Latest Odisha News

କବିତା : ଶେଷ ଦୃଶ୍ୟ

ରାମକୃଷ୍ଣ

ମୁଁ ପହଁଞ୍ଚିବା ବେଳକୁ
ଭାଙ୍ଗି ଆସୁଥିଲା ଆସର
ତଥାପି ଶୁଣିବାର ସୌଭାଗ୍ୟ ମିଳିଲା
ସବାଶେଷ ଗୀତର ସବାଶେଷ ଅନ୍ତରା

ରାତି ଚୂପ୍ କରିଦେବାକୁ ବସିଥିବା
ପକ୍ଷୀମାନଙ୍କ କୋରସ୍ ବି ଶୁଣିଲି
ମୁଁ ବଞ୍ଚିଛି ବୋଲି ଜାଣି
ଆଶ୍ବସ୍ତ ହେଲି

ମୁଁ ଏଠି ଥିଲି ଯଦିଓ
ନିଜ କବର ଖୋଳିବାରେ
ସାରାଦିନ ବ୍ୟସ୍ତଥିଲି,
ମୃତ୍ଯୁ ପରେ କେମିତି
ପିରାମିଡ୍ ପରି ଛିଡାହେବି
ତାର ସ୍ବପ୍ନ ଦେଖୁଥିଲି

ଯେ କୌଣସି ମୁହୂର୍ତ୍ତରେ ଏଥର
ପଡିପାରେ ଯବନିକା ଶେଷ ଦୃଶ୍ୟର
ଶେଷ ଦୃଶ୍ୟରେ ଯେହେତୁ
ଆବର୍ଜନାର ପାହାଡ
ପୋଲିଥିନ୍ ବେଗରେ
ସଢ଼ା ପରିବା ଚୋପା
ଓ ଶିଶୁ ମାନଙ୍କର ଗଳିତ ଶବ

ଏହାପରେ ସତରେ କଣ
କେହି ଆସିବେ
ପାଦ ରଖିବା ପାଇଁ ସତରେ
ଜାଗା ଥିବ ଏ ପୃଥିବୀରେ ?

Comments are closed.