Latest Odisha News

BREAKING NEWS

ଅତିବଡି ପୁରସ୍କାର : ସାଧାରଣ ଜୀବନର ଅସାଧାରଣ କଥାକାର ରାମଚନ୍ଦ୍ର ବେହେରା

ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ି ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ଘୋଷଣା କରିବା ସାହିତ୍ୟ ଜଗତ ପାଇଁ ହୁଏତ ଏକ ବଡ ଖବର, ହେଲେ ଏ ଖବର ମୋ ଲାଗି ଖୁବ ଉତ୍ସାହଜନକ ନୁହେଁ।ବରଂ ଏ ପୁରସ୍କାର ତାଙ୍କୁ ଏତେ ଡେରିରେ କେମିତି ମିଳିଲା, ତାହା ହିଁ ଖବର ହେବା ଉଚିତ।  ୨୦୦୫ ମସିହାରେ ଶ୍ରୀଯୁକ୍ତ ବେହେରାଙ୍କୁ ଯେତେବେଳେ ତାଙ୍କର ଗଳ୍ପ ପୁସ୍ତକ “ଗୋପପୁର” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା  ସେତେବେଳେ ମଧ୍ୟ ମୁଁ ଏହି ସମାନ କଥା କହିଥିଲି। ଏହାର ଏକମାତ୍ର କାରଣ ହେଉଛି, ଯେ କୌଣସି ବଡ଼ ପୁରସ୍କାର ରାମଚନ୍ଦ୍ର ବେହେରାଙ୍କ ସୃଜନଶୀଳତା ଆଗରେ ସାନ ଲାଗିବାକୁ ବାଧ୍ୟ। ଓଡ଼ିଆ କଥାସାହିତ୍ୟରେ ତାଙ୍କର ଏକ ଭିନ୍ନ ଆସନ ରହିଛି। ସେ ନିଜେ ନିଜର ବିକଳ୍ପ। ଅତିବଡ଼ି ପୁରସ୍କାର ଟି ତାଙ୍କୁ ଅନ୍ତତଃ ଦଶ ବର୍ଷ ଆଗରୁ ମିଳିବା ଉଚିତ ହୋଇଥାନ୍ତା। ଅବଶ୍ୟ ମଝିରେ କିଛି ବର୍ଷ ସେ ନିଜେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ପ୍ରାୟତଃ ନିଜ ସର୍ଜନଶୀଳତାରେ ବୁଡିକି ରହୁଥିବା ଆମ ସମୟର ଏହି ବିଶିଷ୍ଟ କଥାଶିଳ୍ପୀ ନିଜ ଭିତରେ ଇ ଘର କରି ରହିଥାନ୍ତି। କେନ୍ଦ୍ରାପଡାରେ ନିଜ ସାଙ୍ଗସାଥି ଓ ପରିବାର ସହିତ ବଡ ଆନନ୍ଦରେ ଥିବା ରାମଚନ୍ଦ୍ର ବେହେରାଙ୍କ ପାଖକୁ ସାହିତ୍ୟର ସବୁ ବଡ ପୁରସ୍କାର ଆପେ ଆପେ ପହଞ୍ଚିଛନ୍ତି। ବାସ୍ତବରେ ସେ ପୁରସ୍କାରକୁ ନୁହଁ, ପୁରସ୍କାର ତାଙ୍କୁ ଖୋଜିଥାଏ।

ପୁରସ୍କାର ମିଳୁ କି ନ ମିଳୁ, ସେ ନିଜ ସର୍ଜନା ଜଗତର ନିମଗ୍ନ ସନ୍ୟାସୀ। ତାଙ୍କ ଗପର ଚରିତ୍ରମାନେ ସମାଜର ସବୁଠାରୁ ଶେଷ ଧାଡିରୁ ଆସିଥାନ୍ତି। ବେଳେ ବେଳେ ସେମାନେ ମଣିଷ ଠାରୁ ଇତର ପ୍ରାଣୀ ମଧ୍ୟ ହୋଇ ପାରନ୍ତି। ପେଚା ହେଉ କି ପିମ୍ପୁଡି, ମଣିଷ ହେଉ କି ପଶୁ, ପ୍ରତଟି ଜୀବନ ଭିତରେ ବଞ୍ଚି ରହିବାର ଶାଶ୍ବତ ସଙ୍ଘର୍ଷକୁ ନେଇ ସେ ଗପ ଲେଖନ୍ତି। ମଣିଷ ପାଇଁ ଜୀବନ କେବଳ ଏକ ଆହ୍ବାନ। ମଣିଷ ଅହରହ ନିଜକୁ ସାବ୍ୟସ୍ତ କରିବା ଲାଗି ସଙ୍ଘର୍ଷ କରୁଥାଏ। ଯାବତୀୟ ସଙ୍କଟର ସାମ୍ନା କରୁଥାଏ। ରାମଚନ୍ଦ୍ର ବେହେରାଙ୍କ ଗପ, ଉପନ୍ୟାସ ଓ ନାଟକରେ ଏହି ସଙ୍ଘର୍ଷର ଏକ ଦାର୍ଶନିକ ଛବି ଆମେ ଦେଖି ଆସିଛୁ।

