Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୬

ମାଆଙ୍କ ସହିତ ବୁଲିବାକୁ ଯିବାର ମଜା ସତରେ ବହୁତ ଅଲଗା। ବହୁତ ଆକଟ ନୁହେଁ, ସାମାନ୍ୟ କରନ୍ତି ସେ। ମନପସନ୍ଦର ଲୁଗାପଟା ସହ ମନପସନ୍ଦର ଖାଇବା ମିଳିଗଲେ ହେଲା। ଅଞ୍ଜୁକୁ ଦେଖିବା ପାଇଁ ସଜବାଜ ହୋଇ ବାହାରିପଡୁ ଆମେ କେବେ କେମିତି । ବାପା ଅଫିସକୁ ନେଇ ବ୍ୟସ୍ତ ରୁହନ୍ତି। ଏତେ ଖୁସିବାସିଆ ମନଟା ନିରସ ହୋଇଯାଏ ପହଞ୍ଚିଗଲେ ସେଠାରେ। ଦୁଷ୍ଟଟେ, ସବୁବେଳେ ଝଗଡା କରିବ, ନହଲେ ଆମ୍ପୁଡି ଦାବୁଡି କାମୁଡି ପକେଇବ। ହସ ଲିଭିଯିବ ମୋ’ ମୁହଁରୁ। ମଜା ବାହାରେ ମୋ’ର ସେବେଳରେ। ମାଆ ବୁଝି ପାରନ୍ତି। ଆଉ ସେଇଥିପାଇଁ ପଳେଇ ଆସନ୍ତି ନିର୍ଦ୍ଧାରିତ ସମୟର ବହୁପୂର୍ବରୁ। ଭଲ ଲାଗେନି ମୋତେ। ମାଆଙ୍କର ଖୁସି ହଜିଗଲେ ମନ ଖରାପ ହୋଇଯାଏ ବେଶି। ଆମ୍ପୁଡା କ୍ଷତ ଭଲ ହୋଇଗଲା କି ନା। ଧିରେଧିରେ କମ୍ ହେଲା ଯିବା।

ଆମଘରେ ତେଣୁ ମୁଁ , ମାଆ ଓ ବାପାଙ୍କ ସହ ହୋ ହୋ ହସର ଫୁଆରା ସହ ବଞ୍ଚୁଥିଲୁ। ବହୁତ ମଜା। ବହୁତ ଖୁସି। କୋଉ କଥାକୁ ନିଘା ନାହିଁ। ମାଆ ଓ ବାପା ଦୁହେଁ ଦୁହିଁଙ୍କ ସହିତ ପାଦରେ ପାଦ ମିଳେଇ ଚାଲୁଥିଲେ ବଡ ଖୁସିରେ, କାହାକଥାକୁ କାନ ନଦେଇ। ରଞ୍ଜୁର ଆଉ ଅଭାବ କ’ଣ ? ଡର କ’ଣ ? ସବୁତ ହାତ ମୁଠାରେ। ସ୍ବର୍ଗ ତ ଦେଖିନି, ଯାହା ବୁଝିଚି, ସେତିକି ହେଉଚି ଆମ ଘର। ଅଜସ୍ର ଖୁସିର ଲହର ।ଅଫୁରନ୍ତ ଆନନ୍ଦର ଢେଉ, ମିଠାକଥାର ସ୍ବର ସବୁ ମିଶିଲେ ଆମ ଘର।

ଛୁଟିଦିନ ଗୁଡିକରେ ବିଛଣା ଚାଦର କି ସତରଞ୍ଜି ଖଣ୍ଡେ ହାତରେ ଧରି, ବାଦାମଭଜା,ପାଣି ବୋତଲ ସହ ସହର ମୁଣ୍ଡରେ ବହିଯାଉଥିବା ଟିକି ନଈ ବାଲିରେ ବସି ବନସୀକଣ୍ଟା ସହ ବାପାଙ୍କ ଦୋସ୍ତି, ମାଆ ସହିତ ମୁଁ ବାଦାମଭଜା ଖାଉ ଖାଉ ପାଣିରେ ଚବରଚବର। ବାଦାମ ଖୋଳପା ସବୁ ମୋତେ ଲାଗେ ଛୋଟ ଜୋତା ପରି। ବାଲି ଉପରେ ରଖିଲେ ଲାଗେ ଓଟ ଭଳି। ଅଜବ ମୋ’ର ଚିନ୍ତାକୁ ନେଇ ମାଆ ଓ ବାପା ହସି ହସି ବେଦମ ହୁଅନ୍ତି। ହାତରେ ପରଖି ପରଖି ବ୍ୟାଗ ଭିତରେ ଛୋଟ ପଥର ନେଇଆସୁ ବଗିଚାରେ ରଖିବା ପାଇଁ। ଆଉ ସୂର୍ଯ୍ୟାସ୍ତ ପାଣିରେ ଝଲମଲ ରଙ୍ଗର ଖେଳ। କେବେ ପୁଣି କିଛି ମାଇଲ ଦୂରରେ ଥିବା ସମୁଦ୍ର କୂଳକୁ ଯାଉ। ସମୁଦ୍ର ପାଣି ଛିଞ୍ଚି ହୋଇ ମୁଣ୍ଡିଆ ମାରିବା ପରେ ବାଲିରୁ ଶାମୁକା ଖୁଣ୍ଟୁ। ଛୋଟଛୋଟ ରସଗୋଲା, ପେଡା, ସରୁବୁନ୍ଦି ଲଡୁ, ଝାଲମୁଢି ଖିଆ ସବୁ ହଜିଗଲା ନିମିଷକରେ।

