ସୁରେଶ ନାୟକ
ଆଉ ଟିକେ ଧଳା ରଙ୍ଗ ମାଗିବି
ଆହୁରି ସଫେଦ୍ କରିବାକୁ,
ବରଫ ଖଣ୍ଡଙ୍କୁ କହିଚି
ଉଡ଼ି ଆସି ବସି ପଡ଼ିବାକୁ ଆହୁରି ସ୍ୱଚ୍ଛ।
ଆଉଟିକେ ଗାଢ଼ ହୋଇ ଜଳିବ ସୂର୍ଯ୍ୟ,
ସମୁଦ୍ର ବକ୍ଷ ଚିରି
ଆଉକିଛି ଫେନିଳ ହସ ଉଡ଼ି ଯିବେ,
ପକ୍ଷୀମାନେ ଏ କାନଭାସକୁ
ନିଶବ୍ଦରେ ବେଢ଼ି ରହିବେ, ଯେମିତି କଟୁଆଳ।
ଦୁଃଖ ମାନେ କକୁସ୍ଥ ହୋଇ
ଢୁଳାଇବେ, ମୌନରେ ହାତ ଛନ୍ଦା ଛନ୍ଦି ହୋଇ
ଆଖି ଡୋଳା ଆରପାଖେ, କଳାପଟାରେ
କେହି ଲେଖି ବସିବ ଅନାବନା ଅରମାର ଲଟାଝଟା
ଆଉଟିକେ ଗାଢ଼ ଓ ଘଞ୍ଚ।
ମୃଦୁ ମୃଦୁ ପବନ ଝାଟେଇ ଆଣିବ
ଅନଭ୍ୟସ୍ତ ହାତର ଆବଶ୍ୟକତା।
ଏତେ ଏତେ ରୋମାଞ୍ଚ ନେଇ ଯେଉଁ ଜୀବନ ଗଢିହେବ
ତାର ନାମକରଣ ବେଳକୁ କିଛି ହଲଚଲ ହେବ ପୃଥିବୀରେ
ଦେବତା ମାଗିବେ ଅଧିକାର
ଜୀବ ଜନ୍ତୁ ମାଗିବେ,ମଣିଷ ମାଗିବେ,
ଦାନବ ମାଗିବେ ପତନନ୍ମୁଖୀ ପୃଥିବୀର ଆୟୁଷ।
କିଛି ଗଢ଼ା ଯାଏନି, ଗଢି ହୁଏନି କାଳ କାଳ
ଆମେ କେବଳ ଅଣ୍ଟିରେ ଗୋଟାଇ ଆଣିବା କଥା
ରାସ୍ତାରୁ ଯତ୍ନ କରି ଆଉ କାହା ଅହଂକାର
ପୁଣି ଗୋଟେ ଦିନ ଅପେକ୍ଷାରେ
ପୁଣି ଗୋଟେ କାନଭାସ ଓ ରଙ୍ଗ ତୁଳୀ ସହ
ଗଢିବାକୁ, ଗଢି ହେବାକୁ।
Comments are closed.