Latest Odisha News

BREAKING NEWS

କବିତା : ମୁଁ ବିକ୍ରମାଦିତ୍ୟ

ବିଜୟ କୁମାର ପାତ୍ର

ମୁଁ ବିକ୍ରମାଦିତ୍ୟ !
ଅଶରିରୀମାନଙ୍କ ବୋଝରେ
ମୁଁ ବିଭୋର,
ଏଠି ନାହିଁ ଇନ୍ଦ୍ରିୟର ଇନ୍ଦ୍ରଜାଲ,
ମାୟାବୀ ମରୀଚିକା ପଛରେ
ପଥଭ୍ରଷ୍ଟ ହେବାର ଭୟ,
ଏଠି ସୂର୍ଯ୍ୟ ଧଳା
ଚନ୍ଦ୍ର ଧଳା ;
ପ୍ରକୃତି ଓ ପୁରୁଷ ଉଭୟ ବି

ଶବ ତ୍ୟାଗୀ
କାଳାନ୍ତକ ଏମାନେ,
ଜୀବନ ଦର୍ଶନର
ନିଖୁଣ ବୁଣାକାର ;
ଗତକାଲିର ଅସମାହିତ
ପ୍ରତ୍ୟେକ ପ୍ରଶ୍ନ
ସାଇତି ରଖନ୍ତି ;
ବିକ୍ରମାଦିତ୍ୟ ଅପେକ୍ଷାରେ,
ଏଠି ଭୃଣ ପଚାରେ ;
ଅଳିଆ ଗଦାରେ ଫିଙ୍ଗିଥିବା
ମଣିଷ ଚରିତ୍ର,
ଖାଦ୍ୟ କ୍ଲୀଷ୍ଟ ଶିଶୁ କହେ
ଲିଙ୍ଗଭେଦ କଥା

କିଶୋର କଙ୍କାଳମାନେ
ଅଧାରୁ ଛାଡିଥିବା
ଖେଳର ଆସର ବସାନ୍ତି,
ହାର ଜିତ ଭିତରେ ଥିବା
ଫରକର ଦୈର୍ଘ୍ୟ;
ମାପିବାକୁ ବାଧ୍ୟ କରନ୍ତି,
ପଥଭ୍ରଷ୍ଟ ଯୁବକ
ନୂଆ କରି ସଂସାର ବସାଏ,
ନ ଥାଏ ପ୍ରେମିକାର ସ୍ପର୍ଶ ;
ହୋମ ନିଆ,
ସାହି ପଡିଶାଙ୍କ ହୁଳହୁଳି,
ଅଯଥାରେ…
ବିକ୍ରମାଦିତ୍ୟର ମୁଣ୍ଡ ବନ୍ଧା ପଡେ
ପ୍ରେମର ସଜ୍ଞା କହୁ କହୁ

ନିଷ୍କ୍ରିୟ ଜରା ଓ ଜରାୟୁ,
ଅତୀତର ସ୍ମୃତି ଗୁଚ୍ଛ
ସାଉଣ୍ଟୁ ସାଉଣ୍ଟୁ,
ରୂପା ଗାଁ, ସୁନା ଚାନ୍ଦିନୀ
ବଉଳ ଛାତିରେ
ଆଙ୍କିଥିବା କ୍ଷତ,
ମାଠିଆର କୋମଳ ସ୍ପର୍ଶରେ
କୂଅ ମୂଳେ ଗଢ଼ିଥିବା;
ଛୋଟିଆ ବୃତ୍ତର
ପରିଧି ମାପୁ ମାପୁ,
ବେଳ ଗଡିଯାଏ
ବିଚରା ବିକ୍ରମାଦିତ୍ୟ ଥକି ପଡେ,
ପୁଣି..
ଏନ୍ତୁଡିରୁ ଜୁଇର ଦୂରତା ଭିତରେ..

ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ
ଢେଙ୍କାନାଳ ସଦର, ଢେଙ୍କାନାଳ.

Comments are closed.