ମାଛ ଧରିବାକୁ ବହୁତ ଭଲ ଲାଗୁଥିଲା ବାପାଙ୍କୁ। ଛୋଟିଆ କିଛି ମିଳିଗଲେ ମାଆ ତାଳିମାରି ମୋତେ ବି ତାଳିମାରିବାକୁ ଉସୁକାଆନ୍ତି। ନ ମିଳିଲେ ବି ସମାନ ହସ ଝରେ। ମୋତେ ଜମା ଭଲ ଲାଗେନି ମାଛ ଧରିବାକୁ। ଥାଉ ସେ ତା’ ଘରେ। ତା’ ସାଙ୍ଗ ସାଥି ମେଳରେ। ତା’ ମାଆ, ବାପାଙ୍କ ପାଖରେ। କାହିଁକି ନେଇ ଆସୁଛ ତା’କୁ ସମସ୍ତଙ୍କ ପାଖରୁ ?’ ଏକଥା ବାରମ୍ବାର ଦୋହରାଉଥିଲି।

ବାପା ଛାଡିଦେଲେ ମାଛଧରା, ପରେ ମାଛ ଖାଇବା ଛାଡିଦେଲେ। ତାପରେ ହଜାଇଦେଲେ ନିଜକୁ ମହାଜାଗତିକ ଶକ୍ତି ପାଖରେ। ତାଙ୍କ କଣ୍ଠରୁ, ‘ ତମସାର ପାର ଅଚ୍ଛେଦ୍ୟ ବର୍ଣ୍ଣ ‘ ଝରିବାର ସମୟ ସତରେ ଶୁଣିଥିବା ଲୋକହିଁ ଅନୁଭବ କରିପାରିବ କେବଳ। ମୃତ, ଜଡବି ଜୀବନ୍ତ ସେବେଳରେ। ଏତେସବୁ କଥା, ଏତେସବୁ କାମ ଯାହାଦ୍ବାରା ହୋଇପାରେ ସେହିଁ ଅଚାନକ ଚାଲିଗଲେ ସମସ୍ତଙ୍କୁ ଛାଡି। ଲଡବଡିଆ ଗୋଡରେ ତାକତ ଆସିବା ପୂର୍ବରୁ ଏକଲା କରିଦେଲେ କିପରି ? ଭରସା ନଥିଲା ନା ଅନ୍ତଃହୀନ ଆତ୍ମବିଶ୍ବାସ ତୁଟିଗଲା ଠକ୍ କରି। ସଶକ୍ତ ନକରି ଏମିତି ଏକୁଟିଆ ଛାଡିଗଲ, କୁମ୍ଭୀର ଖାଇଲାକି ତିମି ନେଲା, ବାଘ ଧରିଲା କି ସାପ ଗୁଡେଇଲା କିଛି ବୁଝିଲନି, ଭାବିଲନି ସେବେଳରେ ଟିକିଏ ।

ସବୁ ମଣିଷ ସମାନ ନୁହଁନ୍ତି। ତିଥିର ଘର ଲୋକେ ଭାରି ବଢିଆ। ଉନ୍ନତ ଚିନ୍ତାଧାରା ଓ ନିରପେକ୍ଷ ଭାବନା ସେମାନଙ୍କର। ହେଉ ସମାଜର କି ପଡୋଶୀ କି ଭାଇ ବନ୍ଧୁ , ସମସ୍ତଙ୍କ କଥାକୁ ହସି ଉଡେଇ ଦେଇଛନ୍ତି। ଅଲୋଡା କଥାରେ ମୁଣ୍ଡ ନପୂରେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆପ୍ରାଣ ଚେଷ୍ଟାକୁ ମାନିବାକୁ ପଡିବ ସେମାନଙ୍କର। ନହଲେ ତ ପଛରେ ରହିଯିବ ସବୁଦିନ ପାଇଁ । ଜୀବନ ହସିବ, ବିଦ୍ରୁପ କରିବ ସେତେବେଳେ। କିଛି ତ ଉଦ୍ଦେଶ୍ୟ ରଖି ବଞ୍ଚିବା। ଖାଲି ଖାଇ,ପିଇ, ଆରାମ କରିବା ନା ଦୁଃଖ ଆସିଲେ ହା ହତୋସ୍ମି କହି ଭାଙ୍ଗି ପଡିବା। ଜୀବନ ମାନେ ସମସ୍ୟା  ଜୀବନ ମାନେ ଯୁଦ୍ଧ  ଜୀବନ ମାନେ ସଂଘର୍ଷ। ଜୀବନରେ ବଞ୍ଚିବାର କୌଶଳକୁ ସଠିକ ଭାବରେ ଆପଣେଇ ପାରିଲେ ସବୁ ଦୁଃଖ ହରିଯିବ ନିଶ୍ଚୟ। ସଂଗୋପିତ କୋହକୁ ଲୁଚେଇ ହସିପାରିଲେ ଶତ୍ରୁର ଆଖି ବିସ୍ଫୋରିତ ହୋଇଯିବ। ଆଉ ଟିକିଏ କିଛିକଥାରେ ଭାଙ୍ଗି ପଡିଲେ ସେଇମାନେ ହିଁ ନାକରେ କାଠି ଦେଇ ହସିବେ। ଜୀବନତ ପାଞ୍ଚ ଅନ୍ଧଙ୍କର ହାତୀ ଦେଖିବାର କାହାଣୀ । ସମଗ୍ର ଭାବରେ କିଏ ଦେଖିପାରିବ ନା ଆକଳନ କରି ପାରିବ!

Leave A Reply

Your email address will not be published.