ରାମକୃଷ୍ଣ
ବନ୍ଦ ଝର୍କା ଫାଙ୍କରେ ଦେଖିଲୁ
ବରଫ ଶୃଙ୍ଗ ଉପରୁ
ଡେଇଁ ପଡୁଥିବା ରକ୍ତର ପ୍ରପାତ
ପ୍ରଜାପତି ପରି ଉଡୁଥିବାର ଦେଖିଲୁ
ଲଙ୍ଗଳା ଶିଶୁମାନଙ୍କୁ ତାରାଙ୍କ ବଗିଚାରେ
ଜହ୍ନରାତିରେ ଶୁଣିଲୁ
ବନ୍ଦ କବାଟ ସେପଟେ ସମୁଦ୍ରର ଡାକ
ଉପାୟ କାହିଁ
ସଜାଗ କାନ୍ଥମାନଙ୍କ ପହରାରୁ
ଖସି ପଳାଇ ଯିବାର
ଯେତେଥର ଆମେ ପାଦ ଥୋଇଛୁ
ଏରୁଣ୍ଡି ବନ୍ଧରେ, କେହି ନା କେହି
ସାମ୍ନାରେ ଛିଡାହୋଇ ଓଗାଳିଛି ବାଟ
କେତେବେଳେ ବାପାଙ୍କ ରକ୍ତଚାପ
ତ କେତେବେଳେ
ଅଳିଆଗଦାର ମାଲିକାନା ପାଇଁ ରକ୍ତପାତ
ପୁଣି କେତେବେଳେ
ଗର୍ଭସ୍ଥ ଶିଶୁର ମୌନ ପ୍ରତିରୋଧ !
ସାରାଦିନ ବିତିଗଲା
ପେଟର ଅଭିଯୋଗ
ଓ ଦେହର ଦାବୀ ଶୁଣିବାରେ
ଘର ଲିପାପୋଛା ଓ ଦୁଃଖ ଘଉଡିବାରେ
ପିଲାବେଳୁ ଦେଖିଥିବା ସ୍ବପ୍ନର ସ୍ମୃତିରୁ
ଧୂଳି ଝାଡିବାରେ !
ତଳିପାଦରେ ଫୁଟିଥିବା ଛତୁ ଦେଖି
ଆମେ ଚିତ୍କାର କଲୁ ଭୟରେ
କ୍ରୋଧରେ ଅନୁଶୋଚନାରେ
ପଚାରିଲୁ ଆମ କାରାବାସର କାରଣ
କେହି ଉତ୍ତର ଦେଲେ ନାହିଁ
ମୂକକାନ୍ଥ, ଦୁର୍ବଳ ଦେହ, ଅବଶ ଭୋକ
ଚୂପଚାପ୍ କବାଟ ଖୋଲିଲେ
ହାତରୁ ଖୋଲିଲେ ବେଡି ପାଦରୁ ଶିକୁଳି
ଛାଡିଦେଇ ଆସିଲେ ଅପରିଚିତ ରାସ୍ତାରେ
ରାତି ଅନ୍ଧାରରେ ।
Comments are closed.