Latest Odisha News

BREAKING NEWS

ଏବେ ବଞ୍ଚିଛି ଅନ୍ଧବିଶ୍ବାସ : ମୃତ ପିଲାକୁ ଜୀବିତ କରିବାକୁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା, ଭିଡିଓ ଭାଇରାଲ

ଜଳେଶ୍ବର : ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ। ମୃତ ନାବାଳକକୁ ଜୀବିତ କରିବା ପାଇଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପରିବାର ଲୋକେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା  ଝାଡପିମ୍ପଳ ଗାଁରେ  । ସୂଚନା ଅନୁଯାୟୀ ଝାଡପିମ୍ପଳ ଗାଁର ତ୍ରିପାନ ଦଣ୍ତପାଟଙ୍କ ୧୪ବର୍ଷର ନାବାଳକ ପୁଅ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲା  । ମାତ୍ର ଗାଧୋଇବା ପରେ ସେ ଆଉ ଘରକୁ ଫେରି ନଥିଲା। ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଖରୀରେ ଭାସୁଥିବାର ଦେଖି ପାଟି କରିବାରୁ ଗ୍ରାମବାସୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଖରୀର ମାଲିକ ସେଠାରେ ବିଦ୍ୟୁତ୍ ସଂଯୋଗ କରିଥିବାରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଥିଲା  ।  ପରେ ଉତ୍ତ୍ୟକ୍ତ ଲୋକେ  କ୍ଷତିପୂରଣ ଦାବିରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ତେବେ ଏହି ସମୟରେ ଗାଁର ଜଣେ ବ୍ୟକ୍ତି  ଗାଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମୃତ ପୁଅ ବଞ୍ଚିଯିବ ବୋଲି କହିବା ପରେ ପରିବାର ଲୋକେ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ତେବେ ପୂଜାର୍ଚ୍ଚନା ପରେ ମୃତ ପୁଅ ଜୀବିତ ନହେବାରୁ ପୁଣି ପରିବାର ଲୋକେ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ। ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହା ଫଳରେ ମୃତ ପୁଅକୁ ଧରି ପରିବାର ଲୋକେ ନିରାଶ ହୋଇ ଘରକୁ ଫେରିଥିଲେ। ତେବେ ଆଜିର ବିଜ୍ଞାନ ଯୁଗରେ ମୃତ ପିଲାର ଜୀବନ ବଞ୍ଚାଇବା ପାଇଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.