ଶ୍ୟାମା ପ୍ରସାଦ ମିଶ୍ର
ଦେଖ-
ଏଠି କେମିତି ଯେ
ସମୁଦ୍ର ଯାକର ଶୋଷରେ ହଜିଯାଏ
ତୁମ ଇଚ୍ଛାର ପରିବ୍ୟାପ୍ତ ଆକାଶ
ଏବଂ ପ୍ରତିଟି ମୁହୂର୍ତ୍ତ,
ତୁମ ଅନୁପସ୍ଥିତିରେ
ଏଠି ଖାଲି ଇନ୍ଦ୍ରଧନୁର ଅବଶୋଷ ।
ଦେଖ-
ଏବେବି ମୋ ଆଖିର ନିରବ ପୃଷ୍ଠାରେ
ତୁମ ଆତ୍ମୀୟତାର ଛାପ,
ମୋ ହୃଦୟ ଯୁଗ ଯୁଗ ଯାଏ
ତୁମ ପାଇଁ
ପ୍ରଶସ୍ତ,ପର୍ଯ୍ୟାପ୍ତ ଏବଂ ନିବିଷ୍ଟ ।
ଦେଖ-
ଯଦି ହଠାତ କେବେ ଆସିଯିବ
ଛପି ଛପି ମୋ ଅଜାଣତେ
ଅଦିନିଆ ବର୍ଷା ପରି ବିଦାୟ ମୁହୂର୍ତ୍ତ
ଫାଟିଯିବ ପୃଥିବୀର ଛାତି
ବାହୁନି କାନ୍ଦିବ ଆକାଶ
ସ୍ମରି ସ୍ମରି ଆମ ମିଳନର
ମଧୁର ମୁହୂର୍ତ୍ତ,
ବେସୁରା ହେଇଯିବ ଯେତେ ସବୁ ଆମ ପ୍ରୀତିର ସଙ୍ଗୀତ ।
ଦେଖ-
ତୁମେ କେମିତି ବୁଝିବ ଯେ
ବର୍ଷ ବର୍ଷ ଧରି କେମିତି ଚାପି ରଖିଛି
ମୋ’ ହୃଦୟ କେଦାରେ
ସଞ୍ଚରି ଯାଉଥିବା
ମିଳନର ଯେତେ ସବୁ
ଅଦୃଶ୍ୟ ମଧୁର ରୋମାଞ୍ଚ ।
ଦେଖ-
ବିଛେଦର ପଦ୍ମତୋଳା
ତୋଳିଦେଲେ ଜୀବନ ରାଗିଣି,
ଆକାଶର ଅନନ୍ତ ଗଭାରୁ
ଝଡି ଯିବ ପ୍ରୀତିର ଫୁଲ ସବୁ
ସ୍ବପ୍ନ ସବୁ ହଜିଯିବେ ଛାଏଁ ଛାଏଁ;
ନିଜ ଛାଇବି ଡରାଇବ ମତେ ଏଠି
ନିଜସ୍ୱ ଢଙ୍ଗରେ
ଆମ ନିଜସ୍ୱ ଇଲାକା ଭିତରେ ।
ଦେଖ-
ଏହି ଜନ୍ମ ପାଇଁ ଯଦି ଲେଖା
ବିଦାୟ ବିଦାୟ-
କାହିଁକି ଯେ ଆସୁଥିଲ
ଏମିତି ଏକ ଅସଂଯତ ନିରବ ମୁହୂର୍ତ୍ତରେ,
ବରଂ ଭଲ ହେଇଥାନ୍ତା
ଯଦି ନଇଁ ଯାଇଥାଆନ୍ତା ଡାଳ
ଆମ ଗାଁ ଦାଣ୍ଡରେ
ଅବା ବାଡି ଅଗଣାରେ
ଅବା ଅଦୃଶ୍ୟ ହେଇଯାଆନ୍ତେ
ଫୁଟି ଯାଉଥିବା
ପେନ୍ଥା ପେନ୍ଥା ଫୁଲ ଆଉ ତାରା ସବୁ
ଜହ୍ନ ପିଠିରେ ବସି
ତୁମେ ମୋ ପାଖକୁ
ଆସିବାର ଅଭିନୟ କରୁଥିବା
ମଧୁର ମାହେନ୍ଦ୍ର ଲଗ୍ନରେ,
ହଜିଯାଉଥାନ୍ତେ ସମ୍ପର୍କର ଚିତ୍ର ସବୁଯେତେ
ଆମ ଅଦୃଶ୍ୟ ଇଲାକାର
ଅକ୍ଷାଂଶ ଦ୍ରାଘିମାର ସରହଦ ଭିତରେ ।
ବ୍ରହ୍ମପୁର,ଗଞ୍ଜାମ
Comments are closed.