ମୂଳହିନ୍ଦୀ : ଅଟଳ ବିହାରୀ ବାଜପେୟୀ
ସରଳ ନିଷ୍ପାପ ଶିଶୁ
ବୃଦ୍ଧାନାରୀ , ଯୁବପୀଢ଼ି ପୁରୁଷଙ୍କ
ଶବପରେ ଚଢ଼ି
କ୍ଷମତାର ସିଂହାସନ ପାଖରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କୁ
ମୋର ଖାଲି ଗୋଟିଏ ପ୍ରଶ୍ନ :
ମୃତ ଲୋକଙ୍କ ସହିତ
ତାଙ୍କର କଣ କିଛି ବି ସମ୍ପର୍କ ନଥିଲା ? .
ନହେଉ ପଛେ ଧର୍ମର
ଅନ୍ତତଃ ଧରଣୀର ସମ୍ବନ୍ଧ ବି ନଥିଲା।
ପୃଥିବୀ ତ ମାତା ଆଉ ଆମେସବୁ ତାହାରି ସନ୍ତାନ
ମନ୍ତ୍ର ଏଇ ଅଥର୍ବ ବେଦର
ତେବେ କଣ ମୂଲ୍ୟହୀନ , ଅର୍ଥହୀନ
ଖାଲି ପ୍ରହସନ ?
ଏ ଜୀବନେ ବଞ୍ଚିବାରେ ଏହାର କି
କିଛି ହେଲେ ନାହିଁ ପ୍ରୟୋଜନ
ଅନଳରେ ଜଳିଗଲେ କେତେ ଛୋଟ ଶିଶୁ
ନାରୀମାନେ ବାସନାର ହୋଇଲେ ଶିକାର
ଘରସବୁ ପାଲଟିଲା ପାଉଁଶର କୂଢ଼
ଏହା ନାଁ ତ ପ୍ରମାଣ ପତ୍ର ସଭ୍ୟତାର
ଅଥବା ଉଦାହରଣ ଦେଶ ପ୍ରେମର
ଯଦିବି ଏହାକୁ ଏକ ଘୋଷଣା ପତ୍ର
ବୋଲି ମାନି ନିଆଯାଏ
ତାହା କେବଳ ପଶୁତ୍ବର
ପ୍ରମାଣ କହିଲେ ଖାଲି ପତନର ।
ଏମିତି କୁପୁତ୍ର ଜନ୍ମିବାଠାରୁ
ବନ୍ଧ୍ୟା ମାତା ଢେର ଭଲ
ନିର୍ଦ୍ଦୋଷର ରକ୍ତେ ଭିଜା ଏଇ ରାଜଗାଦି
ଶ୍ମଶାନର ଧୂଳିଠାରୁ ହୀନ
କ୍ଷମତାର ଏଇ ଅନିୟନ୍ତ୍ରିତ କ୍ଷୁଧା
ରକ୍ତ ପିପାସାଠୁ ଅଧିକ ଜଘନ୍ୟ ।
ପାଞ୍ଚ ହଜାର ବର୍ଷର ସଂସ୍କୃତି ;
ଗର୍ବ କରିବି ନା କାନ୍ଦିବି ?
ଏ ଯେଉଁ ଅବାଧ ଦୌଡ଼ ଖାଲି ସ୍ୱାର୍ଥ ପାଇଁ
ଦେଖି ଦେଖି ବେଳେ ବେଳେ ଭୟ ହୁଏ
କଷ୍ଟ ଲବ୍ଧ ସ୍ଵତନ୍ତ୍ରତା ପୁଣିଥରେ ଦେବକି ହଜାଇ।
(ବି. ଦ୍ର : ମାତା ଭୂମିହିଃ ପୁତ୍ରୋ ଅହଂ ପୃଥ୍ୱୀବ୍ୟା ।)
ଅନୁବାଦ : ମନୋରଞ୍ଜନ ହୋତା
Comments are closed.