ପ୍ରସେନଜିତ ସେଠୀ
ଆଗୋ ଚନ୍ଦ୍ର ମୁଖି ମୃଗ ସମ ଆଖି
ବଣ ମଲ୍ଲୀ ବାସ ତୁମେ,
ସଦ୍ୟ ପ୍ରସ୍ଫୁଟିତା ଗୋଲାପ କଢି ଗୋ
ବସା ବାନ୍ଧିଛ ମୋ ମନେ !!
ଆପାଦ ମସ୍ତକ ଶୋଭାରାଜି ତବ
ଦେଖିଲେ ପାଗଳ ଚିତ୍ତ
ସ୍ଵର୍ଗରୁ ସତେକି ଅପସରା ଗଣ
ମର୍ତ୍ତ୍ୟ ପରେ ସମାହିତ !!
ସ୍ଵର ତବ କାନେ କୋଇଲିର ଭ୍ରମ
ହସ ଯେ ଅମୂଲ ମୂଲ
ଚାଲିଯାଅ ଯେବେ ରାଜହଂସୀ ସାଜି
କିଏ ହେବ ତାର ତୁଲ !!
ଜହ୍ନର ଯୋଛନା ହୁଏ ପରାହତ
ଦେଖି ସେ ଉଜ୍ଜ୍ବଳ ମୁଖ
ଫୁଲ ବି ଭାବଇ କୋମଳତା ତାର
ତୁମ ସ୍ପର୍ଶ ଆଗେ ତୁଚ୍ଛ !!
ରକ୍ତ ଜବା ସମ ଲଳିତ ଅଧର
ଲୋଭାନ୍ଵିତ ଦର୍ଶନରେ
ସେ ଓଷ୍ଠରେ ହସ ଫୁଟିବା ଦେଖିଣ
ଉନ୍ମାଦ ଖେଳେ ମନରେ!!
ଚିବୁକରେ ତବ ସେ କ୍ଷୁଦ୍ର ଗହ୍ଵର
ଈଶ୍ବରଙ୍କ ବରଦାନ
ଶୋକ ବା ଉଲ୍ଲାସେ ତବ ଶ୍ରୀମୁଖରେ
ଭରୁଥାଏ ଶିହରଣ !!
ରୂପ ଓ ଗୁଣର ଯେତେ ଚର୍ଚ୍ଚା କଲେ
ଶବ୍ଦ ତ ପଡ଼ିବ ଉଣା
ତୁମେ ହିଁ ତ ସ୍ବପ୍ନ, ତୁମେ ମୋର ଭାବ
ତୁମେ ଏ କବି କଳ୍ପନା !!
ତବ ସାଥେ ଯେବେ ବାର୍ତ୍ତାଳାପ କରେ
ସ୍ୱର୍ଗୀୟ ଆନନ୍ଦ ଲଭେ
ତବ ନୀରବତା ଅସହ୍ୟ, ଦାରୁଣ
ବିଷାଦରେ ବଞ୍ଚେ ଭବେ !!
ଜାଣିନି ମୁଁ ତବ ମନର ଭାବନା
ଆଗୋ ସ୍ବର୍ଗର ସୁନ୍ଦରୀ
ଅଜାଣତେ ତବ ପ୍ରେମେ ମୁଁ ବିଭୋର
ଭାଗ୍ୟକୁ ଭରଷା କରି !!
କରୁଛି ଗୋ ପ୍ରିୟା ପ୍ରେମ ନିବେଦନ
ହେବ କି ଜୀବନ ସାଥୀ
ନିତି ଦିନ ମିଶି ଖୁସିରେ ବଞ୍ଚିବା
ଢାଳି ପ୍ରେମ ଆଉ ପ୍ରୀତି !!
ବାଲିଆ ଗୋପୀନାଥପୁର
ଜଗତସିଂହପୁର
Comments are closed.