ମୂଳ ରଚନା : ଖାଲିଲ ଜିବ୍ରାନ୍
ଲୋକମାନେ କହିବାର ଶୁଣାଯାଏ
ନଦୀଟି ସମୁଦ୍ରରେ ପଶିବା ପୂର୍ବରୁ
ଥରିଉଠେ ଭୟରେ ।
ସେ ପଛକୁ ଅନାଇ
ଚାଲି ଆସିବା ବାଟକୁ ଚାହେଁ,
ପର୍ବତର ସୁଉଚ୍ଚ ଶୃଙ୍ଗରୁ
ଅଙ୍କା ବଙ୍କା ପଥ ଚାଲି
ଜଙ୍ଗଲ ଓ ଗାଁମାନଙ୍କ ଭିତରେ ।
ଏବଂ ନିଜ ସାମନାରେ ଦେଖେ
ଏତେ ବିଶାଳ ଏକ ସାଗର
ଯାହା ଭିତରକୁ ପ୍ରବେଶ କଲେ ଚିରଦିନ ପାଇଁ ଅନ୍ତର୍ଦ୍ଧାନ ହେବା ଛଡ଼ା
ଅନ୍ୟ କିଛି ବିକଳ୍ପ ନାହିଁ।
କିନ୍ତୁ ଆଉ କିଛି ବାଟ ବି ନାହିଁ,
ନଦୀଟି ଫେରିଯାଇ ପାରିବନି
କେହି ପଛକୁ ଫେରି ପାରନ୍ତି ନାହିଁ,
ଏ ଧରାରେ ପଛକୁ ଫେରିବା
ସମ୍ଭବ ହିଁ ନୁହେଁ।
ନଦୀଟିକୁ ସମୁଦ୍ର ଭିତରକୁ ଯିବାର
ଶଙ୍କାକୁ ବରଣ କରି ନେବାକୁ ପଡ଼ିବ,
କାରଣ ସେଇଟା କଲେ ହିଁ
ମନରୁ ଭୟ ଦୂର ହେବ
ଏବଂ ନଦୀଟି ଜାଣି ପାରିବ ଯେ
ସେ ସମୁଦ୍ରରେ ବିଲୀନ ହେଉନାହିଁ
ସେ ନିଜେ ହିଁ ସମୁଦ୍ର ହୋଇ ଯାଉଛି।
ଅନୁବାଦ : ମନୋରଞ୍ଜନ ହୋତା