Latest Odisha News

BREAKING NEWS

କବିତା : ଏଥର ଚୁପ ରୁହ

ନିରଞ୍ଜନ ନାୟକ

ସରଳ ମଣିଷମାନେ
ଚିତ୍କାର କର ଯେତେ ଗଳା ଫଟାଇ
କାକୁତି ମିନତି ହୁଅ
କେହି ଶୁଣିବେନି
ରାସ୍ତା ରେ ଧାରଣା !
ସଂଗ୍ରାମ ! ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ
ହଙ୍ଗର ଷ୍ଟ୍ରାଇକ ଏସବୁର କ’ଣ
ମୂଲ୍ୟ ଅଛି !

ସେମାନେ ପରା କିଣିନିଅନ୍ତି
ତୁମ ଦଳର ଯେଉଁ ଦଳପତି ସର୍ଦ୍ଦାର
ତମର ଯିଏ ମୁଖ୍ୟ ବା !!!!
ସେ କେମିତି ପ୍ରଲୋଭିତ ହୋଇ
ରାତି ରାତିକା ହୋଇଯାଏ କୋଟିପତି
କୁହତ !

ଯେମିତି ଗୋରା ସରକାର
ଆମକୁ ଦୁଇଶହ ବର୍ଷ
ପରାଧିନ କରି ଶାସନ କରୁଥିଲେ
ଠିକ ସେମିତି ହିଁ
ଗୋଲାମ ଏଠି ପାଦ ଚାଟେ !

ତୁମ ଭିଟାମାଟିରେ ଆଉ କ’ଣ
ତୁମ ଅଧିକାର ଅଛି ?
ନା ! ନା !
ତୁମ ର ବିଲ ବଣ ଗଛ ଲତା ପାଣି
ଅକ୍ତିଆର ପରେ ତୁମ ଅଧିକାର ଏବେ
ମୃତ!

ସର୍ଦ୍ଦାରମାନେ ନିଜ ତୁଣ୍ଡ ମୁଣ୍ଡ
ବିକିଦେବା ପରେ
ଶହ ଶହ ବର୍ଷ ର ଡଙ୍ଗର ଜଙ୍ଗଲ
ଧରତି ଆବା ଏବେ ଲହୁ ଲୁହାଣ!

ଏଇ ଦେଖ
ଏଠି ଭାସୁଛି ଜଳରେ ଜହର
ପବନ ବିଷାକ୍ତ
ମାଟି ରକ୍ତାକ୍ତ
ସେମାନେ କୃତକୃତ୍ୟ
ଏମାନେ କୃତବିଦ୍ୟ
ସବୁ ଚରିଯାଉଥିବେ
ପ୍ରକୃତି ସରିଯାଉଥିବ !

ସବୁ ଦିନପରି
ବନ୍ଧୁକମୁନ ନାଲିଆଖି ରାଜନୀତି
ସରଳପଣକୁ ଗିଳି ଦେଉଥିବ
ପୁଞ୍ଜିପତିଙ୍କ ପାଟିର ଆଁ ଭିତରେ
ମାଟି ପାଣି ପବନ ଡଙ୍ଗର ଜଙ୍ଗଲ
ଗ୍ରାସ ଯାଉଥିବ
ଏମିତି ତମ ଆମ
ଅଧିକାର ସବୁର ମୃତ୍ୟୁ ହେଉଥିବ
ସତ ହାରି ଯାଉଥିବ
ମିଛ ଏଠି ଜିତୁଥିବ ।

ଟିକିରି ରାୟଗଡା

Leave A Reply

Your email address will not be published.