Latest Odisha News

କବିତା: ପ୍ରିୟତମା

ମାନଗୋବିନ୍ଦ ବାରିକ

ତୁମେ ମୋ’ ପ୍ରାଣର ମୁଗ୍ଧ-ମଧୁଶାଳା
ପ୍ରଣୟର ମୁଖବନ୍ଧ,
ତୁମେ ମୋ’ ମନର ସୁନେଲି ସପନ
ରୋମାଞ୍ଚର ପ୍ରିତୀଛନ୍ଦ।

ସ୍ନେହ ମମତାର ଅମୀୟ ଆହ୍ଲାଦ
ରେଶମୀ ରଜ୍ଜୁରେ ବନ୍ଧା,
ଶ୍ରଦ୍ଧା ସମ୍ପ୍ରୀତିର ନୀରବ ପ୍ରବାହ
ପବିତ୍ର ଅଳକାନନ୍ଦା।

ନିସ୍ତବ୍ଧ ନିଶିର ଅମା ଆକାଶରେ
ଜ୍ୟୋତ୍ସ୍ନାମୟୀ ଜହ୍ନ ରାତି,
ଅନନ୍ତ ତୃପ୍ତିର ବର୍ଣବିଭା କାନ୍ତି
ଦେହ-ଦହନର ତାତି।

ପୀରତି ପଖଳା ପ୍ରେମସାଗରରେ
ଶ୍ରାବଣ ଉଛୁଳା ବନ୍ୟା,
ଉତ୍ତାଳ ଉର୍ମିର ଉନ୍ମତ୍ତ ପ୍ଳାବନ
ଅପରୂପା ମତ୍ସ୍ୟ କନ୍ୟା।

ଚଇତି ରାତିର ଚନ୍ଦ୍ରାବଳୀ ତୁମେ
ରୂପବତୀ ରୁପା ଜହ୍ନ,
ବୈଶାଖୀ ସଞ୍ଜର ଦେହର ଦହନ
ବେଦନା-ବିଧୁର ପ୍ରାଣ।

ଶ୍ରାବଣୀ ରାତ୍ରୀର ବର୍ଷା ସିକ୍ତାଧରା
ଭିଜାମାଟି ପ୍ରିତୀ-ବାସ୍ନା।
ଫଗୁଣ ମଳୟ କ୍ଳାନ୍ତ-ଅପରାହ୍ଣ
ମନ-ଗହନର ତୃଷ୍ଣା।

ସୁପ୍ତ ପ୍ରତୀକ୍ଷାର ଗୁପ୍ତ ଅଭିସାର
ପ୍ରେମ ପୀୟୂଷର ଧାରା,
ମନ ମଧୁପର ସୁଧାଭରା ମଧୁ
ରତିର ପ୍ରିତୀ-ପସରା।

ମନ ମନ୍ଦିରର ତପସ୍ୟା ବେଦୀରେ
ପ୍ରିୟା ପ୍ରଣୟ ବଲ୍ଳରୀ,
ରଙ୍ଗ ମହଲର ନୀରବ ନିଶିରେ
ନୃତ୍ୟ ନିପୁଣା ମୟୂରୀ।

ମନ ଯମୁନାର କଦମ୍ବ ମୂଳରେ
ରାଇ ରାସ ବିନୋଦିନୀ,
ମୋହନ ବଂଶୀର କୁହୁକ ସ୍ୱନରେ
ମନ୍ତ୍ରମୁଗ୍ଧା ପ୍ରମୋଦିନୀ।

ପ୍ରାଣ ଦୀପାଳିର ଅମ୍ଳାନ ବର୍ତ୍ତିକା
ଚିରଦୀପ୍ତ ତେଜସ୍ୱିନୀ,
ହୃଦୟତନ୍ତ୍ରୀର ପ୍ରିତୀ ସ୍ପନ୍ଦନରେ
ପ୍ରଣବ ଓଁକାର ଧ୍ୱନୀ।

ବାସ-ଶ୍ରେୟା 
ଏମ୍. ଆଇ. ଜି.-୭୫,ବି ଡି ଏ କଲୋନୀ, ଫେଜ୍-୧,
ପୋଖରୀପୁଟ, ଭୁବନେଶ୍ୱର-୭୫୧୦୨୦ ।

Comments are closed.