସୁଧାର ପିଲାଟିଏ, ସିଏ ଏମିତି କି ଦୋଷ କଲା ଯେ ପ୍ରଧାନମନ୍ତ୍ରୀ ତା’କୁ ଚିଠି ଲେଖି ଜଣାଇଛନ୍ତି, ସିଏ ପିଲାଲୋକ ଆଜ୍ଞା, କିଛି ଭୁଲ୍ କରିଥିଲେ ମାଫ୍ କରି ଦିଅନ୍ତୁ” ।

ଅଫିସର୍ ଜଣକ ହସିଲେ, କହିଲେ ନା’ ନା’ ସେମିତି କିଛି ଦୋଷ କରି ନାହିଁ ବରଂ ତୁମ ଗାଆଁର ଭାଗ୍ୟ ବଦଳାଇ ଦେଇଛି।ତୁମ ଗାଆଁର ଅସୁବିଧା ସବୁ ଚିଠି ଲେଖି ଜଣାଇଥିଲା ପ୍ରଧାନମନ୍ତ୍ରୀ ଙ୍କୁ । ସେଇ ଚିଠି ପଢି ପ୍ରଧାନମନ୍ତ୍ରୀ ଜୀ ଏତେ ଖୁସି ହୋଇଛନ୍ତି ଯେ ସେ ତୁମ ଗାଆଁ କୁ “ ସ୍ୱଚ୍ଛ ଭାରତ ଅଭିଯାନ “ ରେ ଅନ୍ତର୍ଭୁକ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆମମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ମୁଁ ଥରେ ସେଇ ଛୋଟ ପିଲାଟିକୁ ଦେଖିବାକୁ ଚାହୁଁଛି, ଯିଏ ଏତେ ବଡ କାମଟିଏ କରି ପାରିଛି, ଯାହା ଆମ ମାନଙ୍କ ଦ୍ଵାରା ବର୍ଷ ବର୍ଷ ଧରି ସମ୍ଭବ ହୋଇ ପାରି ନଥିଲା, ତାହା ସେ ଏତେ କମ୍ ସମୟ ମଧ୍ୟରେ ନିଜ ଇଚ୍ଛାଶକ୍ତି ବଳରେ କରି ପାରିଛି ।”

ଖୁବ୍ ଖୁସି ହୋଇ ମୁଖିଆସେଇ ଅଫିସର୍ ମାନଙ୍କୁ ଗାଆଁ ଭିତରକୁ ସ୍କୁଲ୍ ପାଖକୁ ନେଇଗଲେ, ସେଠାରେ ବିଠଲକୁ ପରିଚିତ କରାଇ ଦେଲେ। ସମସ୍ତେ ବିଠଲକୁ ବାଃ ବାଃ କରି ଖୁବ୍ ପ୍ରଶଂସା କଲେ। ଗାଆଁରେ ସେମାନଙ୍କ କାମ ଦେଖି ଖୁବ୍ ଖୁସି ହେଲେ।

ବିଠଲର ସାଙ୍ଗସାଥୀ ଏବଂ ବିଠଲ୍ ସମସ୍ତେ ମିଶି ନୂଆ ସାରଙ୍କ ଉପଦେଶ ଆଉ ପ୍ରେରଣା ଯୋଗୁ ଏଇ ଅସମ୍ଭବ କାମଟିଏ ସମ୍ଭବ ହୋଇ ପାରିଛି ବୋଲି ସମସ୍ତଙ୍କୁ ଜଣାଇଲେ । ବିଠଲର ଦୃଢ ନିଶ୍ଚୟ ଆଉ ଇଚ୍ଛାଶକ୍ତି ବଳରେ ପଛୁଆ ଗାଆଁ ଟି ଅଳ୍ପ ଦିନ ମଧ୍ୟରେ ଗୋଟିଏ ଅତ୍ୟାଧୁନିକ ଗାଆଁରେ ପରିଣତ ହୋଇଥିଲା ।ବିଠଲ୍ ଉପରେ ସବୁ ମହଲରୁ ପ୍ରଶଂସା ସଜାଡି ହୋଇ ପଡିଥିଲା।।

ଶାରଳା ଭବନ ପୋତାପୋଖରୀ
ନୂଆବଜାର କଟକ-୭୫୩୦୦୪
ମୋ : ୯୩୩୭୨୭୨୬୪୭

Leave A Reply

Your email address will not be published.