ଅନ୍ୟ ଗାଳ୍ପିକମାନଙ୍କ ପରି ସେ ସାଧାରଣ କଥକ ନୁହନ୍ତି। ସେ ଗୋଟେ ଘଟଣା ବା ଚରିତ୍ରର ବର୍ଣ୍ଣନା ସାରିଦେଇ ଉଠି ଯାଆନ୍ତି ନାହିଁ। ତାଙ୍କ କଥା ଜଗତର ଗଭୀରତା ଯେତିକି, ବ୍ୟାପ୍ତି ମଧ୍ୟ ସେତିକି। ସାମାନ୍ୟ ଭିତରେ ଅସାମାନ୍ୟ ଓ ସାଧାରଣ ଭିତରେ ଅସାଧାରଣ ସମ୍ଭାବନା ର ଆବିଷ୍କାର କରିବାରେ ସେ ଏକାକୀ ସବ୍ୟସାଚୀ। ଗୋଟେ ସାଧାରଣ ରାଜନୈତିକ ଘଟଣାକ୍ରମ ଭିତରେ ବଦଳୁଥିବା ସମୟର ମାନଚିତ୍ରକୁ ସେ ଅନାୟାସରେ ଆଙ୍କିଦେଇ ପାରନ୍ତି। ସେମିତି କୌଣସି ବି ସାଧାରଣ ସାମାଜିକ ସଙ୍କଟ ଭିତରେ ଏକ ବୃହତ୍ତର ସାମାଜିକ ସଙ୍କଟର ମଞ୍ଜି ଦେଖାଇ ସେ ଆମକୁ ଚମତ୍କୃତ କରିପାରନ୍ତି। ତାଙ୍କ ଗପର ଦାର୍ଶନିକତା, ତାଙ୍କୁ ଗୋଟେ ଭିନ୍ନ କୋଟୀର ଗାଳ୍ପିକ ଭାବରେ ଅଲଗା ପରିଚିହ୍ନିତ କରିଥାଏ।

କେନ୍ଦ୍ରାପଡା ତାଙ୍କର କର୍ମଭୂମି ଓ ଏବେ ସେ ସେଠିକାର ସ୍ଥାୟୀ ବାସିନ୍ଦା। ସାହିତ୍ୟ ଏକାଡ଼େମୀର ସଭାପତି ଥିବାବେଳେ ବି ସେ ଭୁବନେଶ୍ୱର ମୋହରେ ପଡିନାହାନ୍ତି। ୨, ନଭେମ୍ବର, ୧୯୪୫ରେ ତାଙ୍କର ଜନ୍ମ କେନ୍ଦୁଝର ଜିଲା ବାରହାଟିପୁରା ଗାଁରେ। ସାରା ଜୀବନ ସେ ଇଂରାଜୀ ସାହିତ୍ୟ ପଢିଛନ୍ତି ଓ ପଢାଇଛନ୍ତି। ହେଲେ ଲେଖିଛନ୍ତି ବିଶୁଦ୍ଧ ଓଡିଆରେ। ତାଙ୍କ ଗଳ୍ପର ଭାଷାରେ ଗୋଟେ ଯାଦୁକରୀ ଛଟା ରହି ଆସିଛି। ଓଡିଆ ଭାଷାରେ ଏକ ସ୍ଵତନ୍ତ୍ର କଥନଶୈଳୀର ନିର୍ମାତା ବୋଲି ତାଙ୍କୁ କୁହାଯାଇପାରେ। ତାଙ୍କ ପ୍ରକାଶିତ ଗଳ୍ପ ସଂକଳନ ଗୁଡିକ ହେଲା- ଦ୍ୱିତୀୟ ଶ୍ମଶାନ, ଅଚିହ୍ନା ପୃଥିବୀ, ଅବଶିଷ୍ଟ ଆୟୁଷ, ଓଁକାର ଧ୍ୱନି, ମହାକାବ୍ୟର ମୁହଁ, ବଂଚିରହିବା, ସବୁଜିମାର ପରମାୟୁ, ବଡ଼ ମାୟାବୀ ଜୀବ, ଶୁଭାନନ୍ଦର ଗୀତ, ଗୋପପୁର, ବିପର୍ଯ୍ୟୟର ନକ୍‍ସା, ଭଗ୍ନାଂଶର ସ୍ୱପ୍ନ ଓ ଫଟାକାନ୍ଥର ଗଛ। “ଓଁକାର ଧ୍ୱନି” ପାଇଁ ତାଙ୍କୁ ସାରଳା ପୁରସ୍କାର ଓ “ଗୋପପୁର” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। ତାଙ୍କ ପ୍ରକାଶିତ ଉପନ୍ୟାସ ସବୁ ହେଉଛି- ମରୀଚିକାର ମହକ, ନିଖୋଜ ଅପରାଧୀ, ଚିହ୍ନାଅଚିହ୍ନା, ଧୂସର ସୂର୍ଯ୍ୟାସ୍ତ, ଅଭିନୟର ପରିଧି, ମୁକ୍ତିର ରୂପରେଖ, ମୁଁ ଫେରିଆସିଛି, ମନିକା ଏବେ କେଉଁଠି, ଦୁଆର ଟପିଲେ ବାଟ, କିପରି ନିଆଯାଏ ନିଷ୍ପତ୍ତି, ପାଦତଳର ମାଟି, ରାତିର ଶେଷ ପୃଷ୍ଠା, କୋଟିବସ୍ତ୍ର, ବଟ ବୈକୁଣ୍ଠ, ଜୀବନ ପାତ୍ର ଓ ଏଇଠି ଆକାଶ।ଏହା ଛଡା ସେ କିଛି ନାଟକ ଓ ସ୍ତମ୍ଭ ରଚନା ମଧ୍ୟ କରିଛନ୍ତି।

ଫଟୋ ସୌଜନ୍ୟ- ଅତୁଲ ବଳ 

Leave A Reply

Your email address will not be published.